ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିବାଦ ଓ ସଙ୍କଟ କଂଗ୍ରେସର ପିଛା ଛାଡ଼ିବା ନାଁ ଧରୁନାହିଁ। ଗତ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ନେତାମାନେ ଏକେତ କୂଳ କିନାରା ପାଉନାହାନ୍ତି। ଗତ ସପ୍ତାହରେ ଏକ ବିବାଦୀୟ ଘଟଣାକ୍ରମରେ କଂଗ୍ରେସ ହଠାତ ତା’ର ମିଡିଆ ସେଲର ମୁଖ୍ୟଙ୍କୁ ବଦଳାଇ ଦେଇଛି। ସତ୍ୟ ନାୟକ କିଛି ମାସ ଧରି ଏହି ସେଲର ଦାୟିତ୍ୱ ନେଇଥିଲେ। ଏବେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କୁ ସେହି ଦାୟିତ୍ୱ ଦିଆଯାଇଛି।

ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ବାଉନ୍ସରମାନଙ୍କୁ ନିୟୋଜିତ କରିବା ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ଦଳର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କାନୁନଗୋଙ୍କୁ ମିଡିଆ ସେଲର ଦାୟିତ୍ୱ ଦେବା ସ୍ଥିର ହୋଇଥିଲା।

ସତ୍ୟ ନାୟକଙ୍କ ବିରୋଧୀମାନଙ୍କ କହିବା କଥା ଯେ ଯଦିଓ ସତ୍ୟ ନାୟକ ନିୟମିତ ଭାବେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିଲେ ଏବଂ ବିଭିନ୍ନ ପ୍ରସଙ୍ଗରେ ବିଜେପି ଓ ବିଜେଡିକୁ ପଦାରେ ପକାଇବାର ଉଦ୍ୟମ କରିଥିଲେ ତେବେ ସେ କେବେ ବି ଦଳକୁ ସୁରକ୍ଷା ଦେବାପାଇଁ ଆଗେଇ ଆସୁନଥିଲେ। ପଞ୍ଚାନନ କାନୁନଗୋ ମିଡିଆ ସେଲର ମୁଖ୍ୟ ହେବା ସହ ଏହି ସେଲର ପୁନର୍ଗଠନ କରାଯିବ ଏବଂ ଆଉ କିଛି ସଦସ୍ୟଙ୍କୁ ବି ନିଆଯିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଦିନ ଏକ କୌତୁହଳ ଘଟଣା କ୍ରମରେ ମାଷ୍ଟର କ୍ୟାଣ୍ଟିନଠାରେ ଥିବା ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଚାରିପଟେ ବାଉନ୍ସରମାନେ ଜଗିବା ଦେଖା ଯାଇଥିଲା। ଓଡ଼ିଶା କଂଗ୍ରେସ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଭିତରେ ଆଲୋଚନା କରିବା ସମୟରେ ଏହି ବାଉନ୍ସର ବାହାର ପଟେ ଜଗିବା ଲକ୍ଷ୍ୟ କରାଯାଇଥିଲା। ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀର ଲୋକଙ୍କୁ ଭିତରକୁ ନଛାଡ଼ିବା ପାଇଁ ବାଉନ୍ସରମାନଙ୍କୁ କୁହାଯାଇଥିଲା।

Comment