ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କୃଷି ଓଡ଼ିଶା ୨୦୨୦’ର ତୃତୀୟ ଦିନରେ ମାରାଥନ ଆଲୋଚନା। ବଜାରର ଚାହିଦା ଉପରେ ଜ୍ଞାନ ଆହରଣ କଲେ ଚାଷୀ।

‘‘ଚାଷୀମାନେ ଫସଲ ଅମଳ କରିବା ପୂର୍ବରୁ ବଜାର ଉପରେ ନଜର ରଖିବା ନିହାତି ଜରୁରୀ। ବଜାରର ଚାହିଦା ଅନୁଯାୟୀ ଫସଲ ଅମଳ କଲେ ଚାଷୀ ଅସୁବିଧାରେ ପଡ଼ିବନି’’, ଏହି ମତ ପ୍ରକାଶ ପାଇଛି ‘କୃଷି ଓଡ଼ିଶା’ ପାଠଶାଳାରେ।

ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି ‘କୃଷି ଓଡ଼ିଶା-୨୦୨୦’। ପ୍ରତିଦିନ କୃଷି ସମ୍ପର୍କୀତ ବିଷୟକୁ ନେଇ ଦୁଇଟି ଅଧିବେଶନରେ ପାଠଶାଳା ଅନୁଷ୍ଠିତ ହେଉଛି। ତୃତୀୟ ଦିନରେ ‘ଅଧିକ ଲାଭ ପାଇଁ କୃଷିଜାତ ଦ୍ରବ୍ୟର ବଜାର ବ୍ୟବସ୍ଥା’ ଏବଂ ‘ଲାଭ ବୃଦ୍ଧି ପାଇଁ ବଜାର ଭିତ୍ତିକ କୃଷି ଉତ୍ପାଦନ’ ଉପରେ ଆଲୋଚନା ହୋଇଥିଲା।

‘ଅଧିକ ଲାଭ ପାଇଁ କୃଷିଜାତ ଦ୍ରବ୍ୟର ବଜାର ବ୍ୟବସ୍ଥା’ ଶୀର୍ଷକ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଗ୍ରୋ ବିଜିନେସ୍ ମ୍ୟାନେଜମେଣ୍ଟର ପ୍ରଫେସର ସୁକୁମାର ଦାସ ଯୋଗ ଦେଇଥିଲେ।

‘‘ଉତ୍ପାଦକୁ ବଜାରରେ ବିକ୍ରି କରିବା ପୂର୍ବରୁ ଏହାର ମାନକୁ ପରୀକ୍ଷା କରିନେବା ଉଚିତ। କାରଣ ଉତ୍ପାଦର ମାନ ଯେତେ ଭଲ ରହିବ ଚାଷୀ ଭଲ ଦି ପଇସା ରୋଜଗାର କରିପାରିବ। ବଜାର ପାଇଁ ସବୁ ବେଳେ ଅନ୍ୟ ଉପରେ ନିର୍ଭର ନକରି ଚାଷୀ ନିଜେ ବୁଦ୍ଧି ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି’’, କହିଥିଲେ ପ୍ରଫେସର ସୁକୁମାର ଦାସ।

ସମବାୟ ବିଭାଗ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଗାୟତ୍ରୀ ପଟ୍ଟନାୟକ ଯୋଗ ଦେଇ କହିଥିଲେ, ‘‘ବିକଶିତ ଦେଶମାନଙ୍କରେ ପାଣିପାଗର ପୂର୍ବାନୁମାନ କରି ଚାଷ କରାଯାଏ। କିନ୍ତୁ ଆମ ଦେଶରେ ଜୀବିକା ପାଇଁ ଚାଷ ହୁଏ। ଫଳରେ ଚାଷୀ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏପରିକି ବଜାରରେ ବିକ୍ରି କରିବା ନେଇ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଚାଷୀମାନେ କୃଷକ ଉତ୍ପାଦକ ସଂସ୍ଥା ଗଠନ କରିବା ସହ ପଞ୍ଜୀକରଣ କରିବା ଦରକାର। ଏହାପରେ ସେମାନଙ୍କ ଉତ୍ପାଦ କିଣିବା ପାଇଁ କମ୍ପାନିମାନେ ସେମାନଙ୍କ ନିକଟରେ ପହଞ୍ଚି ପାରିବେ। ଚାଷୀ ଭଲ ଦି ପଇସା ରୋଜଗାର କରିପାରିବ।’’

ଏହି ଅଧିବେଶନରେ ଚାଷୀମାନେ ନିଜର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ।

କଟକରୁ ଆସିଥିବା ଜଣେ ଚାଷୀ କହିଥିଲେ, ‘‘ମୁଁ ଉତ୍ପାଦ ବିକ୍ରି ପାଇଁ ବାହାର ରାଜ୍ୟ କମ୍ପାନି ସହ ଆଲୋଚନା କରିଥିଲି। କିନ୍ତୁ ସେମାନେ ଅଧିକ ପରିମାଣର ଉତ୍ପାଦ ଚାହୁଁଥିବାରୁ ଆମେ ସେ ଚାହିଦାକୁ ପୂରଣ କରିପାରିଲୁ ନାହିଁ।’’

ପାଠଶାଳାର ଦ୍ୱିତୀୟ ଅଧିବେଶନରେ ‘ଲାଭ ବୃଦ୍ଧି ପାଇଁ ବଜାର ଭିତ୍ତିକ କୃଷି ଉତ୍ପାଦନ ବ୍ୟବସ୍ଥା’ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଓୟୁଏଟିର ବିଶେଷଜ୍ଞ ଡକ୍ଟର ମହାମାୟା ପ୍ରସାଦ ନାୟକ, ଡକ୍ଟର ସନତ ମିଶ୍ର ଓ ଭୁବନେଶ୍ୱର ଆଇଆରଆରଆଇର ବୈଜ୍ଞାନିକ କିଶୋର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

‘‘କ୍ଷୀର, ଡାଲି, ଚା, ପନିପରିବା, ଗହମ ଆଦି ଉତ୍ପାଦନରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି ଭାରତ। କିନ୍ତୁ ଉତ୍ପାଦନ ନୁହେଁ, ଲାଭ ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଆମ ରାଜ୍ୟରେ ଶୀତଳଭଣ୍ଡାରର ଅଭାବ ଥିବା କାରଣରୁ ଫସଲ ସଂରକ୍ଷଣ କରାଯାଇ ପାରୁନାହିଁ। ତେବେ ଏସବୁକୁ କିପରି ବିକ୍ରି କରାଯାଇପାରିବ ଓ ଭଲ ଦି ପଇସା ରୋଜଗାର ହେବ ସେ ନେଇ ଧ୍ୟାନ ଦେବାର ଆବଶ୍ୟକତା ରହିଛି’’, କହିଥିଲେ ଡକ୍ଟର ମହାମାୟା ପ୍ରସାଦ ନାୟକ।

ଉତ୍ପାଦ ବିକ୍ରି ପାଇଁ ଏହାକୁ ସଠିକ ଭାବେ ପ୍ରୋସେସିଂ କରିବା, ଆକର୍ଷଣୀୟ ପ୍ୟାକେଜିଂ କରିବାର ଆବଶ୍ୟକତା ରହିଛି। ଫଳରେ ଗ୍ରାହକ ଏହାକୁ କିଣିବା ପାଇଁ ଆଗ୍ରହୀ ହେବେ ବୋଲି ଅଧିବେଶନରେ ମତ ପ୍ରକାଶ ପାଇଥିଲା।

ଓୟୁଏଟି ବିଶେଷଜ୍ଞ ଡକ୍ଟର ସନତ ମିଶ୍ର କହିଥିଲେ, ‘‘ଜଳବାୟୁ ପରିବର୍ତ୍ତନ ଏବେ ଆମ ପାଇଁ ଏକ ବଡ଼ ସମସ୍ୟା ହୋଇଛି। ତେଣୁ ଏହାକୁ ଆଖି ଆଗରେ ରଖି ଆମେ ଚାଷ କରିବାର ଆବଶ୍ୟକତା ରହିଛି।’’

ଭୁବନେଶ୍ୱର ଆଇଆରଆରଆଇର ବୈଜ୍ଞାନିକ କିଶୋର କୁମାର ବେହେରା ବିଭିନ୍ନ ପ୍ରକଳ୍ପ ଓ ଉନ୍ନତମାନର ବିହନ ସମ୍ପର୍କରେ ସୂଚନା ଦେଇଥିଲେ।

ଯାଜପୁରରୁ ଆସିଥିବା ଚାଷୀ ନିତ୍ୟାନନ୍ଦ ରାଉତ କୃଷି ବିଶେଷଜ୍ଞମାନଙ୍କୁ ଜଳବାୟୁ ପରିବର୍ତ୍ତନ ହେଉଥିବାରୁ କ’ଣ ଚାଷ କରିବେ ଓ ଏ ସମ୍ପର୍କରେ କେଉଁଠାରୁ ସୂଚନା ମିଳିବ ବୋଲି ପ୍ରଶ୍ନ କରିଥିଲେ। ବିଶେଷଜ୍ଞମାନେ ଏହାର ଉତ୍ତର ଦେଇଥିଲେ।

ପୁରୀରୁ ଆସିଥିବା ଚାଷୀ ଦେବେନ୍ଦ୍ର ଜେନା କହିଥିଲେ ଯେ, ଏପରି ପାଠଶାଳା ବ୍ଲକ ସ୍ତରରେ ଅଧିକରୁ ଅଧିକ କରିବାର ଆବଶ୍ୟକତା ରହିଛି।

Comment