ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ‘କୃଷି ଓଡ଼ିଶା’ର ଚତୁର୍ଥ ଦିନ
  • ମହିଳା ଦିବସକୁ ନେଇ ସ୍ୱତନ୍ତ୍ର ଆଲୋଚନା
  • ଚାଷ କାମରେ ମହିଳା ଦେଖାଉଛନ୍ତି ଦକ୍ଷତା: ମନ୍ତ୍ରୀ ଟୁକୁନି ସାହୁ
  • ଚାଷୀଙ୍କୁ ନୂଆ ରାସ୍ତା ଦେଖାଇବ ‘କୃଷି ଓଡ଼ିଶା’: ମନ୍ତ୍ରୀ ଡକ୍ଟର ଅରୁଣ ସାହୁ
  • ଫସଲ ସଂରକ୍ଷଣ ଓ ଦଳଗତ ଚାଷ ଉପରେ ପାଠଶାଳା
  • ରାଇସ୍ ଡକ୍ଟର ଏବଂ ରାଇସ୍ ନଲେଜ ବ୍ୟାଙ୍କ ଆପ୍ ଉନ୍ମୋଚିତ

‘ଲାଭଜନକ କୃଷି ପାଇଁ ପ୍ରୟାସ’ ଥିମ୍‌କୁ ନେଇ ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ‘କୃଷି ଓଡ଼ିଶା’ ରେ ଗୁରୁବାର ଥିଲା ‘ମହିଳା ଦିବସ’। ଚାଷ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ମହିଳା, ଶିଶୁ ବିକାଶ ଏବଂ ମିସନ୍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ।

“ଚାଷ କ୍ଷେତ୍ରରେ ପୁରୁଷଙ୍କ ଭଳି ମହିଳାମାନଙ୍କର ମଧ୍ୟ ଯଥେଷ୍ଟ ଅବଦାନ ରହିଛି। ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ମହିଳା ଚାଷ କାମ କରୁଛନ୍ତି। ଜମିରେ ଧାନ ତଳି ରୋଇବାଠାରୁ ଆରମ୍ଭ କରି ପନିପରିବା ଚାଷ, ଗୋ ପାଳନ, କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ରାଜ୍ୟର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ପାଇଁ ମହିଳାମାନଙ୍କର ଅବଦାନ ମଧ୍ୟ କିଛି କମ୍ ନୁହେଁ”, କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।

ମନ୍ତ୍ରୀ ଆହୁରି କହିଥିଲେ, “ମିସନ୍ ଶକ୍ତି ଆଜି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିଛି। ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହେବା ସହ ଏଥିରେ ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି। ଏମାନଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି। ମହିଳାମାନେ ଚାଷ କ୍ଷେତ୍ରରେ ପାଦ ଦେଇ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।”

ଫିକି ସହଯୋଗରେ କୃଷି ଓ କୃଷି ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କୃଷି ମହୋତ୍ସବ ଆୟୋଜନ କରାଯାଉଛି। ଚତୁର୍ଥ ଦିନ କାର୍ଯ୍ୟକ୍ରମରେ ମହିଳା ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ।

“ଚାଷ କ୍ଷେତ୍ର ପ୍ରତି ମହିଳାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ମହିଳାମାନଙ୍କର କୃଷି କ୍ଷେତ୍ର ପ୍ରତି ଯଥେଷ୍ଟ ଭାଗିଦାରିତା ରହିଛି। କୁକୁଡ଼ା, ଗୋ ପାଳନ ଏବଂ ପନିପରିବା ଚାଷରେ ମହିଳାମାନଙ୍କର ଯଥେଷ୍ଟ ଅବଦାନ ରହିଛି। ମହିଳା ଚାଷୀଙ୍କୁ ଆଗକୁ ସରକାର ଅଗ୍ରାଧିକାର ଦେବେ। ମହିଳାମାନେ ଏବେ ସବୁ କ୍ଷେତ୍ରରେ ଆଗୁଆ ହେଲେଣି”, କହିଥିଲେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ମନ୍ତ୍ରୀ ଶ୍ରୀ ସାହୁ ଆହୁରି କହିଥିଲେ ଯେ, ଚଳିତ କୃଷି ଓଡ଼ିଶା ଚାଷୀମାନଙ୍କୁ ନୂଆ ବାର୍ତ୍ତା ଦେଇଛି। କୃଷି ଓଡ଼ିଶାରୁ ଫେରିବା ପରେ ଚାଷୀମାନେ ଉନ୍ନତ ପ୍ରଣାଳୀରେ ଚାଷ କରନ୍ତୁ।

ଫିଲିପାଇନ୍ସରୁ ଆସିଥିବା କୃଷି ବିଶେଷଜ୍ଞ ରଞ୍ଜିତା ପୁଷ୍କୋର କହିଥିଲେ, “ମହିଳାଙ୍କ ବିନା କୃଷିର ବିକାଶ ଅସମ୍ଭବ। କୃଷି କ୍ଷେତ୍ରରେ ମହିଳାମାନେ ବ୍ୟାପକ ପରିବର୍ତ୍ତନ ଆଣି ପାରିବେ। ବୈଜ୍ଞାନିକ କୌଶଳକୁ ଆପଣାଇ ମହିଳାମାନେ ଚାଷ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିପାରିବେ। ରାଜ୍ୟ ସରକାରଙ୍କ ନୂଆ କୃଷି ନୀତି ‘ସମୃଦ୍ଧି’ ଚାଷୀମାନଙ୍କୁ ଆଗକୁ ଯିବାରେ ଅଧିକ ପ୍ରେରଣା ଦେବ।”

‘କୃଷି ଓଡ଼ିଶା’ର ଚତୁର୍ଥ ଦିନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଡକ୍ଟର ପ୍ରମୋଦ କୁମାର ମେହର୍ଦ୍ଦା, ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ଆଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଏମ୍ ଥିରୁମାଲା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଦୁଇଟି ଆପ୍ ‘ରାଇସ୍ ଡକ୍ଟର’ଏବଂ ‘ରାଇସ୍ ନଲେଜ ବ୍ୟାଙ୍କ’ ଉନ୍ମୋଚିତ ହୋଇଥିଲା। ଚାଷୀମାନେ ଘରେ ବସି ଧାନ, ଡାଲି, ତୈଳବୀଜ ଚାଷ ଏବଂ ଉତ୍ପାଦନ ବିଷୟରେ ଜାଣିପାରିବେ। ଏହାସହ ଧାନରେ ରୋଗପୋକ ଚିହ୍ନଟ ସହ ଏହାର ନିରାକରଣ କିପରି କରାଯିବ ସେ ବିଷୟରେ ମଧ୍ୟ ଏହି ଆପ୍‌ରୁ ସୂଚନା ମିଳିବ।

ଗତ ତିନି ଦିନ ଭଳି ଚତୁର୍ଥ ଦିନରେ ମଧ୍ୟ ‘କୃଷି ଓଡ଼ିଶା’ ପାଠଶାଳାରେ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ‘କୃଷି ଉତ୍ପାଦର ମାନବୃଦ୍ଧି ଓ ଅଧିକ ଲାଭ ପାଇଁ ଦଳଗତ ଚାଷ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏଥିରେ ଏକ୍ସଆଇଏମ୍‌ବିର ପ୍ରଫେସର ଅମର ନାୟକ ଏବଂ ଓଡ଼ିଶା ଜଙ୍ଗଲ ଉନ୍ନୟନ ବିଭାଗର ତାଲିମ ଓ ପ୍ରସାର ଅଧିକାରୀ ଡକ୍ଟର ବିଜୟରାମ ସେନାପତି ଯୋଗ ଦେଇଥିଲେ। ଏଥିରେ ଦଳଗତ କୃଷିରେ ଚାଷୀ କିପରି ଲାଭାନ୍ୱିତ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା।

ସେହିପରି ଦ୍ୱିତୀୟ ଅଧିବେଶନରେ  ‘ଉତ୍ତମ ବଜାର ମୂଲ୍ୟ ପାଇବା ପାଇଁ ଅମଳ ପରବର୍ତ୍ତୀ ପରିଚାଳନା’ ଶୀର୍ଷକ ନେଇ ଆଲୋଚନା ହୋଇଥିଲା। ଏଥିରେ ଓୟୁଏଟି ସିଏଇଟି ବିଭାଗର ଅବସରପ୍ରାପ୍ତ ଡିନ୍ ପ୍ରଫେସର ଡକ୍ଟର କେ ଖାନ୍‌, ଓୟୁଏଟିର ଖାଦ୍ୟ ପ୍ରକ୍ରିୟାକରଣ ବିଭାଗର ମୁଖ୍ୟ ଡକ୍ଟର କଳ୍ପନା ରାଜଗୁରୁ ଓ ପ୍ରଫେସର ଚିନ୍ମୟ କିଶୋର ବାଖରା ପ୍ରମୁଖ ଯୋଗ ଦେଇଥିଲେ।

“ଆମ ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ ଓ ଅନ୍ୟାନ୍ୟ ସଂରକ୍ଷଣ ବ୍ୟବସ୍ଥାର ଅଭାବ ଯୋଗୁଁ ବହୁ ସମୟରେ ପନିପରିବା ଫଳ ନଷ୍ଟ ହେଉଛି। ଏହାକୁ ପ୍ରକ୍ରିୟାକରଣ କରି ଆମେ ଦେଶ ବିଦେଶରେ ବିକି ଲାଭାନ୍ୱିତ ହୋଇପାରିବା”, କହିଥିଲେ ଡକ୍ଟର ଖାନ୍।

ଏହାସହ କୃଷି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ କୃଷି ଯନ୍ତ୍ରାଂଶ ଏବଂ ବୈଷୟିକ ଜ୍ଞାନକୌଶଳକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଆବଶ୍ୟକ ହେଉଥିବା ଆର୍ଥିକ ସହାୟତା ଓ ବୀମା ସମ୍ପର୍କରେ ଆଉ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ କୃଷି ବିଶେଷଜ୍ଞଙ୍କ ସମେତ କୃଷି ସହ ଜଡ଼ିତ କମ୍ପାନିର ଅଧିକାରୀ ଏବଂ ବୀମା ଅଧିକାରୀମାନେ ଯୋଗ ଦେଇଥିଲେ।

Comment