ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ଗୋଷ୍ଠୀଗତ ଚାଷକୁ ନେଇ ଚତୁର୍ଥ ଦିନରେ ଜମିଲା ‘କୃଷି ଓଡ଼ିଶା’ ପାଠଶାଳା।

‘‘ଆମ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯେତେ ଅଧିକ କାର୍ଯ୍ୟକ୍ଷମ ହେବେ ସେତେ ଅଧିକ ରୋଜଗାର ସୃଷ୍ଟି ହେବ। ବେକାରୀ ସମସ୍ୟା ଦୂର ହେବ। ଯୁବକ ଯୁବତୀମାନେ ଏହି ଶିଳ୍ପ ସଂସ୍ଥାମାନଙ୍କରେ ନିଯୁକ୍ତି ପାଇବେ’’, କୃଷି ଓଡ଼ିଶା ପାଠଶାଳାରେ ଏହି ମତ ପ୍ରକାଶ ପାଇଥିଲା।

ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ‘କୃଷି ଓଡ଼ିଶା’ ରେ ଗୁରୁବାର ଥିଲା ଚତୁର୍ଥ ଦିନ। ପ୍ରତିଦିନ ପରି ଗୁରୁବାର ମଧ୍ୟ ପାଠଶାଳା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ‘ଉତ୍ତମ ବଜାର ମୂଲ୍ୟ ପାଇବା ପାଇଁ ଅମଳ ପରବର୍ତ୍ତୀ ପରିଚାଳନା’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା।

ଏଥିରେ ଭାଗ ନେଇଥିଲେ ସିଏଇଟିର ପୂର୍ବତନ ଡିନ୍ ପ୍ରଫେସର ଡକ୍ଟର କେ ଖାନ୍‌, ଓୟୁଏଟିର ଖାଦ୍ୟ ପ୍ରକ୍ରିୟାକରଣ ବିଭାଗର ମୁଖ୍ୟ ଡକ୍ଟର କଳ୍ପନା ରାଜଗୁରୁ ଓ ପ୍ରଫେସର ଚିନ୍ମୟ କିଶୋର ବାଖରା।

‘‘ଆମ ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ ଓ ଅନ୍ୟାନ୍ୟ ସଂରକ୍ଷଣ ବ୍ୟବସ୍ଥାର ଅଭାବ ଥିବାରୁ ବହୁ ସମୟରେ ପନିପରିବା ଓ ଫଳ ନଷ୍ଟ ହେଉଛି। ଏହାକୁ ପ୍ରକ୍ରିୟାକରଣ କରି ଆମେ ଦେଶ ବିଦେଶରେ ବିକ୍ରି କରି ଲାଭ ପାଇପାରିବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଅଧିକରୁ ଅଧିକ ଯୁବକ ଯୁବତୀ କର୍ମନିଯୁକ୍ତି ପାଇଲେ ବେକାରୀ ସମସ୍ୟର ବି ଦୂର ହୋଇ ପାରିବ’’, କହିଥିଲେ ଡକ୍ଟର କେ ଖାନ୍‌।

‘‘ସଜନା ଶାଗରେ ଯେତିକି ଲୌହସାର, ପୁଷ୍ଟିସାର ଅଛି ତାହା ଅନ୍ୟ କୌଣସି ଖାଦ୍ୟପଦାର୍ଥରେ ନ ନାହିଁ। ଏହି ସଜନା ପତ୍ରକୁ ଶୁଖାଇ ଗୁଣ୍ଡ କରିବା ପରେ ବହୁ ଦିନ ଯାଏଁ ସଂରକ୍ଷଣ କରି ରଖିହେବ। ସେହିପରି କୋବି, ଗାଜର, ସଜନା ଛୁଇଁକୁ ମଧ୍ୟ ପ୍ରକ୍ରିୟାକରଣ କରି ପ୍ରାୟ ୬ ମାସ ଯାଏଁ ବ୍ୟବହାର କରିହେବ। ଜଣେ ଯଦି ଚାହିଁବ ଏସବୁକୁ ସୁନ୍ଦର ପ୍ୟାକେଜିଂ କରି ବଜାରରେ ବିକ୍ରି କରିପାରିବ’’, କହିଥିଲେ ଡକ୍ଟର କେ ଖାନ୍‌।

ଡକ୍ଟର ଚିନ୍ମୟ କିଶୋର ବାଖରା ମହୁଲର ପ୍ରକ୍ରିୟାକରଣ ନେଇ ସୂଚନା ଦେଇଥିଲେ।

ଡକ୍ଟର କଳ୍ପନା ରାଜଗୁରୁ କହିଥିଲେ, ‘‘ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ତାଲିମ ଓ ରିହାତି ମୂଲ୍ୟରେ ଯନ୍ତ୍ରପାତି ଓୟୁଏଟି ପକ୍ଷରୁ ଯୋଗାଇ ଦିଆଯାଉଛି। ମାଣ୍ଡିଆ, ବାଜରାରୁ ପିଜା, ଚିପ୍ସ, ହେଲ୍‌ଥ ଡ୍ରିଙ୍କସ୍‌, ବର୍ଫି ଆଦି ପ୍ରସ୍ତୁତ କରାଯାଉଛି। ତେଣୁ ଏହାକୁ ନେଇ ଯେ କେହି ଏକ ବ୍ୟବସାୟ ପ୍ରତିଷ୍ଠାନ ଖୋଲି ପାରିବ।’’

ପାଠଶାଳାର ଦ୍ୱିତୀୟ ଅଧିବେଶନରେ ‘କୃଷି ଉତ୍ପାଦର ମାନବୃଦ୍ଧି ଓ ଅଧିକ ଲାଭ ପାଇଁ ଦଳଗତ ଚାଷ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା।

ଚାଷରେ ଯେଉଁ କାମ ଏକୁଟିଆ କରି ହୁଏନି ସେ କାମ ଦଳଗତ ଭାବେ ସହଜ ହୋଇଯାଏ। ଏକାକୀ ହଳ କରିବା, ବିହନ ବୁଣିବା, ପାଣିମଡାଇବା ଫସଲ କାଟିବା ଆଦି କରିବା ଏକୁଟିଆ କଷ୍ଟ ହୋଇଥାଏ। କିନ୍ତୁ ସେଇ କାମରେ ଯଦି ଏକାଧିକ ଲୋକଙ୍କ ସହଯୋଗ ମିଳିବ ତେବେ ଏସବୁ ସୁବିଧାରେ ହେଇଯାଏ। ତେଣୁ ଦଳଗତ ଚାଷରେ କାମ କମ୍‌ ଲାଭ ଅଧିକ ଥାଏ ବୋଲି ଅତିଥମାନେ ମତ ଦେଇଥିଲ।

ଏଥିରେ ଏକ୍ସଆଇଏମ୍‌ବିର ପ୍ରଫେସର ଅମର ନାୟକ ଏବଂ ଓଡ଼ିଶା ଜଙ୍ଗଲ ଉନ୍ନୟନ ବିଭାଗର ତାଲିମ ଓ ପ୍ରସାର ଅଧିକାରୀ ଡକ୍ଟର ବିଜୟରାମ ସେନାପତି ଯୋଗ ଦେଇଥିଲେ।

‘‘ସବୁବେଳେ ଜମିରେ ଗୋଟିଏ ପ୍ରକାର ଚାଷ ନ କରି ଏକାଧିକ ଚାଷ କରିବା ଉଚିତ। ଫଳରେ ଅଧିକ ଲାଭ ମିଳିପାରିବ। ଏଥି ସହ ଚାଷୀମାନେ ଗ୍ରାମ ସ୍ତରରେ, ବ୍ଲକ ସ୍ତରରେ କିମ୍ବା ଜିଲ୍ଲାସ୍ତରରେ କୃଷକ ଉତ୍ପାଦନ ସଂସ୍ଥା ଗଠନ କରି ପଞ୍ଜୀକରଣ କରିବାର ଆବଶ୍ୟକତା ରହିଛି। ଏଥିରେ ଅଧିକ ଲାଭ ମିଳିବାର ଆଶା ରହିଛି। ଏଥିରେ ପରସ୍ପର ସହ ଏକତା ରଖିବାର ଆବଶ୍ୟକତା ରହିଛି’’, କହିଥିଲେ ପ୍ରଫେସର ନାୟକ ।

ସେହିପରି ଡକ୍ଟର ବିଜୟରାମ ସେନାପତି କହିଥିଲେ, ‘‘ଦଳଗତ ଚାଷ ପରମ୍ପରା ଆମ ରାଜ୍ୟର ପଛୁଆ ଅଂଚଳରେ ବହୁତ ପୁରୁଣା। ଏଥିରେ ଖର୍ଚ୍ଚ କମ ଓ ଉତ୍ପାଦନ ଅଧିକ ହୋଇଥାଏ। ଏଥିରେ ଶ୍ରମ ବିଭାଜନର ସୁଯୋଗ ସୃଷ୍ଟି ହୋଇଥାଏ। କୃଷି ଯନ୍ତ୍ରପାତି କିଣିବାରେ ସାହସ ଜୁଟାଇ ହୋଇଥାଏ। କ୍ଷତି ଭୟ ଅପେକ୍ଷାକୃତ କମ୍‌ ଥାଏ।’’

Comment