ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଜାତୀୟ ହକି ଚାମ୍ପିୟନସିପ୍‌ରେ ଓଡ଼ିଶା ଦଳ ରାଜ୍ୟ ସରକାରଙ୍କ ତରଫରୁ ନୁହେଁ, ହକି ଓଡ଼ିଶାର ଦଳ ଭାବେ ଖେଳିବ ବୋଲି ହାଇକୋର୍ଟ ଆଜି ଅନ୍ତରୀଣ ଆଦେଶରେ ସ୍ପଷ୍ଟ କରିଛନ୍ତି। ଗତ ୨୧ ତାରିଖରେ ହାଇକୋର୍ଟ ଜାତୀୟ ହକି ଚାମ୍ପିୟନସିପ୍‌ର ଉଭୟ ପୁରୁଷ ଓ ମହିଳା ବର୍ଗରେ ହକି ଓଡିଶା ଖେଳିବ ବୋଲି ଆଦେଶ ଦେଇଥିଲେ। ଏହାସହ ହକି ଇଣ୍ଡିଆକୁ ଜବାବ ରଖିବାକୁ ଆଦେଶ ଦେଇଥିଲେ।

ମାମଲାର ଶୁଣାଣି ଅବସରରେ ଆଜି ହକି ଇଣ୍ଡିଆ ତା’ର ଜବାବ ଦାଖଲ କରିବା ସହ ହକି ଓଡିଶା ବ୍ୟାନରରେ ଓଡିଶା ହକି ଟିମ୍ ନଖେଳୁ ବୋଲି ପ୍ରାର୍ଥନା କରିଥିଲା। କିନ୍ତୁ ହାଇକୋର୍ଟ ଏହି ଆବେଦନକୁ ଆଗ୍ରାହ୍ୟ କରି ଓଡିଶାର ହକି ଟିମ୍ ହକି ଓଡିଶା ବ୍ୟାନରରେ ଖେଳିବ ବୋଲି ଆଦେଶ ଦେଇଛନ୍ତି। ହକି ଓଡିଶା ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି।

ହକି ଇଣ୍ଡିଆ ପକ୍ଷରୁ ପୁରୁଷ ହକି ଚାମ୍ପିୟନସିପ୍‌ ମ୍ୟାଚ୍ ଗତ ୨୩ ତାରିଖରୁ ଆରମ୍ଭ ହୋଇଛି। ଓଡିଶା ପୁରୁଷ ହକି ଟିମ୍‌ର ମ୍ୟାଚ ୨୫ ତାରିଖରେ ଏୟାର ଇଣ୍ଡିଆ ସହ ଅଛି। ଏହି ମ୍ୟାଚ୍ ଉତ୍ତରପ୍ରଦେଶର ଝାନ୍‌ସିଠାରେ ହେବ। ସେହିପରି ମହିଳା ହକି ଟିମ୍‌ର ମ୍ୟାଚ୍ ଆସନ୍ତା ୩୧ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଛି।

ଏହି ଚାମ୍ପିୟନ୍‌ସିପ୍‌ରେ ଭାଗ ନେବା ପାଇଁ ଆବେଦନ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ହକି ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ ଆସୋସିଏସନ୍‌କୁ କୁହାଯାଇଥିଲା। ଇ-ପୋର୍ଟାଲ ଜରିଆରେ ସମସ୍ତେ ଆବେଦନ କରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ଆବେଦନ କରିବାର ଶେଷ ତାରିଖ ଥିଲା ଡିସେମ୍ବର ୩୧ ତାରିଖ। କିନ୍ତୁ ଇ-ପୋର୍ଟାଲ ଜରିଆରେ ଓଡିଶା ସମେତ ଦେଶର ପ୍ରାୟ ୧୦ଟି ରାଜ୍ୟ ଆସୋସିଏସନ୍ ଆବେଦନ କରିବାରେ ବିଫଳ ହୋଇଥିଲେ।

ହେଲେ ପରେ ଚଳିତ ମାସ ୧୦ ତାରିଖ ସୁଦ୍ଧା ହକି ଇଣ୍ଡିଆକୁ ହକି ଓଡିଶା ପକ୍ଷରୁ ଉଭୟ ପୁରୁଷ ଏବଂ ମହିଳା ଖେଳାଳି ତାଲିକା ପଠାଯାଇଥିଲା। କିନ୍ତୁ ହକି ଇଣ୍ଡିଆ ଏହି ଆବେଦନକୁ ଖାରଜ କରିଦେବା ଫଳରେ ଜାତୀୟ ଚାମ୍ପିୟନସିପ୍‌ରେ ହକି ଓଡ଼ିଶା ଭାଗ ନେବାର ଆଶା ମଉଳି ଯାଇଥିଲା।

ହକି ଇଣ୍ଡିଆର ଏଭଳି ଏକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହକି ଓଡିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ହକି ଓଡିଶାକୁ ଖେଳିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆଜି ଏହି ଆଦେଶକୁ ଚ୍ୟାଲେଞ୍ଜ କରି ହକି ଇଣ୍ଡିଆ ଜବାବ ରଖିଥିଲା। ହକି ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା ଯେ, ଯଦି ଓଡିଶା ଟିମ୍ ଏହି ଚାମ୍ପିୟନ୍‌ସିପରେ ଖେଳିବ ତାହେଲେ ହକି ଓଡିଶାର ଦଳ ଭାବେ ନୁହେଁ ବରଂ ଓଡ଼ିଶା ସରକାରଙ୍କ ଦଳ ଭାବେ ଖେଳୁ।

ହେଲେ ଏହାକୁ ହକି ଓଡିଶା ପକ୍ଷରୁ ବିରୋଧ କରାଯାଇଥିଲା। ନିୟମ ଅନୁଯାୟୀ କୌଣସି ଟିମ୍ ସରକାରୀ ବ୍ୟାନର ତଳେ ଖେଳି ପାରିବ ନାହିଁ। ଏହା ବେଆଇନ୍। ଦ୍ଵିତୀୟତଃ ହକି ଓଡିଶା ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନ କରିନପାରିବାରୁ ତାକୁ ଖେଳିବାକୁ ସୁଯୋଗ ଦିଆଗଲା ନାହିଁ।

ଅନ୍ୟପକ୍ଷରେ ସିଏଜି(ସେଣ୍ଟ୍ରାଲ ଅଡିଟର ଜେନେରାଲ) ଟିମ୍ ଧାର୍ଯ୍ୟ ସମୟ ପରେ ପୋର୍ଟାଲ ଯୋଗେ ଆବେଦନ ନକରିଥିଲେ ମଧ୍ୟ ସେମାନଙ୍କ ଆବେଦନକୁ କିଭଳି ଗ୍ରହଣ କରାଗଲା ବୋଲି ହକି ଓଡିଶା ପକ୍ଷରୁ ଅଦାଲତରେ ପ୍ରଶ୍ନ କରାଯାଇଥିଲା। ହାଇକୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ପୂର୍ବ ଆଦେଶକୁ କାଏମ ରଖିବା ସହ ଓଡିଶାର ହକି ଖେଳାଳିମାନେ ହକି ଓଡିଶା ବ୍ୟାନରରେ ଖେଳିବେ ବୋଲି ଆଦେଶରେ ସ୍ପଷ୍ଟ କରିଛନ୍ତି।

Comment