ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶେଷ ହେଲା ‘କୃଷି ଓଡ଼ିଶା-୨୦୨୦’
  • ଜାନୁଆରି ୨୦ରୁ ୨୪ ଯାଏଁ ଚାଲିଲା ‘କୃଷି ମହୋତ୍ସବ’
  • ୨୧ରେ ସମବାୟ ଓ ବ୍ୟାଙ୍କିଙ୍ଗ୍‌ ଦିବସ
  • ୨୨ରେ ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ
  • ୨୩ରେ ମହିଳା ଦିବସ

ଶେଷ ହୋଇଛି କୃଷି ମହାକୁମ୍ଭ। ଜାନୁଆରି ୨୦ରୁ ୨୪ ତାରିଖ ଯାଏଁ ଚାଲିଥିବା କୃଷି ମହୋତ୍ସବରୁ ନୂଆ ଅନୁଭୂତି ଏବଂ ନୂଆ ଜ୍ଞାନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରି ଚାଷୀ ଫେରିଛନ୍ତି। ତେବେ ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷର କୃଷି ମହୋତ୍ସବ ଥିଲା ସ୍ୱତନ୍ତ୍ର।

ପାଞ୍ଚ ଦିନିଆ କୃଷି ମହୋତ୍ସବରୁ ମଝି ତିନି ଦିନକୁ ଦିଆଯାଇଥିଲା ସ୍ୱତନ୍ତ୍ର ଫୋକସ୍‌। ୨୧ ତାରିଖରେ ସମବାୟ ଓ ବ୍ୟାଙ୍କିଙ୍ଗ୍‌ ଦିବସ ରହିଥିବା ବେଳେ ୨୨ରେ ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ। ସେହିପରି ୨୩ରେ ରହିଥିଲା ମହିଳା ଦିବସ। ‘ଲାଭଜନକ କୃଷି ପାଇଁ ପ୍ରୟାସ’ ଥିମ୍‌କୁ ସାକାର କରିବା ପାଇଁ ଏହି ତିନି ଦିନରେ ସ୍ୱତନ୍ତ୍ର ଆଲୋଚନା କରାଯାଇଥିଲା।

ସମବାୟ ଓ ବ୍ୟାଙ୍କିଙ୍ଗ୍‌ ଦିବସ

ସମବାୟ ଏବଂ ଜାତୀୟ ବ୍ୟାଙ୍କଗୁଡ଼ିକର ସହଯୋଗ ବିନା ଚାଷ ଓ ଚାଷୀଙ୍କର ବିକାଶ ସମ୍ଭବ ନୁହେଁ। ଚାଷୀଙ୍କୁ ବ୍ୟାଙ୍କରୁ କିପରି ସୁବିଧାରେ କୃଷି ୠଣ ମିଳି ପାରିବ ତାକୁ ଦୃଷ୍ଟିରେ ରଖି ଗତ ୨୧ ତାରିଖରେ ‘କୃଷି ଓଡ଼ିଶା’ରେ ସମବାୟ ଓ ବ୍ୟାଙ୍କିଙ୍ଗ୍‌ ଦିବସ ପାଳନ କରାଯାଇଥିଲା।

“ଆମ ରାଜ୍ୟର ବିକାଶ ପ୍ରକ୍ରିୟା ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସମବାୟ ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି। ଗତ ୧୦୦ ବର୍ଷ ହେଲା ସମବାୟ ଅନୁଷ୍ଠାନ ଓଡ଼ିଶାର ପ୍ରଗତିରେ ସାମିଲ ହୋଇ ଆସିଛି। ମୋଟ କୃଷି ଋଣ ବାବଦରେ ଯେତିକି ଟଙ୍କା ଦିଆଯାଉଛି ସେଥିରୁ ୭୦ ପ୍ରତିଶତ ସମବାୟ ଅନୁଷ୍ଠାନ ତରଫରୁ ଦିଆଯାଉଛି’’, କହିଥିଲେ ରାଜ୍ୟ ସମବାୟ, ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

୨୨ ତାରିଖରେ ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଚାଷୀମାନେ ବି ଉପସ୍ଥିତ ଥିଲେ। ଜାତୀୟ ବ୍ୟାଙ୍କଗୁଡ଼ିକ କୃଷି ୠଣ ପରିମାଣ ବୃଦ୍ଧି କରିବା ପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କରୁ ୠଣ ଆଣିବା ବେଳେ ଚାଷୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେନେଇ ଆଲୋଚନା ହୋଇଥିଲା। ୠଣ ଦେବାରେ କ’ଣ ଅସୁବିଧା ରହିଛି ସେ ସମ୍ପର୍କରେ ବ୍ୟାଙ୍କ ଅଧିକାରୀମାନେ ମଧ୍ୟ ମତ ରଖିଥିଲେ।

ଏହି ଆଲୋଚନାରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତିର ଆବାହକ ସଞ୍ଜୟ କୁମାର, ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରର ଜେନେରାଲ୍ ମ୍ୟାନେଜର ସୋନାଲି ଦାସ ପ୍ରମୁଖ ଭାଗ ନେଇଥିଲେ।

ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ

କୃଷି କ୍ଷେତ୍ରକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଖାତାରେ ଯୋଜନାର ଅଭାବ ନାହିଁ। ହେଲେ ଗାଁ ଗହଳିର ଚାଷୀଙ୍କ ପାଖରେ ଏହି ଯୋଜନା ଠିକ୍‌ରେ ପହଞ୍ଚି ପାରୁନି। ଏଣୁ ସରକାରଙ୍କ ଯୋଜନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରିବା ପାଇଁ ପ୍ରତି ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିଙ୍କୁ ଗୁରୁ ଦାୟିତ୍ୱ ଦେବା ଲକ୍ଷ୍ୟରେ ୨୨ ତାରିଖରେ ଅନୁଷ୍ଠିତ ହୋଇଥିଲା ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସରକାରଙ୍କ ଯୋଜନା ସମ୍ପର୍କରେ ଚାଷୀଙ୍କୁ ଜଣାଇବା ପାଇଁ ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ସମସ୍ତେ ଦାୟିତ୍ୱ ନେବାକୁ ମନ୍ତ୍ରୀ କହିଥିଲେ। ଏହାସହ ପ୍ରତି ବ୍ଲକରେ କୃଷିକୁ ନେଇ ସ୍ୱତନ୍ତ୍ର ବୈଠକ ହେବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଗଠନ ହୋଇଛି ଉତ୍ପାଦକ ଗୋଷ୍ଠୀ। ଏହି ଉତ୍ପାଦକ ଗୋଷ୍ଠୀମାନେ ଯେଉଁ ଉତ୍ପାଦ କରୁଛନ୍ତି ତାର ବଜାର ସଂଯୋଗ ପାଇଁ ପଞ୍ଚାୟତିରାଜ ବିଭାଗ ସହଯୋଗର ହାତ ବଢ଼ାଇଛି। ଓର୍‌ମାସ୍‌ ସହାୟତାରେ ଏହି ଉତ୍ପାଦକୁ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଥିଲେ।

ମହିଳା ଦିବସ

ମହିଳା ଆଉ ଘର କୋଣରେ ବସି ରହୁ ନାହାନ୍ତି। ବିଭିନ୍ନ କ୍ଷେତ୍ରରେ ମହିଳାମାନେ ନିଜର ପାରଦର୍ଶିତା ଦେଖାଇବା ପରେ ଚାଷରେ ବି ସେମାନେ ଦକ୍ଷତା ଦେଖାଉଛନ୍ତି। ବହୁ ମହିଳା ଚାଷୀ ଚାଷ କାମ କରି ସଫଳ ହୋଇଛନ୍ତି। ଏଣୁ ମହିଳା ଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ‘କୃଷି ଓଡ଼ିଶା’ର ଚତୁର୍ଥ ଦିନକୁ ମହିଳା ଦିବସ ଭାବେ ନାମିତ କରାଯାଇଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୁରୁଷଙ୍କ ସହ ମହିଳାମାନେ ହାତ ମିଳାଇଲେ କୃଷି କ୍ଷେତ୍ର ଆଗକୁ ଯିବ ବୋଲି ସେ କହିଥିଲେ।

‘‘ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ମହିଳା ଚାଷ କରୁଛନ୍ତି। ଚାଷକୁ ଆଗକୁ ନେବାରେ ମହିଳାମାନଙ୍କର ବଡ଼ ଯୋଗଦାନ ରହିଛି। ଧାନ ରୋଇବାଠାରୁ ଆରମ୍ଭ କରି ମଣ୍ଡିରେ ଧାନ ଉଠାଇବା ପର୍ଯ୍ୟନ୍ତ କାମ ମହିଳା କରୁଛନ୍ତି। କୁକୁଡ଼ା ପାଳନ, ଗୋ ପାଳନ କରି ମହିଳା ସ୍ୱାବଲମ୍ବୀ ହୋଇଛନ୍ତି’’, କହିଥିଲେ ଟୁକୁନି ସାହୁ।

Comment