ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଛାତ ଭୁଶୁଡ଼ି ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ମୃତ୍ୟୁ ଘଟିଛି।

“ମୋ ପୁଅ କଥା ଟିକେ ବୁଝିବେ। ସ୍ୱାମୀ ତ ଚାଲିଗଲେ, ଏବେ ପୁଅକୁ କେମିତି ମଣିଷ କରିବି? ପାଞ୍ଚ ପାଞ୍ଚଟା ଝିଅଙ୍କ ବାହାଘର କେମିତି କରିବି? ସେ ହିଁ ମୋର ଏକମାତ୍ର ବଳ ଥିଲେ”, ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ସ୍ତ୍ରୀ ବାହୁନି ବାହୁନି ଏପରି କିଛି ଦୁଃଖଦପୂର୍ଣ୍ଣ କଥା କହିଛନ୍ତି।

ଶୁକ୍ରବାର ମଧ୍ୟରାତ୍ରିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନିର୍ମାଣଧୀନ ଏକ ଛାତ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ସେଠାରେ କାମ କରୁଥିବା ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ମୃତ୍ୟୁ ଘଟିଛି। ଏହାପରେ ତାଙ୍କର ମୃତ ଦେହ ପାଇବାକୁ ଏବେ ତାଙ୍କର ପରିବାର ଲୋକ କ୍ୟାପିଟାଲ୍ ହସ୍ପିଟାଲ ଆସିଛନ୍ତି।

ଅନ୍ୟପଟେ ଅନ୍ତର୍ଯ୍ୟାମୀଙ୍କ ପରିବାର ଲୋକେ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ଅନ୍ତର୍ଯ୍ୟାମୀଙ୍କ ଉପରେ ତାଙ୍କର ପୂରା ପରିବାର ନିର୍ଭର କରୁଥିଲା। ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁ ପରେ ଏବେ ତାଙ୍କର ପରିବାର ଲୋକ ଅନାଥ ହୋଇଯାଇଛନ୍ତି ବୋଲି ପରିବାର ସହ ଗାଁ’ରୁ ଆସିଥିବା ସାଥୀ ଭାଇମାନେ କହିଛନ୍ତି। ଅନ୍ତର୍ଯ୍ୟାମୀଙ୍କ ପାଞ୍ଚ ପାଞ୍ଚଟା ଅବିବାହିତ ଝିଅ ଥିବାବେଳେ ପୁଅଟିଏ ମଧ୍ୟ ଅଛି। ତେଣୁ ସେମାନଙ୍କୁ କିଭଳି ମଣିଷ କରିବେ ସେଥିପାଇଁ ତାଙ୍କୁ କିଛି ବାଟ ଦିଶୁନି ବୋଲି କହିଛନ୍ତି ଅନ୍ତର୍ଯ୍ୟାମୀଙ୍କ ସ୍ତ୍ରୀ।

ଅନ୍ୟପଟେ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ଖୁବଶୀଘ୍ର ଯାଞ୍ଚ ଶେଷ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଦାବି କରିଛନ୍ତି।

Comment