ଓଡ଼ିଶାଲାଇଭ୍ ବ୍ୟୁରୋ

“ରାଷ୍ଟ୍ର ଗଠନର ମୂଳାଧାର ହେଉଛନ୍ତି ଜନସାଧାରଣ। ଆମ ଭାରତୀୟ ସମ୍ବିଧାନ ଆମକୁ ଏହି ମହାନ ଗଣତାନ୍ତ୍ରିକ ଉତ୍ସବରେ ସାମିଲ କରିପାରିଛି। ଏଥିସହିତ ବସୁଧୈବ କୁଟୁମ୍ବକମ ନୀତି ଆମକୁ ବିଶ୍ୱଠାରୁ ଭିନ୍ନ କରିପାରିଛି”, ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ରବିବାର ସାରା ଦେଶରେ ୭୧ତମ ଗଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି। ଏହାପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୀବନ ଆମକୁ ପ୍ରେରଣା ଯୋଗାଇ ଚାଲିଛି। ଗାନ୍ଧୀଜୀଙ୍କ ପ୍ରତିଟି ଚିନ୍ତାଧାରା ଆଜି ବି ଆମକୁ ଅନେକ ଅସୁବିଧାର ସମାଧାନ ବାଟ ଦେଖାଇଥାଏ ବୋଲି କହିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଏହି ଅବସରରେ ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ, “ସାରା ଦେଶର ସୁରକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସରକାର ଗତ ସାତ ଦଶକ ଧରି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।”ସ୍ୱଚ୍ଛ ଭାରତ ମିଶନ, ଆୟୁଷ୍ମାନ ଯୋଜନା ଭଳି କେନ୍ଦ୍ର ସରକାରଙ୍କ ଅନେକ କାର୍ଯ୍ୟକୁ ରାଷ୍ଟ୍ରପତି ତାଙ୍କର ଅଭିଭାଷଣରେ ପ୍ରଂଶସା କରିଥିଲେ। ଏହାଦ୍ୱାରା ଦେଶର ଗରିବ ପରିବାରମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି ବୋଲି କହିଥିଲେ ରାଷ୍ଟ୍ରପତି।

“ସାରା ବିଶ୍ୱ ପାଇଁ ଶିକ୍ଷାକ୍ଷେତ୍ରରେ ଭାରତ ମାର୍ଗଦର୍ଶକ ସାଜିଛି। ନାଳନ୍ଦା ଓ ତକ୍ଷଶୀଳା ଭଳି ଶିକ୍ଷାନୁଷ୍ଠାନ ହେଉଛି ଏହାର ପ୍ରକୃତ ଉଦାହରଣ। ଶିକ୍ଷା ହିଁ ଦେଶକୁ ସଶକ୍ତ କରିପାରିବା ସହ ଯୁବବର୍ଗଙ୍କୁ ସଠିକ୍ ରାସ୍ତା ଦେଖାଇପାରିବ”, କହିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଏଥିସହିତ କ୍ରୀଡ଼ା, ଦେଶର ସୁରକ୍ଷା ଆଦି ବିଭିନ୍ନ ବିଷୟକୁ ରାଷ୍ଟ୍ରପତି ନିଜର ଅଭିଭାଷଣରେ ସ୍ଥାନ ଦେଇଥିଲେ। ଶେଷରେ ରାଷ୍ଟ୍ରପତି ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ଶେଷ କରିଥିଲେ।

Comment