ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ରାଜ୍ୟରେ ଡାକ୍ତର ସଙ୍କଟ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ୧୪୦୩ ଜଣଙ୍କୁ ମେଡିକାଲ୍ ଅଫିସର୍ (ଆସିଷ୍ଟାଣ୍ଟ ସର୍ଜନ) ଭାବେ ନିଯୁକ୍ତି ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୁପାରିସ୍ କରାଯାଇଛି। ନିଯୁକ୍ତି ପାଇବାକୁ ଥିବା ଡାକ୍ତରଙ୍କ ତାଲିକା ଓପିଏସ୍‌ସିର ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଛି।

ଓପିଏସ୍‌ସି ପକ୍ଷରୁ ମୋଟ ୩,୨୭୮ଟି ଡାକ୍ତର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୯ ନଭେମ୍ବର ୧୬ରୁ ଡିସେମ୍ବର ୫ ତାରିଖ ମଧ୍ୟରେ ଆଶାୟୀମାନଙ୍କଠାରୁ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା। ଆବେଦନପତ୍ର ମିଳିବା ପରେ ପରୀକ୍ଷା ହୋଇଥିଲା।

ଏହାପରେ ୧୪୦୩ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ସୁପାରିସ କରାଯାଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ତେବେ ଏହି ନିଯୁକ୍ତି ପ୍ରକ୍ରିୟାକୁ ଚାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇ ଏବେ ବିଚାରାଧୀନ ଥିବା ଦୃଷ୍ଟିରୁ ଏହି ନିଯୁକ୍ତିର ବୈଧତା ଓ ଭବିଷ୍ୟତ ଉକ୍ତ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି ଓପିଏସ୍‌ସି ଉଲ୍ଲେଖ କରିଛି। ଏବେ ଓଡ଼ିଶାରେ ଡାକ୍ତରଙ୍କ ଆବଶ୍ୟକତା ଅନୁସାରେ ଡାକ୍ତର ନଥିବାରୁ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଂକଟଜନକ ସ୍ଥିତି ଲାଗି ରହିଛି। ଏଭଳି ସମୟରେ ଏତେ ସଂଖ୍ୟକ ଡାକ୍ତରଙ୍କୁ ନିଯୁକ୍ତି ମିଳିବା ସଙ୍କଟକୁ କେତେକାଂଶରେ ସମାଧାନ କରିବ ବୋଲି ଆଶା କରାଯାଉଛି।

Comment