ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓୟୁଏଟି ଫାର୍ମରୁ ମରାଗଲା ସବୁ କୁକୁଡ଼ା
  • ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ମରାଗଲା କୁକୁଡ଼ା
  • ଗଭୀର ଗାତ ଖୋଳି କୁକୁଡ଼ା ପୋତାଗଲା
  • ଚିଲିକାରୁ ସଂଗ୍ରହ ହେଲା ନମୂନା
  • ନନ୍ଦନକାନନ ପକ୍ଷୀ ବିହାର ବନ୍ଦ

କୋରୋନାକୁ ନେଇ ସାରା ଦେଶରେ ଆତଙ୍କ ଖେଳି ଯାଇଥିବା ବେଳେ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଭୟ ପୁଣି ଲେଉଟିଛି। ଓୟୁଏଟି ରିସର୍ଚ୍ଚ ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ରାଜଧାନୀରେ ଭୟ ବଢ଼ିଛି।

ତେବେ ବାର୍ଡ ଫ୍ଲୁ ଯେମିତି ନବ୍ୟାପିବ ସେଥିପାଇଁ ଓୟୁଏଟି ପକ୍ଷରୁ ମଙ୍ଗଳବାର ଦିନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓୟୁଏଟି ଫାର୍ମ ସମେତ ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଯେତେ କୁକୁଡ଼ା ଥିଲେ ସେମାନଙ୍କୁ ମରା ଯାଇଛି।

କୁକୁଡ଼ାମାନଙ୍କୁ ମାରି ଓୟୁଏଟି ପରିସରରେ ଗଭୀର ଗାତ ଖୋଳାଯାଇ ପୋତା ଯାଇଛି। ପୋତିବା ବେଳେ ଚୂନ, ବ୍ଲିଚିଂ ଏବଂ ଲୁଣ ମଧ୍ୟ ପକାଯାଇଛି।

କୁକୁଡ଼ା ମାରିବା ପାଇଁ ୧୨ଟି ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ କୁକୁଡ଼ାକୁ ଖୋଜି ଖୋଜି ମାରୁଥିଲେ। ଓୟୁଏଟି ନିକଟବର୍ତ୍ତୀ ବସ୍ତି, ଚିକେନ କାଉଣ୍ଟର ଆଦିରୁ କୁକୁଡ଼ାଙ୍କୁ ମରାଯାଇଥିଲା। ଏ ବାବଦରେ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଇଛି।

ଭୁବନେଶ୍ୱରରେ କୁକୁଡ଼ା ମରା ଅଭିଯାନ ଚାଲିଥିବା ବେଳେ ଚିଲିକାରୁ ବିଦେଶୀ ପକ୍ଷୀଙ୍କ ଲାଳ ଏବଂ ମଳ ନମୁନା ସଂଗ୍ରହ କରାଯାଇ ଫୁଲନଖରାସ୍ଥିତ ଲାବରୋଟେରୀକୁ ପଠାଯାଇଛି।

ପୂର୍ବରୁ ୨୨୭୫ ପକ୍ଷୀଙ୍କ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପରାଯାଇଥିଲା। ହେଲେ ରିପୋର୍ଟରେ ବାର୍ଡ ଫ୍ଲୁ ସଙ୍କେତ ନଥିଲା। ଏବେ ଓୟୁଏଟି ଫାର୍ମରୁ ବାର୍ଡ ଫ୍ଲୁ ଚିହ୍ନଟ ପରେ ଚିଲିକାରୁ ପୁଣିଥରେ ପକ୍ଷୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ଗତ ତିନି ଦିନ ତଳେ ଓୟୁଏଟି ଫାର୍ମରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିଲା। ଏହାର କାରଣ ଜାଣିବା ପାଇଁ ନମୂନା ଭୋପାଳାସ୍ଥିତ ଲାବୋରେଟୋରୀକୁ ପଠାଯାଇଥିଲା। ଗତ ସୋମବାର ଦିନ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଓୟୁଏଟି କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଥିଲେ।

Comment