ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୮୧ ବର୍ଷ ବୟସରେ ପଦାର୍ପଣ କଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ
  • ଭୁବନେଶ୍ୱରରେ ‘ଅଶୀରେ ବସନ୍ତ ଉତ୍ସବ’
  • ଲୋକାର୍ପଣ ହେଲା ‘ଅଶୀରେ ବସନ୍ତ’ ପୁସ୍ତକ
  • ଶୁଭେଚ୍ଛା ଜଣାଇଲେ ବହୁ ରାଜନେତା, ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତି

୮୧ ବର୍ଷ ବୟସରେ ପଦାର୍ପଣ କଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ। ଏହି ଉପଲକ୍ଷେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ‘ଅଶୀରେ ବସନ୍ତ ଉତ୍ସବ’।

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ସମ୍ମାନିତ ଅତିଥି ଭାବେ  ଯୋଗ ଦେଇଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ବିମଳେନ୍ଦୁ ମହାନ୍ତି, ଭାଷାବିତ୍‌ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ମିଡିଆ ଏକାଡେମୀ ଉପସଭାପତି ପ୍ରଦୋଷ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର।

‘‘ବସନ୍ତ ଦାସ ହେଉଛନ୍ତି ଜଣେ ନିଆରା ବ୍ୟକ୍ତିତ୍ୱ। ତାଙ୍କ ଜୀବନଶୈଳୀ ଯେମିତି ସରଳ ବୃତ୍ତିଗତ ଜୀବନରେ ମଧ୍ୟ ସେ ନିଷ୍ଠାପର ଭାବେ କାମ କରନ୍ତି। ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର। ଓଡ଼ିଶା ରାଜନୀତି ସମ୍ପର୍କରେ ସେ ଯେଉଁ ପୁସ୍ତକ ରଚନା କରିଛନ୍ତି ତାହା ରାଜନୀତି ଜଗତ ପାଇଁ ଅମୂଲ୍ୟ ରତ୍ନ’’, କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ, ରାଜନୀତି ହେଉଛି ଶ୍ରେଷ୍ଠ ନୀତି। ରାଜନୀତିକୁ ଘୃଣା କରିବା ଠିକ୍‌ ନୁହେଁ। ରାଜନୀତି କ୍ଷେତ୍ରକୁ ଶିକ୍ଷିତ ଏବଂ ବୁଦ୍ଧିଜୀବୀ ଶ୍ରେଣୀର ଲୋକ ପ୍ରବେଶ କଲେ ହିଁ ସମାଜରେ ପରିବର୍ତ୍ତନ ଆସି ପାରିବ। କଳୁଷିତ ଏବଂ ମୁଷ୍ଟିମେୟ ଲୋକଙ୍କ ହାତରେ ରାଜନୀତି ପରିଚାଳିତ ହେଉଛି ବୋଲି ଯେଉଁ ଆଲୋଚନା ହେଉଛି ସେଥିରେ ପୂର୍ଣ୍ଣଛେଦ ପକାଇବାକୁ ହେଲେ ଭଲ ଲୋକମାନେ ରାଜନୀତିକୁ ଆସିବା ଦରକାର।

‘‘ବସନ୍ତ ବାବୁ ହେଉଛନ୍ତି ଜଣେ ସରଳ ମଣିଷ। ସେ କାହା ବିରୋଧରେ କୁତ୍ସାରଟନା କରନ୍ତି ନାହିଁ କି କାହା ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରନ୍ତି ନାହିଁ। ଓଡ଼ିଶା ରାଜନୀତିକୁ ସେ ଅତି ନିକଟରୁ ଦେଖିଛନ୍ତି। ବୃତ୍ତିଗତ ଜୀବନରେ ସେ ବହୁ ଉତ୍ଥାନ ପତ୍ତନ ଦେଇ ଗତି କରିଛନ୍ତି। ତାଙ୍କ ଆଗାମୀ ଜୀବନ ସୁଖମୟ ହେଉ ଏବଂ ସେ ଦୀର୍ଘାୟୁ ହୁଅନ୍ତୁ’’, କହିଛନ୍ତି ନରସିଂହ ମିଶ୍ର।

ଏହି ଅବସରରେ ‘ଅଶୀରେ ବସନ୍ତ’ ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଏହି ପୁସ୍ତକରେ ବସନ୍ତ ଦାସଙ୍କ ସମ୍ପର୍କରେ ୮୧ଟି ନିର୍ବାଚିତ ଲେଖା ସ୍ଥାନ ପାଇଛି।

‘୮୦ ବର୍ଷ ଭିତରେ ଅନେକ ଝଡ଼ଝଞ୍ଜାର ସାମ୍ନା କରିବାକୁ ପଡ଼ିଛି। ଏସବୁ ଭିତରେ ସାମ୍ବାଦିକତାକୁ ମୁଁ ପର କରିନି। ସାମ୍ବାଦିକତା ମୋ ସହିତ ଅଛି ଏବଂ ମୁଁ ମଧ୍ୟ ସାମ୍ବାଦିକତା ସହିତ ଅଛି। ୫୫ ବର୍ଷର ସାମ୍ବାଦିକତା କ୍ୟାରିଅର ଭିତରେ ମୁଁ ଅନେକ କିଛି ଶିଖିବାକୁ ପାଇଛି। ବର୍ତ୍ତମାନ ଯେଉଁ ଯୁବକମାନେ ସାମ୍ବାଦିକତା କ୍ଷେତ୍ରକୁ ଆସୁଛନ୍ତି ସେମାନେ କେବେ ହାର ମାନନ୍ତୁ ନାହିଁ। ମନରେ ସାହସ ଓ କାମ କରିବାର ଆଗ୍ରହ ରଖି ଆଗକୁ ବଢ଼ନ୍ତୁ’’, କହିଛନ୍ତି ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ।

୮୦ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ବସନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜୟନ୍ତୀ କମିଟି ପକ୍ଷରୁ ତାଙ୍କୁ ସାମ୍ବାଦିକ ଶିରୋମଣୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ ବହୁ ବିଶିଷ୍ଟ ରାଜନେତା, ବରିଷ୍ଠ ସାମ୍ବାଦିକ, ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତିବିଶେଷ ଏବଂ ବହୁ ଶୁଭେଚ୍ଛୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

୧୯୪୦ ମସିହା ଜାନୁଆରି ୨ରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକର ମଇନ୍ଦିପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ ବସନ୍ତ ଦାସ। ପିଲାଟି ଦିନରୁ ମା’ଙ୍କୁ ହରାଇଥିବା ବସନ୍ତଙ୍କ ପ୍ରାଥମିକ ଶିକ୍ଷା ଶେଷ ହୋଇଥିଲା ଗାଁ ସ୍କୁଲରେ। ପରେ ବାଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ଶେଷ କରି କଟକ ଚାଲି ଆସିଥିଲେ ବସନ୍ତ।

ପ୍ୟାରିମୋହନ ଏକାଡେମୀ ସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ବିଏ ପାଠ ଶେଷ କରିଥିଲେ ବସନ୍ତ। ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍‌ଏ ପାସ୍‌ କରିଥିଲେ ସେ। ୧୯୬୪ ମସିହାରେ ହୋଇଥିବା ଛାତ୍ର ଆନ୍ଦୋଳନରେ ମଧ୍ୟ ବସନ୍ତ ସାମିଲ ହୋଇଥିଲେ।

କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ଶିକ୍ଷା ଗ୍ରହଣ କରୁଥିବା ବେଳେ ବସନ୍ତ ସାମ୍ବାଦିକତା କ୍ଷେତ୍ର ପ୍ରତି ମନ ବଳାଇଥିଲେ। ‘ପ୍ରଜାତନ୍ତ୍ର’ ଏବଂ ‘ଇଷ୍ଟର୍ଣ୍ଣ ଟାଇମ୍ସ’ର ତତ୍କାଳୀନ ସମ୍ପାଦକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ବସନ୍ତ। ପରେ ସେ ସାମ୍ବାଦିକତାକୁ ବୃତ୍ତି ଏବଂ ପ୍ରବୃତ୍ତି ଭାବେ ଆପଣାଇ ନେଇଥିଲେ। ଦୈନିକ ଇଂଲିସ ଖବରକାଗଜ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।

୧୯୬୬ରୁ ୬୮ ଯାଏଁ କଟକରୁ ପ୍ରକାଶିତ ହେଉଥିବା ଦୈନିକ ‘ଜନଶକ୍ତି’ର ସହସମ୍ପାଦକ ଏବଂ ସ୍ୱତନ୍ତ୍ର ପ୍ରତିନିଧି ରହିଥିଲେ ବସନ୍ତ। ୧୯୬୮ରୁ ୭୧ ଯାଏଁ ‘ଅମୃତ ବଜାର’ ପତ୍ରିକାର ସାମୟିକ ପ୍ରତିନିଧି, ୧୯୭୧ରୁ ୭୨ ଯାଏଁ ‘ସ୍ୱରାଜ୍ୟ’ର ସହ ସମ୍ପାଦକ, ୧୯୭୧ରୁ ୭୯ ଯାଏଁ ‘ଅମୃତ ବଜାର’ ପତ୍ରିକା ଏବଂ ‘ଯୁଗାନ୍ତର’ର ଭୁବନେଶ୍ୱର ପ୍ରତିନିଧି, ୧୯୭୯ରୁ ୮୭ ଯାଏଁ  କଟକ ପ୍ରତିନିଧି ଏବଂ ୧୯୮୭ରୁ ୯୪ ଯାଏଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ।

୧୯୯୪ରୁ ୯୬ ଯାଏଁ ‘ପତ୍ରିକା ଗ୍ରୁପ୍‌ ଅଫ୍ ପେପର’ର ଓଡ଼ିଶା ବ୍ୟୁରୋ ଚିଫ୍‌ ରହିଥିଲେ ବସନ୍ତ। ୧୯୯୬ ମସିହାରେ ସାପ୍ତହାକ ‘ଅନୁସନ୍ଧା’ ପ୍ରକାଶ କରୁଥିଲେ ବସନ୍ତ। ଏହାର ସେ ସମ୍ପାଦକ ଥିଲେ। ୨୦୦୨ ଯାଏଁ ସେ ଏହାର ସମ୍ପାଦକ ରହିଥିଲେ। ୨୦୦୨ରୁ ବସନ୍ତ ଦାସ ଜଣେ ମୁକ୍ତ ବୃତ୍ତ ସାମ୍ବାଦିକ ଏବଂ ସ୍ତମ୍ଭକାର ଭାବେ ସକ୍ରିୟ ଅଛନ୍ତି। ଜଣେ ରାଜନୀତିକ ବିଶ୍ଲେଷକ ଭାବେ ବସନ୍ତ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Comment