ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପରଓଭରର ଶେଷ ଦୁଇ ବଲରେ ଦୁଇଟି ଛକା ସହ ତୃତୀୟ ଟି-୨୦ରେ ଜିତାପଟ ହାସଲ କରିଛି ଟିମ୍ ଇଣ୍ଡିଆ। ଏଥିସହିତ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟି-୨୦ ସିରିଜ ବିଜୟର ସ୍ୱାଦ  ଚାଖିଛି ଭାରତୀୟ ଟିମ୍।

ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ଖେଳାଯାଇଥିଲା। ଏହି ମ୍ୟାଚରେ ଦୁଇଟି ଯାକ ଇଂନିସର ସ୍କୋର ସମାନ ରହିବା କାରଣରୁ ସୁପରଓଭରର ସାହାଯ୍ୟ ନିଆଯାଇଥିଲା। ସୁପରଓଭରରେ କିନ୍ତୁ ବାଜିମାରିନେଇଛି ଟିମ୍ ଇଣ୍ଡିଆ।ବିରାଟ ବାହିନୀକୁ ସୁପରଓଭରରେ ୧୮ ରନର ଆବଶ୍ୟକତା ଥିଲା। ପ୍ରଥମ ଚାରୋଟି ବଲରେ ୮ ରନ୍ ହୋଇପାରିଥିଲା। ଏହାପରେ ଶେଷ ଦୁଇଟି ବଲରେ ଟିମ୍ ଇଣ୍ଡିଆ ବିଜୟ ପାଇଁ ୧୦ ରନ୍ ଆବଶ୍ୟକ କରୁଥିଲା। ଏହି ସମୟରେ ଷ୍ଟ୍ରାଇକରେ ରହିଥିଲେ ହିଟ୍ ମ୍ୟାନ ରୋହିତ ଶର୍ମା। ସୁପରଓଭରର ଶେଷ ଦୁଇ ବଲକୁ ବାଉଣ୍ଡ୍ରି ବାହାରକୁ ପଠାଇଦେବା ସହ ସିରିଜ ଭାରତକୁ ବିଜୟ ଭେଟି ଦେଇଥିଲେ ରୋହିତ।

ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ଆଗୁଆ କବଜା କରିନେଇଛି ବିରାଟ ବାହିନୀ। ଏପରିକି ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିଛି ଭାରତୀୟ ଟିମ୍। ଏହାପୂର୍ବରୁ ଭାରତ ନ୍ୟୁଜିଲାଣ୍ଡ ମାଟିରେ କୌଣସି ଟି-୨୦ ସିରିଜ୍ ଜିତିନଥିଲା।

Comment