ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନ ପରେ ଦିନ ଗଡୁଛି। କେବେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ଫେବ୍ରୁଆରି ୧ ନା ଆଉ କେବେ?

ବହୁ ଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ମାମଲାର ଅନ୍ତ କେବେ? ନିର୍ଦ୍ଧାରିତ ତାରିଖ ଫେବ୍ରୁଆରି ୧ରେ ୪ ଦୋଷୀ ଫାଶୀ ପାଇବେ ତ? ଫାଶୀ ତାରିଖ ଆଉ ଘୁଞ୍ଚିବ ନାହିଁ ତ? ଏମିତି କିଛି ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି।

ଏମିତି ପ୍ରଶ୍ନ ଲୋକଙ୍କ ମନରେ ଉଠିବା ସ୍ୱାଭାବିକ। କାରଣ କୋର୍ଟ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଯେଉଁ ତାରିଖ ଦେଉଛନ୍ତି ତାକୁ ନେଇ ବ୍ୟତିକ୍ରମ ଦେଖାଦେଉଛି। ଜଣକ ପରେ ଜଣେ ଦୋଷୀ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରୁଥିବାରୁ ଫାଶୀ ଖୁଣ୍ଟ ଘୁଞ୍ଚି ଘୁଞ୍ଚି ଯାଉଛି।

ଏପଟେ ଦିନ ପରେ ଦିନ ଗଡୁଥିବାରୁ ନିର୍ଭୟା ପୀଡ଼ିତାଙ୍କ ପରିବାର ନ୍ୟାୟିକ ବ୍ୟବସ୍ଥା ଉପରୁ ଭରସା ତୁଟାଉଛନ୍ତି। ଏପରିସ୍ଥଳେ କେବେ ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ତାକୁ ହିଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀ ବିନୟ ଶର୍ମା, ମୁକେଶ, ପବନ ଏବଯ ଅକ୍ଷୟ ସିଂ ୨୦୨୦ର ନୂଆ ସୂର୍ଯ୍ୟୋଦୟ ଦେଖି ପାରିବେ ନାହିଁ ବୋଲି ଆଲୋଚନା ହେଉଥିଲା। ଏହି ଦୋଷୀଙ୍କୁ ୨୦୨୦ ପୂର୍ବରୁ ଫାଶୀ ଖୁଣ୍ଟରେ ଝୁଲାଯିବ ବୋଲି ଗୋଟିଏ ଚର୍ଚ୍ଚା ଚାରିଆଡ଼େ ହେଉଥିଲା। କିନ୍ତୁ ସେମିତି କିଛି ଘଟିଲା ନାହିଁ। ନିର୍ଭୟା ଦୋଷୀ ନୂଆ ବର୍ଷର ନୂଆ ସୂର୍ଯ୍ୟୋଦୟ ଦେଖିଛନ୍ତି। ଏବେ ମେସାନଙ୍କୁ କେବେ ଫାଶୀ ଖୁଣ୍ଟରେ ଝୁଲା ଯାଉଛି ତା’ ଉପରେ ନଜର ରହିଛି।

ଫାଶୀ ଦେବା ପାଇଁ ଘାତକ ରେଡି। ତିହାର ଜେଲ୍‌ ବି ପ୍ରସ୍ତୁତ ରହିଛି। ଦୋଷୀମାନଙ୍କର ବେକ ମାପ ମଧ୍ୟ ନିଆ ଯାଇଛି। ହେଲେ ଫାଶୀରୁ ବର୍ତ୍ତିବା ପାଇଁ ଏବଂ ତାରିଖ ଗଡ଼ାଇବା ପାଇଁ ନିର୍ଭୟା ଦୋଷୀ ଚାଲ୍‌ ଖେଳୁଛନ୍ତି। ଜଣକ ପରେ ଜଣେ ନୂଆ ଫନ୍ଦି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଉଥିବାରୁ ଫାଶୀ ତାରିଖ ଗଡ଼ି ଚାଲିଛି।

ଏବେ ଫେବ୍ରୁଆରି ୧ରେ ଦୋଷୀଙ୍କୁ ଫାଶୀ ଦିଆଯାଉଛି ନା ପୁଣି ତାରିଖ ଗଡୁଛି ତାହା ୩୧ ତାରିଖରେ ହିଁ ଜଣାପଡ଼ିବ।

୨୦୧୯ ମସିହା ଡିସେମ୍ବର ୧୮ ତାରିଖ। ଏହି ଦିନକୁ ସାରା ଦେଶ ଅନାଇ ରହିଥିଲା। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ କ’ଣ ରାୟ ଆସୁଛି ତାକୁ ନେଇ ଉତ୍ସୁକତା ବଢ଼ିଥିଲା। ହେଲେ କୋର୍ଟ ୪ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ସମୟ ଦେଇଥିଲେ। ଜାନୁଆରି ୭ ତାରିଖ ଭିତରେ ରାଜକ୍ଷମା ଆବେଦନ କରିବାକୁ କୋର୍ଟ କହିଥିଲେ।

ହେଲେ ଏହି ନିର୍ଦ୍ଧାରିତ ସମୟ ଭିତରେ କୌଣସି ଦୋଷୀ ରାଜକ୍ଷମା କରି ନଥିଲେ। ଶେଷରେ କୋର୍ଟ ଜାନୁଆରି ୭ରେ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ। ଜାନୁଆରି ୨୨ ସକାଳ ୭ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କୋର୍ଟ ରାୟ ଦେଇଥିଲେ।

ଡେଥ୍‌ ୱାରେଣ୍ଟ ଜାରି ହେବା ପରେ ଦୋଷୀମାନେ ପୁଣି ଚାଲ୍‌ ଖେଳିଥିଲେ। ଦୋଷୀ ବିନୟ ଶର୍ମା ଏବଂ ମୁକେଶ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲେ। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଏଣୁ ୨୨ରେ ଏମାନଙ୍କୁ ଫାଶୀ ମିଳିବା ପକ୍କା ବୋଲି କୁହାଗଲା।

ହେଲେ ଦୋଷୀଙ୍କ ଚାଲ୍‌ ଶେଷ ହୋଇ ନଥିଲା। ଅନ୍ୟତମ ଦୋଷୀ ପୁଣି ରାଜକ୍ଷମା ଆବେଦନ କରିଥିଲା। ଏହି ଆବେଦନ ମଧ୍ୟ ଖାରଜ ହୋଇଥିଲା। ଶେଷରେ ମୁକେଶ ସୁପ୍ରିମକୋର୍ଟ ଗଲା। ରାଜକ୍ଷମା ପାଇଁ ସମସ୍ତ କାଗଜପତ୍ର ରାଷ୍ଟ୍ରପତିଙ୍କ ପାଖରେ ଠିକ୍‌ରେ ପହଞ୍ଚା ଯାଇ ନଥିବା ଅଭିଯୋଗ ଆଣି ମୁକେଶ ସୁପ୍ରିମକୋର୍ଟ ଯାଇଥିଲେ।

ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଉପରେ ପ୍ରଶ୍ନ ଉଠାଇବାର ଅଧିକାର କାହାର ନାହିଁ କହି ସୁପ୍ରିମକୋର୍ଟ ମୁକେଶର ଆବେଦନକୁ ଖାରଜ କରିଦେଇଥିଲେ। ଦୋଷୀମାନଙ୍କ ଏଭଳି ଚାଲ୍‌ ଯୋଗୁଁ ୨୨ରେ ଫାଶୀ ଦେବା ସମ୍ଭବ ହୋଇ ନଥିଲା।

ଶେଷରେ ଫାଶୀ ତାରିଖ ଘୁଞ୍ଚିଥିଲା। ଫେବ୍ରୁଆରି ପହିଲାରେ ସକାଳ ୬ଟାରେ ତିହାର ଜେଲ୍‌ରେ ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ବୋଲି କୋର୍ଟ ପୁଣି ଦ୍ୱିତୀୟ ଥର ପାଇଁ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ।

ହେଲେ ଫେବ୍ରୁଆରି ୧ ଯେତିକି ନିକଟତର ହେଉଛି ଦୋଷୀମାନେ ସେମାନଙ୍କ ଚାଲ୍‌ ସେତିକି ଅଧିକ ବେଗରେ ଚଳାଉଛନ୍ତି। ଅନ୍ୟତମ ଦୋଷୀ ଅକ୍ଷୟ ସିଂ ଗତ ୨୫ ତାରିଖରେ ପୁଣି ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲେ। ଏହି ପିଟିସନ ଗତ ୨୯ ତାରିଖରେ ଖାରଜ ହୋଇଛି। ଫେବ୍ରୁଆରି ୧ରେ ଫାଶୀ ସୁନିଶ୍ଚିତ ଜାଣିବା ପରେ ଦୋଷୀମାନେ ଚୁପ୍‌ ହୋଇ ବସି ନାହାନ୍ତି।

ପୁଣି ଥରେ ଅକ୍ଷୟ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ କୋର୍ଟରେ ଆବେଦନ କରିଛି। ଏହି ଆବେଦନ ଉପରେ ଶୁକ୍ରବାର ଦିନ ଶୁଣାଣି ହେବ। ଏବେ କୋର୍ଟ କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅକ୍ଷୟର ଆବେଦନକୁ କାଏମ ରଖୁଛନ୍ତି ନା ଫେବ୍ରୁଆରି ପହିଲାରେ ଏମାନେ ଫାଶୀ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ନିର୍ଭୟା କାଣ୍ଡର ପୂରା ଘଟଣା

୨୦୧୨ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା। ଚଳନ୍ତା ବସ୍‌ରେ ୨୩ ବର୍ଷୀୟା ଜଣେ ପାରାମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସହ ହତ୍ୟା କରିବାକୁ ପଛାଇ ନଥିଲେ ୬ ଜଣ ଯୌନପିପାଷୁ। ସେଦିନ ନିର୍ଭୟା ତାଙ୍କ ଜଣେ ପୁରୁଷ ବନ୍ଧୁଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ। ଫିଲ୍ମ ଦେଖି ଫେରିବା ପରେ ସେ ବସ୍‌ ଯୋଗେ ମୁନିରକାରୁ ଦ୍ୱାରକା ଅଭିମୁଖେ ଯାଉଥିଲେ।  ବସ୍‌ରେ ନିର୍ଭୟାଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅନ୍ୟ ୬ ଜଣ ଲୋକ ଥିଲେ। ସେହି ୬ ଜଣ ନିର୍ଭୟାଙ୍କୁ ବସ୍‌ ଭିତରେ ଦୁଷ୍କର୍ମ କରିଥିଲେ। ତାଙ୍କ ବନ୍ଧୁ ବିରୋଧ କରିବା ଯୋଗୁଁ ତାଙ୍କୁ ମଧ୍ୟ ଖୁବ ମାରିଥିଲେ।

ବସରେ ଥିବା ୬ ଜଣ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ ନରରୂପି ରାକ୍ଷସମାନେ ତାଙ୍କ ଉପରେ ଘୋର ଅତ୍ୟାଚାର କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଚଳନ୍ତା ବସ୍‌ରୁ ଫିଙ୍ଗି ଦିଆଯାଇଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁଁ ତାଙ୍କୁ ସିଙ୍ଗାପୁର ପଠାଯାଇଥିଲା। ସିଙ୍ଗାପୁରର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନିର୍ଭୟା।

ଘଟଣାର ଦୁଇ ଦିନରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ବସ୍‌ ଡ୍ରାଇଭର, ଜଣେ ନାବାଳକ ସହ ଅନ୍ୟ ୪ ଜଣ ବି ସାମିଲ ଥିଲା।

ବସ୍‌ ଡ୍ରାଇଭର ଜଣକ ତିହାର ଜେଲରେ ଆତ୍ମହତ୍ୟା କରିଥିଲେ। ନାବାଳକ ଜଣକଙ୍କୁ ଜୁଭେନାଇଲ ଡିଟେନସନ ସେଣ୍ଟର ୩ ବର୍ଷ ରଖିବା ପରେ ୨୦୧୫ରେ ତାଙ୍କୁ ବେଲ୍‌ ମିଳିଥିଲା। ସେବେଠାରୁ ଏହି ମାମଲା କୋର୍ଟରେ ଚାଲିଥିଲା।

Comment