ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଜମୁଛି ନିର୍ବାଚନ ପ୍ରଚାର। ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ରୋଡ୍‌ ସୋ’ ଏବଂ ସଭା କରି ରାଜନୀତି ପାଣିପାଗକୁ ସରଗରମ କରିଥିବା ବେଳେ ଏହାକୁ କାଉଣ୍ଟର କରିବା ପାଇଁ ମଇଦାନକୁ ଓହ୍ଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଦିଲ୍ଲୀର କଡକଡଡୁମାସ୍ଥିତ ସିବିଡି ଗ୍ରାଉଣ୍ଡରେ ମୋଦୀ ପ୍ରଚାର କରି ବିଜେପିକୁ ଭୋଟ ଦେବା ପାଇଁ ଅପିଲ୍‌ କରିଥିଲେ। ଏହାସହ କଂଗ୍ରେସ ଏବଂ ଆପ୍‌କୁ ତୀର ମାରିଥିଲେ।

‘‘ଦିଲ୍ଲୀବାସୀଙ୍କ ମନରେ କ’ଣ ଅଛି ତାହା କହିବା ଏଠାରେ ଆବଶ୍ୟକ ମନେ କରୁନି। ତାଙ୍କ ମନରେ କ’ଣ ଅଛି ତାହା ସ୍ପଷ୍ଟ ଦେଖାଯାଉଛି। ଗତ ଲୋକସଭା ନିର୍ବାଚନ ବେଳେ ଦିଲ୍ଲୀବାସୀଙ୍କ ଗୋଟିଏ ଗୋଟିଏ ଭୋଟ୍‌ ବିଜେପିର ଶକ୍ତି ବୃଦ୍ଧି କରିଥିଲା। ଲୋକସଭା ନିର୍ବାଚନରେ ୭ଟି ଆସନ ବିଜେପିକୁ ଦେଇ ସେମାନେ କେଉଁଭଳି ଦେଶ ଗଠନ କରିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ କରିଥିଲେ’’, କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଦିଲ୍ଲୀ ଉଠୁଛି ପଡୁଛି। ଗତ ୧୫ ଦିନ ହେଲା ବିଭିନ୍ନ ଦଳର ନେତାମାନେ ବିଭିନ୍ନ ନିର୍ବାଚନମଣ୍ଡଳରେ ପ୍ରଚାର କରୁଛନ୍ତି। ବିଜେପି ଦିଲ୍ଲୀରେ ନରେନ୍ଦ୍ର ମୋଦୀଙ୍କ ଚେହେରାକୁ ଆଗରେ ରଖି ପ୍ରଚାର ମଇଦାନକୁ ଓହ୍ଲାଇଛି। ହେଲେ ମୋଦୀ ଦିଲ୍ଲୀ ବିଧାନସଭା ଭୋଟ ପାଇଁ ପ୍ରଚାର କରି ନଥିଲେ। ପ୍ରଥମ ଥର ପାଇଁ ସେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

ମଙ୍ଗଳବାର ଦିନ ମୋଦୀ ପୁଣିଥରେ ଦିଲ୍ଲୀର ଦ୍ୱରକାଠାରେ ପ୍ରଚାର କରିବେ। ଏହା ତାଙ୍କ ଶେଷ ପ୍ରଚାର ବୋଲି କୁହାଯାଉଛି।

‘‘ଦେଶ ବଦଳାଇବା ପାଇଁ ଦିଲ୍ଲୀବାସୀ ଗତ ଲୋକସଭା ନିର୍ବାଚନରେ ରାୟ ଦେଇଥିଲେ। ଏଥର ଦିଲ୍ଲୀ ବଦଳାଇବା ପାଇଁ ଦିଲ୍ଲୀବାସୀ ରାୟ ଦେବେ। ଦିଲ୍ଲୀ କେବଳ ଗୋଟିଏ ସହର ନୁହେଁ, ଭାରତର ଏହା ହେଉଛି ହୃଦସ୍ପନ୍ଦନ। ବିଭିନ୍ନ ରାଜ୍ୟ ଏବଂ ଭିନ୍ନ ଭିନ୍ନ ଭାଷାଭାଷୀ ଲୋକ ଏଠାରେ ରହୁଛନ୍ତି। ଦିଲ୍ଲୀକୁ ଆହୁରି ଆଧୁନିକ ଏବଂ ସୁରକ୍ଷିତ ରଖିବା ପାଇଁ ଦିଲ୍ଲୀବାସୀଙ୍କ ସହାୟତା ଦରକାର’’, କହିଥିଲେ ମୋଦୀ।

‘‘ବିଭାଜନ ପରେ ଯେଉଁ ଲୋକମାନେ ଦିଲ୍ଲୀ ଆସିଥିଲେ ସେମାନଙ୍କୁ ରହିବା ପାଇଁ ଜାଗା ଦେଇଥିଲା ଦିଲ୍ଲୀ। ହେଲେ ଏବେ ଲୋକଙ୍କୁ ଠିକ୍‌ରେ ଘର ମିଳୁନି। ଦିଲ୍ଲୀ ସରକାର ଗୃହହୀନଙ୍କୁ ଘର ଯୋଗାଇ ଦେଉ ନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଦିଲ୍ଲୀ ସରକାର ଲାଗୁ କରୁ ନାହାନ୍ତି। ଫଳରେ ଲୋକେ ଉପକୃତ ହେଉ ନାହାନ୍ତି। ଯେ ପର୍ଯ୍ୟନ୍ତ ଏମାନେ ସରକାରରେ ଥିବେ ସେ ଏପର୍ଯ୍ୟନ୍ତ ଦିଲ୍ଲୀବାସୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେବେ’’, କହିଥିଲେ ନରେନ୍ଦ୍ର ମୋଦୀ।

ଜମ୍ମୁ କଶ୍ମୀରୁ ଧାରା ୩୭୦ ଉଚ୍ଛେଦ, କରତାରପୁର ସହିଦ କରିଡର, ହିନ୍ଦୁ, ଶିଖ୍‌ ଏବଂ ଇସାଇଙ୍କୁ ନାଗରିତକା ଅଧିକାର ୭୦ ବର୍ଷ ପରେ ମିଳିଛି। ଏଣୁ ଦେଶକୁ ଆଗକୁ ନେବା ପାଇଁ କିଏ ଯୋଗ୍ୟ ତାହା ଦିଲ୍ଲୀବାସୀ ବିଚାର କରିବେ ବୋଲି କହିଛନ୍ତି ମୋଦୀ।

LEAVE A REPLY

Please enter your comment!
Please enter your name here