ଓଡ଼ିଶାଲାଇଭ୍ ବ୍ୟୁରୋ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଦାବିରେ ପୁଣି ଅସନ୍ତୁଷ୍ଟମାନେ ମେଳି ହୋଇଛନ୍ତି। ଯଦିଓ ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ହାଇ କମାଣ୍ଡ କୌଣସି ପ୍ରକାର ଉତ୍ତର ଦେଉନାହାନ୍ତି, ନିରଞ୍ଜନ ବିରୋଧୀମାନେ କିନ୍ତୁ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି।

ନିରଞ୍ଜନଙ୍କୁ ହଟାଇବା ପାଇଁ ତାଙ୍କ ବିରୋଧୀମାନେ ଏବେ  ଦିଲ୍ଲୀରେ ପହଞ୍ଚିଛନ୍ତି। ମଜାକଥା ହେଲା ନିରଞ୍ଜନଙ୍କୁ ସଭାପତି ପଦରୁ ଅବ୍ୟାହତି ଦେବା ପାଇଁ ବହୁ ଦିନରୁ ଦାବି ହେଉଛି ସତ ହେଲେ କଂଗ୍ରେସର ତୁଙ୍ଗ ନେତା ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏଥର କିନ୍ତୁ ଅସନ୍ତୁଷ୍ଟ ନେତାମାନେ ସେମାନଙ୍କ ଲବିକୁ ଜୋରଦାର କରିଛନ୍ତି, ଆହୁରି ମଧ୍ୟ ଅସନ୍ତୁଷ୍ଟମାନଙ୍କ କଥା ନଶୁଣି ତେଣେ ଦଳର ଉଚ୍ଚ କର୍ତ୍ତୃପକ୍ଷ ଇତି ମଧ୍ୟରେ କଂଗ୍ରେସର ଛାମୁଆ ସଂଗଠନଗୁଡିକର ପରିବର୍ତ୍ତନ ଆରମ୍ଭ କରିଛନ୍ତି।

ନିରଞ୍ଜନ ହଟାଓ ଦାବିରେ ଯେଉଁ ଅସନ୍ତୁଷ୍ଟ ଦିଲ୍ଲୀରେ ଡେରା ପକାଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବିଧାୟକ ସମୀର ରାଉତରାୟ, ପୂର୍ବତନ ମୁଖପାତ୍ର ନିକୁଞ୍ଜ ପସାୟତ, ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତି,ସମ୍ପାଦକ ସତ୍ୟାନନ୍ଦ ରାଉତ ଓ ବରିଷ୍ଠ ନେତା ଉତ୍ତମ ଆଚାର୍ଯ୍ୟ ସାମିଲ ଅଛନ୍ତି। ପିସିସି ସଭାପତି ନିହାତି ବଦଳିବା ଆବଶ୍ୟକ ଏବଂ ଏଥିପାଇଁ ସେମାନେ ହାଇକମାଣ୍ଡଙ୍କୁ ଭେଟିବେ ବୋଲି କହିଛନ୍ତି ଜଣେ ନେତା। ଆଉ କିଛି ଯୁବ ନେତା  ଏମାନଙ୍କ ସହ ଦିଲ୍ଲୀରେ ଯୋଗଦେବେ ବୋଲି ଶୁଣାଯାଉଛି।

ଏଣେ କଂଗ୍ରେସର ଏକ ସୂତ୍ର କହୁଛି ଯେ ପୌର ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ପିସିସି ସଭାପତି ବଦଳିବାର ପ୍ରଶ୍ନ ନାହିଁ। ଅବଶ୍ୟ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ପୌର ନିର୍ବାଚନ ତାରିଖ ଘୋଷଣା କରାଯାଇନାହିଁ। ଯାହା ଜଣାଯାଉଛି ଚଳିତ ବର୍ଷ ଦ୍ୱିତୀୟ ଭାଗ ଆଡ଼କୁ ପୌର ନିର୍ବାଚନ ହେବ।

ଉଲ୍ଲେଖଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ପରଠାରୁ ଓଡ଼ିଶା କଂଗ୍ରେସର ଅସନ୍ତୁଷ୍ଟ ମାନେ ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ କଟକ ବାରବାଟୀ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମଙ୍କୁ ସଭାପତି କରାଯାଉ ବୋଲି ଦାବି କରିଆସିଛନ୍ତି।

Comment