ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ୱେବ୍ ପୋର୍ଟାଲ୍ ବୁଧବାର ଲୋକାର୍ପିତ ହୋଇଛି। ପରୀକ୍ଷା ପରିଚାଳନାରେ ବ୍ୟାପକ ସମନ୍ୱୟ ରକ୍ଷା ସହ ମୋବାଇଲରେ କିଭଳି ଏହି ପୋର୍ଟାଲର ବ୍ୟବହାର ସହଜ ହୋଇପାରିବ ତା’ ଉପରେ ଗୁରୁତ୍ୱାରୋପ କରାଯାଇଛି। ଓପିଏସ୍‌ସି ଓ ଏନଆଇସି ମିଳିତ ସହଯୋଗରେ ପ୍ରସ୍ତୁତ ଏହି ପୋର୍ଟାଲକୁ ଉନ୍ମୋଚନ କରିଥିଲେ ଓପିଏସସି ଅଧ୍ୟକ୍ଷ ବ୍ରିଗେଡିୟର ଲକ୍ଷ୍ମୀ ଚରଣ ପଟ୍ଟନାୟକ।

‘‘ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ଉତ୍ତରଦାୟୀ କରିବା ନିମନ୍ତେ ଏହି ପୋର୍ଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ପୋର୍ଟାଲ ଜରିଆରେ ଘରେ ବସି ମୋବାଇଲ ଦ୍ୱାରା ପରୀକ୍ଷାର୍ଥୀମାନେ ସମସ୍ତ ତଥ୍ୟ ଜାଣିପାରିବେ’’, କହିଛନ୍ତି ଲକ୍ଷ୍ମୀ ଚରଣ ପଟ୍ଟନାୟକ।

ଏହି ପୋର୍ଟାଲ୍ ଜରିଆରେ ପରୀକ୍ଷାର୍ଥୀ, ସରକାରୀ ବିଭାଗ, ପରୀକ୍ଷା ପରିଚାଳନା କେନ୍ଦ୍ରମାନଙ୍କ ସହିତ ଓପିଏସସି ସମନ୍ୱୟ ରକ୍ଷା କରି ତଥ୍ୟ ଓ ସୂଚନା ପ୍ରଦାନ କରିବ। ସେହିପରି ପୋର୍ଟାଲକୁ ଆସୁଥିବା ଅଭିଯୋଗଗୁଡିକର ତ୍ୱରିତ ସମାଧାନ କରଯାଇପାରିବ ବୋଲି ଓପିଏସସି ତରଫରୁ ସୂଚନା ଦିଆଯାଇଛି।

ରେଜିଷ୍ଟ୍ରେସନ କରିଥିବା ପ୍ରାର୍ଥୀମାନଙ୍କୁ ଏକ ସ୍ଥାୟୀ ଲୋକସେବା ଆକାଉଣ୍ଟ ନମ୍ୱର ଯୋଗାଇ ଦିଆଯିବ। ଏହା ଫଳରେ ସେମାନେ ପରବର୍ତ୍ତୀ ସମୟରେ ସେମାନଙ୍କର ନାମ ତାଲିକାଭୁକ୍ତ କରିବା, ପରୀକ୍ଷା ନିରୀକ୍ଷକଙ୍କ ଚୟନ ଓ ନିଯୁକ୍ତି ସମ୍ୱନ୍ଧୀୟ ସମସ୍ତ ସୂଚନା, ପରୀକ୍ଷା ନିମନ୍ତେ ଆବେଦନ, ନିଯୁକ୍ତି ବିଜ୍ଞାପନ ସଂପର୍କରେ ଠିକ୍ ସମୟରେ ତଥ୍ୟ ପାଇପାରିବେ।

ସେହିପରି ଆବେଦନକାରୀମାନେ ଦରଖାସ୍ତଗୁଡିକର ଯାଞ୍ଚ୍ କରିପାରିବେ। ପରୀକ୍ଷା ଫଳ ପ୍ରକାଶ ପରେ ମୂଲ୍ୟାୟନ ହୋଇଥିବା ଖାତାଗୁଡିକର ସ୍କାନ କପି ପାଇପାରିବେ। କେବଳ ସେତିକି ନୁହେଁ, କୃତୀ ପରୀକ୍ଷାର୍ଥୀମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ଓ ନିଯୁକ୍ତି ପାଇବା ବିଭାଗ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ ବୋଲି ଜଣାପଡିଛି।

ସାମ୍ୱାଦିକ ସମ୍ମିଳନୀରେ ଏନ୍ଆଇସିର ନିର୍ଦ୍ଦେଶକ ଅନୁରାଗ ପ୍ରସାଦ, ବରିଷ୍ଠ ପରାମର୍ଶଦାତା ପ୍ରକାଶ ପାଣି, ପ୍ରତିଭା ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Comment