ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ରାଜ୍ୟ କଂଗ୍ରେସର ତଥ୍ୟ ଅନୁସନ୍ଧାନୀ ଦଳ। ଏହି ରହସ୍ୟଜନକ ମୃତ୍ୟୁରୁ ବର୍ତ୍ତମାନ ପର୍ଯ୍ୟନ୍ତ ପରଦା ହଟାଇ ପାରୁନି ପୋଲିସ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ଅଭିଯୋଗ ହୋଇଛି।

ରାଜ୍ୟ କଂଗ୍ରେସର ଏକ ୭ ଜଣିଆ ତଥ୍ୟ ଅନୁସନ୍ଧାନୀ ଦଳ ରଞ୍ଜନ ଦାସଙ୍କ ଘରେ ପହଞ୍ଚିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦଳର ନେତୃତ୍ୱ ନେଇଥିଲେ ରାଜ୍ୟ କଂଗ୍ରେସର ମୁଖପାତ୍ର ନିଶିକାନ୍ତ ମିଶ୍ର। କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଭାପତି ଚିନ୍ମୟ ବେହୁରା, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଅନୀତା ବିଶ୍ଵାଳ, ଦିନେଶ ଦାସ ରଞ୍ଜନଙ୍କ ଘରକୁ ଯାଇଥିଲେ।

ଏହି ୭ ଜଣିଆ ଦଳ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଞ୍ଚଳର ମାଣିକପୁର ଗାଁରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ଵନା ଦେଇଛନ୍ତି। ସ୍ଥାନୀୟ ଗ୍ରାମବାସୀ, ରଞ୍ଜନଙ୍କ ସହଯୋଗୀ ଓ ରଞ୍ଜନଙ୍କର ପରିବାରଙ୍କ ସହିତ ଆଲୋଚନା କରି, ରଞ୍ଜନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଏହାଛଡା ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ସ୍ଥାନର ନକ୍ସା ତିଆରି କରିଥିଲେ।

ଏହି ସମସ୍ତ ଘଟଣାକୁ ଅନୁଧ୍ୟାନ ପରେ ରଞ୍ଜନଙ୍କର ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବୋଲି ସନ୍ଦେହ କରୁଛି କଂଗ୍ରେସ ଅନୁସନ୍ଧାନୀ ଦଳ। ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ରଞ୍ଜନଙ୍କର ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି କଂଗ୍ରେସର ତଥ୍ୟ ଅନୁସନ୍ଧାନୀ ଦଳର ମୁଖ୍ୟ ନିଶିକାନ୍ତ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comment