ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନର ବୁଥ୍ ବାହୁଡ଼ା ମତ ଯାହା ଆସୁଛି ତାହା ଜାତୀୟ ରାଜନୀତିକୁ ପୂରା ହଲ୍‌ଚଲ୍‌ କରି ଦେଇଛି। ଅରବିନ୍ଦ କେଜରିୱାଲଙ୍କ ଆପ୍‌ ପୁଣିଥରେ ସରକାର ଗଢ଼ିବ ବୋଲି ମତ ଆସିଥିବା ବେଳେ ବିଜେପି ଦ୍ୱିତୀୟରେ ରହିବ ବୋଲି ଆକଳନ କରାଯାଇଛି। ହେଲେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ କଂଗ୍ରେସ।

ଗତ ଥର ଭଳି ଏଥର ବି ହାତ ଦିଲ୍ଲୀରେ ହତାଶ ହେବ ବୋଲି ଆକଳନ କରିଛନ୍ତି ବିଭିନ୍ନ ସଂସ୍ଥା। କିଛି ସଂସ୍ଥା କଂଗ୍ରେସ ପୂର୍ବ ଥର ଭଳି ଖାତା ଖୋଲି ନପାରେ କହିଥିବା ବେଳେ ଆଉ କିଛି ସଂସ୍ଥା ୧ରୁ ୨ଟି ଆସନ ପାଇପାରେ ବୋଲି ଆକଳନ କରିଛନ୍ତି।

୨୦୧୫ରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଥିଲା ଆପ୍‌। କଂଗ୍ରେସର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଶାସନର ଅନ୍ତ ଘଟାଇ କେଜରିୱାଲ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଥିଲେ। ଗତ ନିର୍ବାଚନରେ କେଜରିୱାଲଙ୍କ ଆପ୍‌ ୬୭ଟି ଆସନ ପାଇଥିବା ବେଳେ ବିଜେପି ୩ ଏବଂ କଂଗ୍ରେସକୁ ନିରାଶ ହେବାକୁ ପଡ଼ିଥିଲା। ଗତ ଥର ବିଜେପି ଏବଂ ଆପ୍‌ ଭିତରେ ଲଢ଼େଇ ହୋଇଥିବା ବେଳେ ଏଥର ବି ଏହି ଦୁଇ ଦଳ ଟକରା ଟକରି ହୋଇଛନ୍ତି।

କଂଗ୍ରେସ ଏବଂ ଆପ୍‌ ଯେମିତି ଏଥର ପ୍ରଚାର କରିଥିଲେ ସେମିତି କଂଗ୍ରେସ କରି ନଥିଲା। ଆରମ୍ଭରୁ ପ୍ରଚାର ମଇଦାନରେ କଂଗ୍ରେସ ପଛରେ ପଡ଼ି ଯାଇଥିଲା। କଂଗ୍ରେସର କୌଣସି ବରିଷ୍ଠ ନେତାଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳି ନଥିଲା। ପ୍ରଚାର ଶେଷ ଭାଗକୁ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ଭୋଟରଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନଥିବା କୁହାଯାଉଛି।

ସବୁଠୁ ବଡ଼ କଥା ହେଉଛି ଶୀଲାଙ୍କ ପରେ ଦିଲ୍ଲୀରେ କଂଗ୍ରେସ ମୁରବୀ ଶୂନ୍ୟ ହୋଇଯାଇଛି। କଂଗ୍ରେସକୁ ନେତୃତ୍ୱ ନଦବା ଭଳି ନେତା ଦିଲ୍ଲୀରେ ନାହାନ୍ତି। ଗତ ନିର୍ବାଚନରେ କଂଗ୍ରେସ ଶୀଲାଙ୍କ ବଦଳରେ ଅଜୟ ମାକେନଙ୍କୁ ଦାୟିତ୍ୱ ଦେଇଥିଲା। ଅଜୟ ମାକେନଙ୍କୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କୁହାଗଲା। ହେଲେ କଂଗ୍ରେସର ଗଡ଼ ଦିଲ୍ଲୀକୁ ନେତୃତ୍ୱ ଦେଇ ପାରିଲେନି ଅଜୟ।

ଏଥର ମଧ୍ୟ କଂଗ୍ରେସ ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେଇ ନଥିଲା। ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀରେ କେବଳ ପ୍ରଚାର କଲେ। ସୋନିଆ ଗାନ୍ଧୀ ପ୍ରଚାର ବେଳେ ଅସୁସ୍ଥ ହୋଇଗଲେ। ଏଣୁ କଂଗ୍ରେସ ଭୋଟରଙ୍କ ନିକଟତର ହୋଇପାରି ନଥିବା କୁହାଯାଉଛି।

ଦିଲ୍ଲୀରେ କଂଗ୍ରେସ ଶୀଲାଙ୍କ ନେତୃତ୍ୱରେ ଲଗାତର ତିନି ଥର ଶାସନ ଗାଦିରେ ବସିଛି। ଏଥର ବି କଂଗ୍ରେସ ଶୀଲାଙ୍କ ଅମଳରେ ହୋଇଥିବା ବିକାଶମୂଳକ ଯୋଜନାକୁ ପ୍ରସଙ୍ଗ କରି ପ୍ରଚାର କରିଥିଲା। ହେଲେ ଭୋଟର ତାକୁ ଗ୍ରହଣ କରି ନଥିବା ଏକ୍‌ଜିଟ୍‌ ପୋଲ୍‌ରୁ ଜଣାପଡିଛି।

Comment