ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ମାମୁଙ୍କ ଜମି ହାତେଇବା ପାଇଁ ଭଣଜାଙ୍କ ମଧ୍ୟରେ ଗଣ୍ଡଗୋଳ। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଛଣମେରୀ ଗାଁରେ। ଏହି ଆକ୍ରମଣ ଓ ପ୍ରତି ଆକ୍ରମଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ ଜେଲକୁ ପଠାଇ ଦିଆଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଛଣମେରୀ ଗାଁର ସୂର୍ଯ୍ୟନାରାୟଣ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ସୁଧୀର ପ୍ରଧାନ, ରଞ୍ଜନ ପ୍ରଧାନ ଓ ପଞ୍ଚାନନ ପ୍ରଧାନ।

ଛଣମେରୀ ଗ୍ରାମର ଘନଶ୍ୟାମ ପ୍ରଧାନ ଗତ ପ୍ରାୟ ୩ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ତାଙ୍କ ରାଇସ ମିଲ୍‌ ଓ ସ୍ଥାବର ଅସ୍ଥାବର ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ରକରି ଘନଶ୍ୟାମଙ୍କ ୫ ଭଣଜାଙ୍କ ମଧ୍ୟରେ ଗତ କିଛିଦିନ ହେଲା ଛକାପଞ୍ଝା ଲାଗି ରହିଥିଲା।

ଗତ ଜାନୁଆରି ୨୮ ତାରିଖ ମାମୁ ଘନଶ୍ୟାମଙ୍କ ରାଇସ୍‌ ମିଲ ନିକଟରେ ସୁରେନ୍ଦ୍ର ଓ ସୁଧୀର ଅନ୍ୟ ୩ ଭାଇ ସୂର୍ଯ୍ୟନାରାୟଣ, ରଞ୍ଜନ ଓ ପଞ୍ଚାନନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଉଭୟଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏନେଇ ଉଭୟ ପକ୍ଷ ଥାନାରେ ଏତଲା ଦେବା ପରେ ଥାନାଧିକାରୀ ବସନ୍ତ କୁମାର ସେଠୀ ମାମଲା ରୁଜୁ କରିଥିଲେ।

ମାମଲା ନମ୍ଵର ୨୦/୨୦ ଏବଂ ୨୧/୨୦ ଅନୁଯାୟୀ ପୃଥକ ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ପରେ ଉଭୟ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସଆଇ ବଳଭଦ୍ର ଗଣ୍ଡ ସୂଚନା ଦେଇଛନ୍ତି।

Comment