ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀରେ କଂଗ୍ରେସ ନେତା ମହମ୍ମଦ ମୋକିମ୍। ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଭେଟିଲେ।

ରାଜ୍ୟ କଂଗ୍ରେସର ହେବ ନବକଳେବର। ପିସିସି ସଭାପତି ହେବେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍‌। ଦିଲ୍ଲୀ ନିର୍ବାଚନ ଫଳାଫଳ ବାହାରିବା ପରେ ଏମିତି ଚର୍ଚ୍ଚା ଏବେ ଜୋର୍‌ ଧରିଛି। ମୋକିମ୍‌ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ କେ ବେଣୁଗୋପାଳଙ୍କୁ ନୂଆଦିଲ୍ଲୀରେ ଭେଟିବା ପରେ ଥମି ଯାଇଥିବା ଚର୍ଚ୍ଚା ପୁଣି ଉଠିଛି।

ଫେବ୍ରୁଆରି ୧୧ରେ ବାହାରିଲା ଦିଲ୍ଲୀ ନିର୍ବାଚନ ଫଳ। ଏହି ଫଳ କଂଗ୍ରେସ ଶିବିରକୁ ନିରାଶ କରିଛି। ଗତ ଥର ଭଳି ଏଥର ବି କଂଗ୍ରେସ ଦିଲ୍ଲୀରେ ଖାତା ଖୋଲି ପାରିନି। ଫଳ ବାହାରୁ ବାହାରୁ କଂଗ୍ରେସ ଏବେ ବିଭିନ୍ନ ରାଜ୍ୟରେ ସଙ୍ଗଠନ ସଜାଡ଼ିବା ଉପରେ ଫୋକସ୍‌ ଦେଇଛି। ଦିଲ୍ଲୀ ରେଜଲ୍ଟ ବାହାରିବାର ଦିନକ ପରେ ମୋକିମ୍‌ଙ୍କୁ ନୂଆଦିଲ୍ଲୀରେ ଦେଖିବାକୁ ମିଳିଥିଲା। ମୋକିମ ସୋନିଆଙ୍କ ବ୍ୟକ୍ତିଗତ ସଚିବଙ୍କୁ ଭେଟିବା ପରେ କୁହାଯାଉଛି ଖୁବ୍‌ଶୀଘ୍ର ରାଜ୍ୟ ପିସିସି ସଭାପତି ବଦଳିବେ।

୨୦୧୯ରୁ ନିରଞ୍ଜନ ହଟାଅ ଅଭିଯାନ କଂଗ୍ରେସରେ ଆରମ୍ଭ ହୋଇଥିଲା। ଗତ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ମାଟି କାମୁଡ଼ିବା ପରେ ଏହି ଅଭିଯାନ ଜୋର୍‌ ଧରିଥିଲା। ନିରଞ୍ଜନଙ୍କୁ ହଟାଇବା ପାଇଁ ପ୍ରଥମ ମେଳି ହୋଇଥିଲା ଭୁବନେଶ୍ୱରର ପାନ୍ଥ ନିବାସରେ। ପାରାଦୀପ କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ ଅଭିଯାନର ମୂଳଦୁଆ ପଡ଼ିଥିଲା। ନିରଞ୍ଜନ ବିରୋଧୀ ନେତା ଏହି ମେଳିରେ ସାମିଲ ହୋଇଥିଲେ। ଏହି ବୈଠକରେ ହିଁ ମୋକିମଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା।

ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ମେଳି ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କ୍ୟାମ୍ପରେ କମ୍ପନ ହୋଇଥିଲା। ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ କହିବା ପରେ ଅସନ୍ତୁଷ୍ଟ ନେତାଙ୍କ ମନରେ ଛନକା ପଶିଥିଲା। ସେମାନେ ନିରଞ୍ଜନଙ୍କ ବାସଭବନକୁ ଯାଇ ତାଳି ପକାଇବାକୁ ଉଦ୍ୟମ କରିଥିଲେ। ହେଲେ ଅସନ୍ତୋଷ ଥମି ନଥିଲା।

ବିଭିନ୍ନ ସମୟରେ ନେତାମାନେ ଓଡ଼ିଶାରୁ ଦିଲ୍ଲୀ ଯାଇ ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବା ପାଇଁ ଦାବି କରି ଆସିଥିଲେ। କିଛିଦିନ ତଳେ ମହିଳା କଂଗ୍ରେସ କର୍ମୀ ମଧ୍ୟ ଦିଲ୍ଲୀ ଯାଇ ନିରଞ୍ଜନଙ୍କୁ ହଟାଇବା ଲାଗି ଦାବି କରିଥିଲେ। ହେଲେ ଏହି ଦାବି ପ୍ରତି କର୍ଣ୍ଣପାତ କରି ନଥିଲେ ହାଇକମାଣ୍ଡ। ଏବେ ଦିଲ୍ଲୀ ନିର୍ବାଚନ ଫଳ କଂଗ୍ରେସକୁ ବିପଦରେ ପକାଇଛି। ୨୦୨୪କୁ ଦୃଷ୍ଟିରେ ରଖି କଂଗ୍ରେସ ଏବେ ସଙ୍ଗଠନ ସଜାଇବା ଲାଗି ଉଦ୍ୟମ କରୁଛି।

୨୦୧୯ ନିର୍ବାଚନ ପରେ ପିସିସିର ସବୁ କମିଟିକୁ ଭାଙ୍ଗି ଦେଇଥିଲେ ଏଆଇସିସି। କେବଳ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ରହିଥିଲେ। ନିର୍ବାଚନର ପରାଜୟକୁ ନିଜ ମୁଣ୍ଡକୁ ନେଇ ନିରଞ୍ଜନ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ତାହାକୁ ଗ୍ରହଣ କରି ନଥିଲେ ହାଇକମାଣ୍ଡ। ଏବେ କିନ୍ତୁ ଦିଲ୍ଲୀ ନିର୍ବାଚନ ସବୁ ବିଗାଡ଼ି ଦେଇଛି। ସବୁ ରାଜ୍ୟରେ ନୂଆ କମିଟି ଗଠନ କରିବା ଉପରେ ଏଆଇସିସି ଜୋର୍‌ ଦେଉଥିବା କୁହାଯାଉଛି। ଏଣୁ ଏହି କ୍ରମରେ ମୋକିମଙ୍କୁ ଦିଲ୍ଲୀ ଡକରା ଆସିଥିବା କୁହାଯାଉଛି।

ନିରଞ୍ଜନ ସାଧାରଣ ନିର୍ବାଚନ ପୂର୍ବରୁ ପିସିସି ମଙ୍ଗ ଧରିଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ଭଲ କରିବ ବୋଲି ଆଶା ରହିଥିଲା। ହେଲେ କଂଗ୍ରେସ ପୂର୍ବ ନିର୍ବାଚନ ଅପେକ୍ଷା ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ନିଜେ ପିସିସି ସଭାପତି ଦୁଇ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। କଂଗ୍ରେସ ଦୁଇ ନମ୍ବରରୁ ତିନି ନମ୍ବରକୁ ଖସି ଆସିଥିଲା। ସେବେଠୁ କଂଗ୍ରେସରେ କନ୍ଦଳ ଆରମ୍ଭ ହୋଇଛି। ନିରଞ୍ଜନ ହଟାଅ ଅଭିଯାନ ଜୋର୍‌ ଧରିଛି।

କାହିଁକି ମୋକିମ?

୨୦୧୯ରେ କଂଗ୍ରେସ ମାତ୍ର ୯ଟି ଆସନରେ ବିଜୟୀ ହୋଇଛି। ଯେଉଁ ୯ଟି ଆସନ ଦଖଲ କରିଛି ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବାରବାଟୀ-କଟକ ଆସନ। ସାରା ରାଜ୍ୟରେ ନବୀନ ଏବଂ ବିଜେଡିର ହାୱା ବହୁଥିବା ବେଳେ ମୋକିମ କଟକରେ ଏହି ହାୱାରେ ବ୍ରେକ ଦେଇଥିଲେ। ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କୁ ପରାଜିତ କରି ମୋକିମ ବିଧାନସଭା ଆସିଥିଲେ। ପୂର୍ବରୁ ମୋକିମ କଟକ-ନଗର କଂଗ୍ରେସ କମିଟି ସଭାପତି ମଧ୍ୟ ରହିଥିଲେ। ଏଣୁ ତାଙ୍କର ସାଙ୍ଗଠନିକ ଦକ୍ଷତା ରହିଥିବା କୁହାଯାଉଛି। ଏହାଛଡ଼ା ପାର୍ଟି ଚଳାଇବା ପାଇଁ ମୋକିମଙ୍କ ହାତରେ ଅର୍ଥ ବଳ ବି ଅଛି। ଅନ୍ୟ ଯେଉଁ ୮ ଜଣ ବିଧାୟକ ଅଛନ୍ତି ସେମାନଙ୍କ ପାଖରେ ଅର୍ଥ ବଳ ନାହିଁ କି ସାଙ୍ଗଠନିକ ଦକ୍ଷତା ନାହିଁ। ଏଣୁ ନିରଞ୍ଜନଙ୍କୁ ହଟାଇ ମୋକିମଙ୍କୁ ସଭାପତି କରିବାକୁ ଜୋର୍ ଦିଆଯାଉଛି।

Comment