ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭରୁ ତାତିଛି। ଉଭୟ କଂଗ୍ରେସ ଏବଂ ବିଜେପି ଗୃହରେ ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ। ଫଳରେ ଗୃହ ସରଗରମ ରହିଥିଲା।
ଆଜିଠୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ। ପରମ୍ପରା ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଅଧିବେଶନ ଆରମ୍ଭ ହୋଇଥିଲା। ରାଜ୍ୟପାଳ ପ୍ରଥମେ ତାଙ୍କ ଅଭିଭାଷଣ ରଖିଥିଲେ।
ରାଜ୍ୟପାଳ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ମୋ’ ସରକାର, ୫-ଟି ଓ କାଳିଆ ଯୋଜନାକୁ ପ୍ରଶଂସା କରିଥିଲେ। ଫଳରେ ଏହାକୁ କଂଗ୍ରେସ ସହଜରେ ଗ୍ରହଣ କରିପାରିନି। ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଗୋଲାପି ଚିତ୍ର ଦେଖାଇଥିବା ଅଭିଯୋଗ ଆଣି କଂଗ୍ରେସ ସଦସ୍ୟ କକ୍ଷତ୍ୟାଗ କରିଥିଲେ।
‘‘ରାଜ୍ୟପାଳଙ୍କ ଅଭିଭାଷଣରେ କୌଣସି ନୂଆ କଥା ନାହିଁ। କୃଷି ଓ କୃଷକଙ୍କ ବିକାଶ ସମ୍ପର୍କରେ କୌଣସି କଥା ଉଲ୍ଲେଖ କରାଯାଇ ନାହିଁ। ଆଇନ ଶୃଙ୍ଖଳା ଏବଂ ବେକାରୀ ସମସ୍ୟା ଉପରେ ମଧ୍ୟ କିଛି ଉଲ୍ଲେଖ କରାଯାଇ ନାହିଁ’’, କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ଏପଟେ ବିଜେପି ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣରେ ଦୁଃଖ ପ୍ରକାଶ କରିଛି। ରାଜ୍ୟପାଳଙ୍କ ମୁହଁରେ ବିଜେଡି ମିଛ କୁହାଇଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି।
ସବୁଠୁ ବଡ଼ କଥା ହେଉଛି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ହେଲେ ସେତେବେଳେ ଅଫିସର ଗ୍ୟାଲେରୀରେ କୌଣସି ଅଫିସର ନଥିବାରୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ ଉଠାଇଥିଲେ। ଅଫିସରମାନଙ୍କୁ ଡାକନ୍ତୁ ବୋଲି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ହୋ-ହଲ୍ଲା ହୋଇଥିଲା।
ଏ ପ୍ରସଙ୍ଗରେ କୌଣସି ଗଣମାଧ୍ୟମରେ ଖବର ପ୍ରକାଶ ହୋଇପାରିବ ନାହିଁ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ। ଏହାକୁ ନେଇ ହଙ୍ଗାମା ହୋଇଥିଲା। ବାଚସ୍ପତି ଯେଉଁ ରୁଲିଂ ଦେଇଛନ୍ତି ତାହାକୁ ପ୍ରତ୍ୟାହାର କରିନେବାକୁ ଦାବି ହୋଇଥିଲା।


















