ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍କଟ ହେଉଛି ମାରାତ୍ମକ ରୋଗ। ପ୍ରାଥମିକ ଅବସ୍ଥାରୁ ହିଁ ଏହାର ଚିକିତ୍ସା କରାଇନେଲେ ଏଥିରୁ ମୁକ୍ତି ପାଇପାରିବେ। ହେଲେ କିଛି ଲୋକ ଜାଣିପାରନ୍ତି ନାହିଁ କ୍ୟାନ୍‌ସରର ଲକ୍ଷଣ ଓ ଏହାର ପ୍ରକାର ବିଷୟରେ। ଆସନ୍ତୁ ଜାଣିବା କର୍କଟର ପ୍ରକାର ଓ ଏହାର ଲକ୍ଷଣ।

ଆଜିକାଲି ସ୍ତନ କର୍କଟ ଅଧିକାଂଶ ମହିଳାଙ୍କ ପାଖରେ ଦେଖିବାକୁ ମିଳୁଛି। ଯଦି ସ୍ତନ କର୍କଟ ହୁଏ, ସାଧାରଣ ଭାବେ ସ୍ତନରେ ଗୋଟେ ମାଂସ ପିଣ୍ଡୁଳା ବଢ଼ିଥାଏ। ଏହା ପ୍ରଥମେ ଟ୍ୟୁମର ଓ ପରେ କ୍ୟାନସରର ରୂପ ନିଏ। ସ୍ତନ କର୍କଟ ପୁରୁଷଙ୍କୁ ମଧ୍ୟ ହେବାର ଆଶଙ୍କା ଥାଏ।

ଯଦି ଫୁସ୍‌ଫୁସ୍‌ରେ କର୍କଟ ରୋଗ ହୁଏ, ତେବେ ଏହାର ଲକ୍ଷଣ ହେଲା କାଶ ହେଉଥିବ କିନ୍ତୁ ଭଲ ହେଉ ନଥିବ। ୧୫ରୁ ୨୦ ଦିନ କିମ୍ବା ମାସେ ଧରି ସାଧାରଣ ଔଷଧରେ କାଶ ଭଲ ହେଉ ନଥିବ।

ମୁଣ୍ଡ ଓ ଗଳା କ୍ୟାନ୍‌ସରର ଲକ୍ଷଣ ହେଉଛି ନାକରୁ ରକ୍ତ ପଡ଼ୁଥିବ ଏବଂ ଖାଦ୍ୟ ଗିଳିବା ବେଳେ କଷ୍ଟ ଅନୁଭବ ହେବ। ଗଳାରେ ଗେଟା ବା ଗଣ୍ଠି ଭଳିଆ ହୋଇ ଏକ ମାଂସ ପିଣ୍ଡୁଳା ବାହାରିଥିବ, ଯାହା କମୁ ନଥିବ।

ମୁଖଗହ୍ୱର କ୍ୟାନ୍‌ସରର ଲକ୍ଷଣ ହେଲା ପାଟି ଭିତରେ ଘା’ ହୋଇଥିବ ଏବଂ ଔଷଧ ଖାଇବା ସୁଦ୍ଧା ଏହା ଶୁଖୁ ନଥିବ। ଯନ୍ତ୍ରଣାବିହୀନ ଅଲସର ମଧ୍ୟ ମୁଖଗହ୍ୱର କ୍ୟାନସରର ଲକ୍ଷଣ।

ସ୍ତନକର୍କଟ ଭଳି ସର୍ଭିକ୍ସ କ୍ୟାନସର ମହିଳାଙ୍କଠାରେ ଦେଖାଯାଏ। ଏହା ମହିଳାଙ୍କ ଜରାୟୁରେ ହୋଇଥାଏ। ଏହାର ଲକ୍ଷଣ ହେଲା ମାସିକ ଋତୁସ୍ରାବରେ ଅନିୟମିତ ହେବା।

ବହୁଦିନ ଧରି କାଶ ହେଉଥିବ, କାଶରେ ରକ୍ତ ପଡ଼ିବା ହେଉଛି ଫୁସ୍‌ଫୁସ୍‌ କର୍କଟର ଲକ୍ଷଣ।

ଏହିସବୁ କ୍ୟାନ୍‌ସରର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Comment