ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ପାଠ୍ୟପୁସ୍ତକ ନୁହେଁ ଡ୍ରଇଁ ଦେଖି ପାଠ ପଢ଼ିବେ ଛାତ୍ରାଛାତ୍ରୀ। ଭଳିକି ଭଳି ଚିତ୍ର ଦେଖି ପିଲମାନେ ପାଠ ପଢ଼ିବା ସହିତ ବିଭିନ୍ନ କାହାଣୀ ବିଷୟରେ ସୂଚନା ପାଇପାରିବେ। ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ନିର୍ଦ୍ଦେଶ ପରେ ଏଭଳି ଏକ ନିଆରା ପଦକ୍ଷେପ ଆରମ୍ଭ ହୋଇଛି ସୁନ୍ଦରଗଡ ଜିଲ୍ଲାରେ।

ପିଲାମାନଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଜିଲ୍ଲାର ସ୍କୁଲମାନଙ୍କରେ ଏକ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିରେ ପିଲାମାନଙ୍କୁ ଡ୍ରଇଁ ଦିଆଯାଉଛି, ଯେଉଁଥିରେ ଚିତ୍ର ସମ୍ବନ୍ଧରେ ଅଳ୍ପ କିଛି ସୂଚନା ରହୁଛି। ଏହି ସୂଚନାକୁ ଦେଖି ପିଲାମାନେ ପାଠ ପଢ଼ିବା ସହିତ ଜ୍ଞାନ ଅର୍ଜନ କରୁଛନ୍ତି।

“ପିଲାମାନେ କେବଳ ଅକ୍ଷର ଦେଖି ପାଠ ପଢ଼ିଲେ ବୋର୍ ହୋଇଯାଆନ୍ତି। ଚିତ୍ର ଦେଖି ପାଠ ପଢ଼ିବାକୁ ପିଲାମାନେ ସବୁବେଳେ ଆଗ୍ରହୀ। ତେଣୁ ଏହି  ଉପାୟରେ ପାଠ ପଢ଼ାଗଲେ ପିଲାମାନେ ପାଠ ପଢ଼ା ପ୍ରତି ଅଧିକ ଆଗ୍ରହ ଦେଖାଇବେ”, କହିଛନ୍ତି ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ଦାଶ।ଏଥିସହିତ ପିଲାମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଚିତ୍ର ମଧ୍ୟ ଯୋଗାଇ ଦିଆଯାଉଛି। ଏସବୁକୁ ବିଦ୍ୟାଳୟର ଲାଇବ୍ରେରୀରେ ସଂରକ୍ଷିତ କରି ରଖାଯିବ। ପିଲାମାନେ ମଧ୍ୟ ଆଗକୁ ନିଜେ ଏଭଳି ଚିତ୍ର ନିଜେ ତିଆରି କରି ନିଜେ ଏହାର କାହାଣୀ ଲେଖିବେ ବୋଲି କହିଛନ୍ତି ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ।

ଅନ୍ୟପଟେ ଜିଲ୍ଲାର ସରକାରୀ ସ୍କୁଲରେ ଏଭଳି ଏକ ଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ପିଲାମାନଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଏଭଳି ଉପାୟରେ ପାଠ ପଢ଼ାଇଲେ ପିଲମାନଙ୍କର କୌଣସି ପାଠ ଅବୁଝା ରହିବନି ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ କହୁଛନ୍ତି।

ଏହା ପୂର୍ବରୁ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ରାସ୍ତାରେ ବୁଲି ବୁଲି ବହି ବାଣ୍ଟିବା କଥା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏବେ ଜିଲ୍ଲାପାଳଙ୍କ ଏଭଳି କାମ ତାଙ୍କୁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆଣିଛି।

Comment