ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ଦଳକୁ ସଙ୍କଟ ମୁହଁରୁ ବଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ସାନି ଉଦ୍ୟମ ଆରମ୍ଭ ହୋଇଛି। ଓଡ଼ିଶା ଦାୟିତ୍ୱରେ ଥିବା ଜିତେନ୍ଦ୍ର ସିଂହ ସୋମବାର ଦିନ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ସମୟ ମଧ୍ୟରେ ସେ ଦଳର ବରିଷ୍ଠ ନେତାମାନଙ୍କ ସହ ସାଙ୍ଗଠନିକ ବିଷୟ ନେଇ ଆଲୋଚନା କରିବାର ସମ୍ଭାବନା ରହିଛି। ସିଂହ ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଯାଇ ବରିଷ୍ଠ ନେତାମାନଙ୍କୁ ଭେଟିବେ ଓ ସଂଗଠନକୁ ସଜାଡ଼ିବା ନେଇ ପରାମର୍ଶ ଲୋଡ଼ିବେ। ତାଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ଯିବେ ବୋଲି ଜଣାପଡ଼ିଛି।

ଜିତେନ୍ଦ୍ର ସିଂହଙ୍କ ସହ ପିସିସିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଓ ଅନିଲ ଚୌଧୁରୀ ମଧ୍ୟ ଜିଲ୍ଲା ଗସ୍ତ କରିବେ। ମଙ୍ଗଳବାର, ବୁଧବାର ଓ ଗୁରୁବାର ଦିନ ଜିତେନ୍ଦ୍ର ସିଂହ ତିନି ଜିଲ୍ଲାର ସଦର ମହକୁମାରେ ପହଞ୍ଚି ଆଖପାଖ ଜିଲ୍ଲାର ନେତାମାନଙ୍କ ସହ ବି ଆଲୋଚନା କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ଏହି ବୈଠକରେ ସଂସଦ ଓ ବିଧାନସଭା ପ୍ରାର୍ଥୀ, ପୂର୍ବ ଡିସିସି ସଭାପତି, ଛାମୁଆ ସଂଗଠନର ଅଧ୍ୟକ୍ଷ, ପୂର୍ବତନ ସାଂସଦ ଓ ବିଧାୟକ ଓ ଅନ୍ୟାନ୍ୟ ନେତା ସାମିଲ ହେବେ।

ଜିତେନ୍ଦ୍ର ସିଂହଙ୍କ ଗସ୍ତକୁ ଏଥି ପାଇଁ ଗୁରୁତ୍ୱ ଦିଆଯାଉଛି ଯେ ଦଳର ସଂଗଠନକୁ ସଜାଡ଼ିବା ନିହାତି ଆବଶ୍ୟକ ହୋଇ ପଡ଼ିଛି। ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ଅବ୍ୟାହତି ଦେବା ପାଇଁ ଯେଉଁ ଦାବି ଉଠିଛି ଜିତେନ୍ଦ୍ରଙ୍କ ଗସ୍ତ ସେହି ଦୃଷ୍ଟିରୁ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ଉଲ୍ଲେଖଯୋଗ୍ୟ ଯେ, ନିରଞ୍ଜନ ବିରୋଧୀମାନେ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି ଭାବେ ଦେଖିବା ପାଇଁ ଚାହାଁନ୍ତି।

Comment