ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର, ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶରେ କୌଣସି କାର୍ଯ୍ୟ କରୁନଥିବା ଅଭିଯୋଗ କରିଛି କଂଗ୍ରେସ। ଜିଲ୍ଲାର ବିକାଶ ପାଇଁ ସରକାର ଜିଲ୍ଲାବାସୀଙ୍କର ବିଭିନ୍ନ ଦାବି ପୂରଣ କରିବାକୁ କଂଗ୍ରେସ ଦାବି କରିଛି। ଦାବି ସହ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛି କଂଗ୍ରେସ।

କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ଆଜି ଜିଲ୍ଲା କଂଗ୍ରେସ ରଣହୁଙ୍କାର ଦେଇଛି। ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତାମାନେ ସରକାର ବିରୋଧୀ ନାରାଦେଇ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ସ୍ଵାସ୍ଥ୍ୟ ବିଭାଗର ଅବସ୍ଥା ବିଗିଡ଼ିବାରେ ଲାଗିଛି। ଡାକ୍ତରଖାନାରେ ଡାକ୍ତର ଅଭାବ ସାଙ୍ଗକୁ ଭିତ୍ତିଭୂମିର ଅଭାବ ଯୋଗୁଁ ଅନେକ ରୋଗୀଙ୍କର ଅକାଳରେ ମୃତ୍ୟୁ ଘଟୁଛି। ଛୋଟଛୋଟ ରୋଗର ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ଯିବାକୁ ପଡୁଛି। ସେଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଉନ୍ନତି ପାଇଁ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଦାବି କରିଛି କଂଗ୍ରେସ।

ସେହିପରି ଜିଲ୍ଲାରେ ଶିକ୍ଷାର ଉନ୍ନତି ପାଇଁ ମଧ୍ୟ କଂଗ୍ରେସ ଦାବି କରିଛି। କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟର ଅନେକ ବିଭାଗରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଏହାସହ କେନ୍ଦ୍ରାପଡ଼ା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମଧ୍ୟ ଦାବି କରିଛି କଂଗ୍ରେସ।

କେନ୍ଦ୍ରାପଡ଼ା ରାଜ୍ୟର ଏକ ସର୍ବ ପ୍ରାଚୀନ ପୌରସଂସ୍ଥା। ହେଲେ ଏହି ସହରର ଦୁଇ ପାଖରେ ପ୍ରବାହିତ ଗୋବରୀ ନଦୀ ଓ ଗୋବରୀ କେନାଲ ପୌରିଞ୍ଚଳକୁ ଦୂଷିତ କରିବା ସହିତ ତଳ ମୁଣ୍ଡରେ ଥିବା ଅଞ୍ଚଳର କ୍ଷତି ଘଟାଉଛି। ଫଳରେ ଏହି ଦୁଇ ଜଳାଶୟ ପାଇଁ ତଳିଆ ଅଞ୍ଚଳର ଲୋକେ ବିଭିନ୍ନ ରୋଗରେ ଘାଣ୍ଟି ହେଉଛନ୍ତି। ତେଣୁ ଗୋବରୀ ନଦୀର ପୁନରୁଦ୍ଧାର ଓ ଗୋବରୀ ନଦୀର ନବୀକରଣ ଦାବି କରାଯାଇଛି।

କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ସମେତ ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା, ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି  ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ସମସ୍ତ ଦାବି ପତ୍ରକୁ କେନ୍ଦ୍ରାପଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଗ୍ରହଣ କରିଛନ୍ତି।

Comment