ଓଡ଼ିଶାଲାଇଭ ବ୍ୟୁରୋ

କଟକ: ବାଙ୍କୀ ଡବଲ୍ ମର୍ଡର ଘଟଣାରେ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରୀପଦା ଗ୍ରାମର ଭାଗବତ ପ୍ରଧାନଙ୍କ ପୁଅ ବଳଭଦ୍ର ପ୍ରଧାନ ଓ ବାବାଜୀ ସ୍ୱାଇଁଙ୍କ ପୁଅ ଜିତୁ ସ୍ୱାଇଁ। ସ୍ୱତନ୍ତ୍ର ପୋଲିସ୍ ଟିମ୍ ଉଭୟଙ୍କୁ ନୟାଗଡ଼ରୁ ଗିରଫ କରିଛି। ଜିତୁ ଅଟକ ରହିଥିବା ବେଳେ ବଳଭଦ୍ରକୁ ପୋଲିସ କୋର୍ଟ ଚାଲାଣ କରିଛି।

ଗତ ୧୫ତାରିଖ ଶନିବାର ଅପରାହ୍‌ଣରେ ବାଙ୍କୀ ବ୍ଲକ୍ ଯୋକଲାଞ୍ଜି ଡ୍ୟାମ୍ ନିକଟରେ ଡବଲ୍ ମର୍ଡର ହୋଇଥିଲା। ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ଏକ ୱେବ୍ ଚ୍ୟାନେଲର ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ବିଚ୍ ରାସ୍ତାରେ ଗୋଡେ଼ଇ ଗୋଡେ଼ଇ ହାଣିଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲେ ବି ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ହତ୍ୟାକାରୀଙ୍କୁ ଧରିବା ପୋଲିସ୍ ପାଇଁ ଚ୍ୟାଲେଞ୍ଜିଂ ହୋଇଥିଲା।

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ମର୍ଡର କରାଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ମୃତ୍ୟୁ ପୂର୍ବରୁ ଭଗବାନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଭିଡ଼ିଓ ଭାଇରାଲ ହେବା ପରେ ଘଟଣା ପଛରେ ଥିବା ଅଭିଯୁକ୍ତଙ୍କ ସୂଚନା ମିଳିଥିଲା।

ବାଙ୍କୀ ଓ ବୈଦ୍ୟେଶ୍ୱର ଥାନା ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ହତ୍ୟାକାଣ୍ଡ ପରେ ଫେରାର ହୋଇଥିବାରୁ ନାକେଦମ୍ ହୋଇଥିଲା ପୋଲିସ୍। ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ୪ଟି ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତଙ୍କ ସୂଚନା ପାଇ କଟକ ବାହାରକୁ ଯାଇଥିଲା। ବିଭିନ୍ନ ଜିଲ୍ଲା ଯାଇ ଅଭିଯୁକ୍ତଙ୍କ ସନ୍ଧାନ ଚଳାଇଥିବା ବେଳେ ଗତକାଲି ରାତିରୁ ନୟାଗଡ଼ରୁ ଉଭୟ ବଳଭଦ୍ର ଓ ଜିତୁଙ୍କୁ ଗିରଫ କରାଯାଇଥିଲା।

Comment