ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁରର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କର ଗୁରୁବାର ମୃତ୍ୟୁ ଘଟିଛି। ଏସପି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମୀନାକ୍ଷୀ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗତ ୨୮ ତାରିଖରେ ମୀନାକ୍ଷୀଙ୍କ ପୁଅ କ୍ରିତିବାସ ମିଶ୍ରଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏନେଇ ମୀନାକ୍ଷୀ ପୋଲିସରେ ଅଭିଯୋଗ କରିଥିଲେ। ଏହି ମାମଲାରେ ସୁନୀଲ ମହାରଣା ନାମକ ଅନ୍ୟ ଜଣେ ଯୁବକ ଓ ତାଙ୍କ କେତେକ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ୍। ସେମାନଙ୍କର ପାଲଟା ଅଭିଯୋଗରେ କ୍ରିତିବାସ ବି ଗିରଫ ହୋଇଥିଲେ।

ଫେବୃଆରୀ ୧୨ ତାରିଖ ମିନାକ୍ଷୀ ମିଶ୍ର ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ କୁମାର ରାଉତରୟା ଙ୍କ ନିକଟକୁ ଆସି ତାଙ୍କ ପୁଅ ରାଜା କୁ କାହିଁକି ଗିରଫ କରାଗଲା ସେ ବିଷୟ ଜାଣିବାକୁ ଚାହିଁଥିଲେ। ସେତେବେଳେ ଏସପି ପିନାକ ମିଶ୍ର ଅନ୍ୟ କାମରେ ବ୍ୟସ୍ତ ଥିଲେ। ଘଟଣାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସପି ପ୍ରତିଶ୍ରୁତି ଦେଇଥିଲେ। ଏହାସତ୍ତ୍ୱେ ମିନାକ୍ଷୀ ଅଫିସ ଆଗକୁ ଆସି ନିଜ ଉପରେ ନିଜେ କିରାସିନି ଢ଼ାଲିଦେଇ ଆତ୍ମାହୁତି ଉଦ୍ୟମ କରିଥିଲେ।

ଗୁରୁତର ଅବସ୍ଥାରେ ମିନାକ୍ଷୀ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିଲେ। ଗତ ୧୪ ତାରିଖରେ ତାଙ୍କ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା।

Comment