ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ମହାଶିବରାତ୍ରୀ ବା ଜାଗର। ମହାଦେବଙ୍କର ସବୁଠୁ ବଡ଼ ପର୍ବ। ଏଥିପାଇଁ ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏଥର ଜାଗର ପାଇଁ ନୂଆ ରୂପରେ ସଜେଇ ହୋଇଛି ପ୍ରଭୁଶ୍ରୀ ଲିଙ୍ଗରାଜ ମନ୍ଦିର। ଏହି ଅବସରରେ ଭୋଳାନାଥଙ୍କ ଦର୍ଶନ ଲାଗି ବହୁ ଦୂର ଦୂରାନ୍ତରୁ ଆସିଛନ୍ତି ଭକ୍ତ। ହଜାର ହଜାର ଭକ୍ତଙ୍କ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ଲିଙ୍ଗରାଜ ମନ୍ଦିର। ରାତି ୩ଟାରୁ ପ୍ରଭୂଙ୍କ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିଥିଲେ ଭକ୍ତ।

ଲିଙ୍ଗରାଜ ମନ୍ଦିରରେ ଭକ୍ତିମୟ ପରିବେଶରେ କିଭଳି ମହାଦେବଙ୍କ ସ୍ୱତନ୍ତ୍ର ପୂଜାଅର୍ଚ୍ଚନା ଚାଲିଛି ଏବଂ ଭକ୍ତ କିଭଳି ଉତ୍ସାହରେ ପ୍ରଭୁଙ୍କ ଦର୍ଶନ କରୁଛନ୍ତି ଓ କେତେ ସମୟ ସେମାନଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଛି ଜାଣିବା ପାଇଁ ଓଡ଼ିଶାଲାଇଭ୍‌ ଟିମ୍‌ ପହଞ୍ଚିଥିଲା ଲିଙ୍ଗରାଜ ମନ୍ଦିରରେ।

‘‘ମହାଶିବରାତ୍ରୀରେ ନିଷ୍ଠାର ସହ ଶିବଙ୍କୁ ଆରାଧନା କଲେ ସାତ ଜନ୍ମର ପାପ କ୍ଷୟ ହୋଇଥାଏ। ପ୍ରଭୁ ସନ୍ତୁଷ୍ଟ ହେଲେ ନିଶ୍ଚୟ ମନସ୍କାମନା ପୂରଣ କରିଥାନ୍ତି’’, କହିଛନ୍ତି ଲିଙ୍ଗରାଜଙ୍କ ବଡୁ ସେବକ ୠତୁ ମକନ୍ଦ।

ତାଙ୍କ କହିବା ଅନୁସାରେ ରାତି ସାଢ଼େ ୩ଟାରେ ମନ୍ଦିର ପହଡ଼ ଖୋଲାଯାଇ ପ୍ରଭୁଙ୍କ ପୂଜା ଆଳତୀ, ଅବକାଶ ଓ ଭିତର ଦର୍ଶନ ହୋଇଛି। ଦିନ ୧୧ଟା ଯାଏଁ ସାହଣମେଲା ଦର୍ଶନ ପରେ ଭିତର ସଫା ହେବ। ତା’ପରେ ମହାପ୍ରଭୁଙ୍କ ଭୋଗନୀତି ହେବ। ରାତି ୧୦ଟାରେ ମହାଦୀପ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଶାସନ ଏଥର ଭଲ ବ୍ୟବସ୍ଥା କରିଛି। ସୁରୁଖୁରୁ ପୂଜା ଅର୍ଚ୍ଚନା ଚାଲିଥିବା ବେଳେ ଭକ୍ତ ମଧ୍ୟ ଶୃଙ୍ଖଳିତ ଦର୍ଶନ କରୁଛନ୍ତି।

‘‘ରାତି ୪ଟାରୁ ଆସି ଧାଡ଼ି ହୋଇ ଛିଡ଼ା ହୋଇଛି, କଷ୍ଟ ଲାଗୁଛି ହେଲେ ଭଗବାନଙ୍କ ଦର୍ଶନ କରିବାରେ ଯେଉଁ ଆନନ୍ଦ ଅଛି ତା’ ଆଗରେ କଷ୍ଟ କିଛି ନୁହେଁ। ଭଗବାନ ମୋର ସବୁ ମନସ୍କାମନା ପୂରଣ କରିଛନ୍ତି। ସବୁ ଭକ୍ତଙ୍କ ମନସ୍କାମନା ପାଇଁ ମୁଁ ଠାକୁରଙ୍କ ପାଖରେ ଗୁହାରି କରିବି’’, କହିଛନ୍ତି ଭକ୍ତ ପୁଷ୍ପଲତା ବେହେରା

‘‘ବହୁତ ବର୍ଷରୁ ଶିବରାତ୍ରୀ ବ୍ରତ କରୁଛି ହେଲେ ପ୍ରଥମ ଥର ପାଇଁ ଲିଙ୍ଗରାଜ ମନ୍ଦିର ଆସିଛି। ଶିବଙ୍କ ଦର୍ଶନ ପାଇଁ ଭୋରରୁ ଅପେକ୍ଷା କରିଛି। ମନରେ ଉତ୍ସାହ, ଆନନ୍ଦ ଅଛି ନିଶ୍ଚୟ ଭଗବାନ ମନସ୍କାମନା ପୂରଣ କରିବେ’’, କହିଛନ୍ତି ଉତ୍ତରପ୍ରଦେଶରୁ ଆସିଥିବା ଜଣେ ଭକ୍ତ।

‘‘ସକାଳ ୩ଟାରୁ ଉଠି ମହାଦେବଙ୍କ ଦର୍ଶନ ପାଇଁ ଆସିଛି। ଭକ୍ତ ଆଗରେ ଧାଡ଼ିରେ ଛିଡ଼ା ହେବାର କଷ୍ଟ ଅନୁଭବ ହେଉନି। ଭଗବାନଙ୍କ ଆଶୀର୍ବାଦ ରହିଛି ଯେତେ ବିଳମ୍ବ ହେଲେ ବି ଭଗବାନଙ୍କ ଦର୍ଶନ କରିକି ଯିବ’’, କହିଛନ୍ତି ଭକ୍ତ ବ୍ରହ୍ମନାରାୟଣ ରଥ।

‘‘ମୋ ପରିବାରର ଖୁସି ଓ ତାଙ୍କ ମଙ୍ଗଳ କାମନା ପାଇଁ ମହାଶିବରାତ୍ରୀ କରୁଛି। ପ୍ରଭୁଙ୍କ ଉପରେ ମୋର ଢେର ବିଶ୍ୱାସ ରହିଛି। ସେ ନିଶ୍ଚୟ ମନସ୍କାମନା ପୂରଣ କରିବେ’’, କହିଛନ୍ତି ଜଣେ ଭକ୍ତ ବିଜୟ ବାରିକ।

Comment