ନୀଳାମ୍ବର ରଥ

ଏବେ ଗୋଟେ ଟିଭି ଚ୍ୟାନେଲରେ ଖବର ଦେଖିବା ବେଳେ ଏକ ତଥାକଥିତ ବଡ଼ ଖବର ଉପରେ ନଜର ପଡ଼ିଲା। ଟିଭି ଚ୍ୟାନେଲର ଆଙ୍କର କହିଲେ ଯେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ପୁରୀରେ ଭିକ୍ଷା ମାଗୁଛନ୍ତି। ରାଜ୍ୟରେ ବେକାରି ସମସ୍ୟାର ଏହା ଏକ ଚରମ ରୂପ ବୋଲି ଯେ କେହି ଖବରଟି ଦେଖୁ ଦେଖୁ ଭାବି ପାରନ୍ତି।

ଯେତେବେଳେ ଖବରଟି ଟିଭି ପରଦାରେ ଦେଖିବାକୁ ମିଳିଲା ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଗୋଟେ ଅଟୋରେ ବସିଛନ୍ତି ଓ ତାଙ୍କୁ ଘେରି ରହିଛନ୍ତି ତାଙ୍କର କିଛି ସାଙ୍ଗସାଥୀ, ସାହି ପଡ଼ିଶା ଓ ଦେଖଣାହାରୀ। ଟିଭି ଚ୍ୟାନେଲର ସ୍ଥାନୀୟ ରିପୋର୍ଟର ଆଙ୍କରଙ୍କ ସହ କଥାବାର୍ତ୍ତା ବେଳେ ମଧ୍ୟ ବୁଝି ହେଲା ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି କାରଣରୁ ପାଗଳ ଭଳି ଅବସ୍ଥାକୁ ଆସିଯାଇଛନ୍ତି।

ରିପୋର୍ଟର ଯାହା ବର୍ଣ୍ଣନା କଲେ, ସେଥିରୁ ଜଣାପଡ଼ିଲା ଯେ ସମ୍ପୃକ୍ତ ବ୍ୟକ୍ତି ଓଏସ୍‌ ଲିଖିତ ପରୀକ୍ଷାରେ ପାସ୍‌ ହୋଇଥିଲେ। କିନ୍ତୁ ଓଏସ୍‌ ମୌଖିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନଥିଲେ। ଜଣେ ଅତି ପାଠୁଆ ଲୋକ ପାଗଳ ହୋଇଗଲା ଭଳି କଥା।

ପ୍ରାୟ ତିନିରୁ ଚାରି ମିନିଟ୍‌ ଧରି ଏହି ରିପୋର୍ଟଟି ଟିଭି ପରଦାରେ ଦେଖିବାକୁ ମିଳିଲା। ତା’ଭିତରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଥିବା ଦୁଇ ଜଣ ସ୍ଥାନୀୟ ଲୋକଙ୍କ ସାକ୍ଷାତକାର ମଧ୍ୟ ରହିଥିଲା। ଜଣେ ବ୍ୟକ୍ତି ଅତି ସ୍ପଷ୍ଟ ଭାବେ କହିଲେ ଯେ ତାଙ୍କ ସାଙ୍ଗ ପାଗଳ ହୋଇଯାଇଛି ଏବଂ ସେମାନେ ସମସ୍ତେ ମିଶି ତାଙ୍କୁ କୌଣସି ପ୍ରକାର ଡାକ୍ତରଖାନାକୁ ନେଉଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ଅବସ୍ଥା ଏବଂ ଭାବଭଙ୍ଗୀରୁ ଏକଥା ସ୍ପଷ୍ଟ ବାରି ହୋଇପଡ଼ୁଥିଲା।

ସବୁଠାରୁ ରୋଚକ କଥା ହେଉଛି ଟିଭି ମିଡିଆର ରିପୋର୍ଟର ସମ୍ପୃକ୍ତ ପାଗଳ ବ୍ୟକ୍ତିଙ୍କ ସାକ୍ଷାତକାର ମଧ୍ୟ ରେକର୍ଡ କରିଥିଲେ ଏବଂ ତାହା ସେହି ନ୍ୟୁଜ୍‌ରେ ଦେଖିବାକୁ ମିଳିଥିଲା। ଏହି ସାକ୍ଷାତକାରରେ ବ୍ୟକ୍ତି ଜଣକ ଯାହା କହୁଥିଲେ ସେଥିରୁ କିଛି ବୁଝିବା ସମ୍ଭବ ନୁହେଁ। କଥା ମଝିରେ ସେ ବାରମ୍ବାର ଭଗବାନ ଓ ସଇତାନଙ୍କ ବିଷୟ ଉଠାଉଥିଲେ।

ଏହି ଖବରଟି ଅନ୍ୟ ଟେଲିଭିଜନ ଚ୍ୟାନେଲ, ଖବରକାଗଜ କିମ୍ବା ଡିଜିଟାଲ ମିଡିଆ ପ୍ରକାଶ କରି ନଥିବେ ଏକଥା ମୁଁ କହିପାରିବିନି। ଯଦି ଅନ୍ୟମାନେ ଖବରଟି ପ୍ରସାରଣ କରିଥା’ନ୍ତି ତେବେ କିଏ ତାକୁ କିଭଳି ଉପସ୍ଥାପନ କରିଛନ୍ତି ସେ ବିଷୟରେ ମୋର ମଧ୍ୟ କୌଣସି ଧାରଣା ନାହିଁ। କିନ୍ତୁ ଗୋଟିଏ କଥା ମନକୁ ଆସୁଛି ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଗୋଟେ ଖବରକୁ ଆମେ କିଭଳି ପରିବେଷଣ କରୁଛୁ ଏବଂ କେତେ ଲମ୍ବା ଓ କେତେ ଗଭୀରତା ପର୍ଯ୍ୟନ୍ତ ଟାଣିବାକୁ ଚାହୁଁଛୁ – ଏ ବାବଦରେ ଆଉ ନ୍ୟୁଜ୍‌ ଫ୍ଲୋରରେ ସମ୍ଭବତଃ କୌଣସି ବାଡ଼ ବତା ନାହିଁ।

ଖବରର ପ୍ରଥମ ଧାଡ଼ିକୁ ଫେରିବା। ଜଣେ ଅତି ଶିକ୍ଷିତ ବ୍ୟକ୍ତି ଚାକିରି ନ ପାଇ ପୁରୀ ଆସି ଭିକ୍ଷା ବୃତ୍ତିକୁ ବାଛି ନେଇଛନ୍ତି – ଆରମ୍ଭରୁ ଯେ କେହି ଦର୍ଶକ ଏଇଆ ହିଁ ବୁଝିବ। କିନ୍ତୁ ଭିତରେ ପଶିଲା ପରେ ଖବରଟି ଯେ ସମ୍ପୂର୍ଣ୍ଣ ଭିନ୍ନ ତାହା ବୁଝିବାକୁ ବେଶି ସମୟ ଲାଗିବନି। ଖବରକୁ ଏଭଳି ଭାବେ ପରିବେଷଣ କରିବା ନେଇ ଜଣେ ଦର୍ଶକ ବା ପାଠକ ମିଡିଆକୁ ତାଳି ଦେବ କି ଗାଳି ଦେବ ସେ କଥା ଖୋଲି କରି କହିବାର ଆବଶ୍ୟକତା ନାହିଁ।

ଜଣେ ସାମ୍ବାଦିକ ଭାବରେ ଏକଥାଟି ଲେଖିବା ବେଳେ ମତେ ମଧ୍ୟ ସହଜ ଲାଗୁ ନାହିଁ। କୌଣସି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବା କୌଣସି ବ୍ୟକ୍ତିର ଦୋଷ ତ୍ରୁଟି ଦେଖାଇବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ। କାରଣ ଏକଥା କହିଲେ ହୁଏତ ଆପଣମାନଙ୍କୁ ଖରାପ ଲାଗିବ ଯେ ‘କମ୍ବଳ ଯାକ ବାଳ’!

ଆଜିର ଦିନରେ ଖବରକାଗଜ, ଟେଲିଭିଜନ ଓ ଡିଜିଟାଲ ମିଡିଆ ଭିତରେ ମରାମରି ଚାଲିଛି। ତା’ସାଙ୍ଗକୁ ସୋସିଆଲ ମିଡିଆରେ ଅନେକ ତଥ୍ୟ ତତ୍କାଳ ମିଳିଯାଉଥିବାରୁ ପାଠକ ଓ ଦର୍ଶକମାନେ ବହୁ ସମୟରେ କୌଣସି ନିର୍ଦ୍ଦିଷ୍ଟ ମିଡିଆ ଉପରେ ନିର୍ଭର କରୁ ନାହାନ୍ତି। ବିଶେଷକରି ସୂଚନା ପ୍ରସାରଣ ପାଇଁ ମୋବାଇଲ ଆପ୍ଲିକେସନ୍‌ର ବ୍ୟବହାର ଫଳରେ ପାଠକ ଓ ଦର୍ଶକଙ୍କୁ ଆଉ କୌଣସି ତଥାକଥିତ ମେନ୍‌ଷ୍ଟ୍ରିମ୍‌ ମିଡିଆରେ ବାନ୍ଧି ରଖିବା ସମ୍ଭବପର ହେବ ନାହିଁ। ଆଜି ବିଶେଷଜ୍ଞମାନେ ଖବରକାଗଜ, ଟେଲିଭିଜନ ଆଦିକୁ ‘ଲିଗାସି ମିଡିଆ’ ବୋଲି ନାଁ ଦେବାକୁ ପଛାଉ ନାହାନ୍ତି, କାରଣ ସ୍ପିଡ୍‌, ଏନ୍‌ଗେଜ୍‌ମେଣ୍ଟ ଦୃଷ୍ଟିରୁ ଡିଜିଟାଲ ମିଡିଆ ଅତୀତର ସବୁ ମିଡିଆକୁ ଟପି ଯିବାକୁ ବସିଲାଣି।

ଆଜି ଘରେ ଘରେ ଖବରକାଗଜ ଖୋଲା ହେଉନି। ଦିନ ଦିନ ଧରି ଟିଭିରେ ନ୍ୟୁଜ୍‌ ଚ୍ୟାନେଲ ଅନ୍‌ ହେଉନି। କାରଣ ମୋବାଇଲ ମିଡିଆ ସମସ୍ତଙ୍କୁ ଗିଳିବା ଆରମ୍ଭ କରି ଦେଲାଣି। ତେଣୁ ଖବରକାଗଜ ଓ ଟେଲିଭିଜନର ସାମ୍ବାଦିକ ବନ୍ଧୁମାନେ ଟିକେ ଏ ବିଷୟରେ ବୁଝିବା ଭଲ। ଯେତେଶୀଘ୍ର ବୁଝି ଯିବେ ସେତେ କାମରେ ଆସିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

LEAVE A REPLY

Please enter your comment!
Please enter your name here