ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଚଳିତ ରଣଜୀ ସିଜିନରେ ଓଡ଼ିଶାର ସେମିଫାଇନାଲ ଆଶା ପୂରଣ ହେବାର ସମ୍ଭାବନା କ୍ଷୀଣ ହୋଇଛି। ପ୍ରଥମ ଇନିଂସ ଅଗ୍ରଣୀ ସୁଯୋଗ ହରାଇବା ପରେ ଓଡ଼ିଶା ପାଖରେ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିବାର ଏକମାତ୍ର ସୁଯୋଗ ଥିଲା। କିନ୍ତୁ ଏବେ ଏହା ବି ସମ୍ଭବ ନୁହେଁ ବୋଲି ମ୍ୟାଚ ସ୍ଥିତିରୁ ଜଣାପଡ଼ିଛି। ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ବେଙ୍ଗଲ ଦ୍ଵିତୀୟ ଇନିଂସରେ ଓଡ଼ିଶାଠାରୁ ୪୪୩ରନ୍‌ର ଅଗ୍ରଣୀ ହାସଲ କରିଛି। ଆଜି ଚତୁର୍ଥ ଦିନ ଷ୍ଟମ୍ପ ପ୍ରସାରଣ ସୁଦ୍ଧା ବେଙ୍ଗଲ ୭ୱିକେଟରେ ୩୬୧ରନ୍ କରିଥିବା ବେଳେ ହାତରେ ଆହୁରି ୩ୱିକେଟ ସୁରକ୍ଷିତ ରଖିପାରିଛି।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବେଙ୍ଗଲ ଦ୍ଵିତୀୟ ପାଳିରେ ୨ୱିକେଟରେ ୭୯ରନ୍ କରିଥିଲା। ଅଭିମନ୍ୟୁ ଇଶ୍ୱରନ୍ ୩୦ ଓ କୌଶିକ୍ ଘୋଷ ୪୧ରନ୍ କରି ଆଉଟ୍ ହୋଇଥିଲେ। ଅପରାଜିତ ଯୋଡ଼ି ଅଭିଷେକ ରମଣ ଓ ମନୋଜ ତିୱାରୀ ବ୍ୟାଟିଂରୁ ଆଜିର ଖେଳ ଆରମ୍ଭ ହୋଇଥିଲା। ପିଚ୍‌ରେ ରହି ସ୍କୋର ପାଇଁ ସଂଘର୍ଷ କରୁଥିବା ମନୋଜ ତିୱାରୀ ୩୫ବଲ୍‌ରୁ ମାତ୍ର ୬ରନ୍ କରି ଦେବବତ୍ର ପ୍ରଧାନଙ୍କ ବଲ୍‌ରେ ୱିକେଟ ହରାଇଥିଲେ।

ପରେ ପ୍ରଥମ ଇନିଂସରେ ଶତକୀୟ ପାଳି ଖେଳିଥିବା ଅନୁସ୍ତୁପ ମଜୁମଦାର ପଡ଼ିଆକୁ ଓହ୍ଲାଇ ରମଣଙ୍କ ସହ କିଛି ସମୟ ପରି ଭାଗିଦାରୀରେ ରହିଥିଲେ ବି ଗୋବିନ୍ଦ ପୋଦ୍ଦାରଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ୩୩ବଲ୍‌ରୁ ଅନୁସ୍ତୁପ କରିଥିଲେ ମାତ୍ର ୧୦ରନ୍‌(୧ଟି ଚୌକା)। ୧୧୫ରନ୍‌ରେ ବେଙ୍ଗଲ ମୂଲ୍ୟବାନ୍ ୪ୱିକେଟ ହରାଇ ବସିଥିବା ବେଳେ ଓଡ଼ିଶା ପାଇଁ ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ରମଣ ଓ ଶ୍ରୀବତ୍ସ ଗୋସ୍ୱାମୀଙ୍କ ମଧ୍ୟରେ ୧୦୨ରନ୍‌ର ଭାଗିଦାରୀ ଓଡ଼ିଶାର ସବୁ ଆଶା ଭାଙ୍ଗିଦେଇଥିଲା। ରମଣ ୬୭ରନ୍ କରି ଗୋବିନ୍ଦ ପୋଦ୍ଦାରଙ୍କ ବଲ୍‌ରେ ୱିକେଟ ହରାଇବା ପରେ ସାହାବାଜ୍ ମହମ୍ମଦଙ୍କ ଅର୍ଦ୍ଧଶତକୀୟ ପାଳି ବେଙ୍ଗଲର ଦଳୀୟ ସ୍କୋରକୁ ତ୍ରିଶତକଠାରୁ ଆଗକୁ ନେଇଯାଇଥିଲା।

ସାହାବାଜ୍ ୯୩ବଲ୍‌ରୁ ୩ଟି ଚୌକା, ୧ଟି ଛକା ସହାୟତାରେ ୫୨ରନ୍ କରିଥିବା ବେଳେ ଶ୍ରୀବତ୍ସ ୧୩୪ବଲ୍‌ରୁ ୧୧ଟି ଚୌକା ବଳରେ ୭୮ରନ୍ କରି ଦଳର ସ୍ଥିତି ମଜଭୁତ୍ କରିଥିଲେ। ଉଭୟଙ୍କ ୱିକେଟ ନୂତନ ପରେ ଅର୍ଣ୍ଣବ ନନ୍ଦି ୭୫ବଲ୍‌ରୁ ୪୫ରନ୍‌ର ଇନିଂସ ଖେଳିଥିବା ଦଳୀୟ ସ୍କୋର ୩୬୧ରନ୍ ଛୁଇଁଥିଲା। ସେହିପରି ମୁକେଶ କୁମାର ୬ରନ୍ କରି ଅପରାଜିତ ରହିଛନ୍ତି। ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାରଙ୍କୁ ୩ୱିକେଟ ସଫଳତା ମିଳିଛି। ଅନୁରାଗ ଷଡ଼ଙ୍ଗୀ ୨ଟି ୱିକେଟ ନେଇଥିବା ବେଳେ ଦେବବ୍ରତ ଓ ପ୍ରୀତ କଅଁର ସିଂ ଚୌହ୍ୱାନ ଗୋଟିଏ ଲେଖାଏଁ ପାଇଛନ୍ତି।

ବେଙ୍ଗଲ ପ୍ରଥମ ଇନିଂସରେ ୩୩୨ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଜବାବରେ ଓଡ଼ିଶା ୨୫୦ରନ୍‌ରେ ସୀମିତ ରହିବା ପରେ ବେଙ୍ଗଲ ଦ୍ଵିତୀୟ ଇନିଂସରେ ୭ୱିକେଟରେ ୩୬୧ରନ୍ କରିଛି। ୪ୱିକେଟ ସୁରକ୍ଷିତ ରଖି ବେଙ୍ଗଲ ୪୪୩ରନ୍‌ରେ ଘରୋଇ ଦଳଠାରୁ ଆଗୁଆ ରହିଛି।

Comment