ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡ ଘଟଣାରେ ସ୍ଵାମୀ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ, ଜାଣନ୍ତୁ ପୂରା ଘଟଣା।

୭ ବର୍ଷ ପରେ ସ୍ତ୍ରୀହନ୍ତାକୁ ମିଳିଲା ସଜା। ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡ ଘଟଣାରେ ସ୍ଵାମୀ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍‌। ସ୍ତ୍ରୀକୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ୩୦୦ ଖଣ୍ଡ କରି ଟିଫିନରେ ପୁରାଇଥିଲେ ସୋମନାଥ।

୨୦୧୩ ଜୁନ୍‌ ୨୧ ତାରିଖରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ। ସୋମନାଥ ପରିଡ଼ା ନାମକ ଜଣେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ତାଙ୍କ ପତ୍ନୀଙ୍କୁ ୩୦୦ ଖଣ୍ଡ କରି ହତ୍ୟା କରିଥିଲେ। ପରେ ଏହାକୁ ଟିଫିନରେ ପୁରାଇ ରଖିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଚାଞ୍ଚଲ୍ୟ କେଳିଯାଇଥିଲା। ପ୍ରଥମେ ନିଜ ଦୋଷକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ସୋମନାଥ। ପୋଲିସକୁ ଭୁଆଁ ବୁଲାଇ ସେ କହିଥିଲେ ଯେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ କେବଳ ଶିରିଡି ନେଇ ଶବ ସତ୍କାର କରିବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରିଥିଲେ। ପରେ ସମସ୍ତ ପ୍ରମାଣ ଆଧାରରେ ସୋମନାଥଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ଏମିତି ଥିଲା ପୂରା ଘଟଣା

ଘଟଣାର ଦୁଇ ଦିନ ପୂର୍ବରୁ ଦୁବାଇରେ ରହୁଥିବା କର୍ଣ୍ଣେଲଙ୍କ ଝିଅ ଲେଖା ପରିଡ଼ା ସୋମନାଥଙ୍କୁ ଫୋନ କରିଥିଲେ। ବାପାଙ୍କ ସହ କଥା ହେବା ପରେ ମା’ ଉଷାଶ୍ରୀଙ୍କ ସହ କଥା ହେବାକୁ ଚାହିଁଥିଲେ, ହେଲେ ଏଥିରେ ଉତକ୍ଷିପ୍ତ ହୋଇପଡ଼ିଥିଲେ ସୋମନାଥ। ଏଭଳି ବାରମ୍ଵାର ଫୋନ କରିବା ପରେ ମଧ୍ୟ ସୋମନାଥ ଉଷାଶ୍ରୀଙ୍କ ସହ କଥା କରାଇବାକୁ ମନା କରିଦେଉଥିଲେ।

ଶେଷରେ ଲେଖାଙ୍କ ମନରେ ସନ୍ଦେହ ହେବାରୁ ସେ ଖାରବେଳ ନଗରରେ ରହୁଥିବା ମାମୁ ରଞ୍ଜନଙ୍କୁ ଫୋନ କରି ସବୁ କତା କହିଥିଲେ। ରଞ୍ଜନ ରାତି ପ୍ରାୟ ୧୦ଟା ବେଳେ ସୋମନାଥଙ୍କ ଘରେ ପହଞ୍ଚିଥିଲେ। ରଞ୍ଜନ ଦୀର୍ଘ ସମୟ ପର୍ଯ୍ୟନ୍ତ କଲିଂ ବେଲ ବଜାଇବା ପରେ ମଧ୍ୟ କବାଟ ଖୋଲି ନଥିଲେ ସୋମନାଥ। କିଛି ସମୟ ପରେ କବାଟ ଖୋଲିବା ପରେ ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା। ପରେ ଭଉଣୀ କୋଉଠି ଅଛି ରଞ୍ଜନ ପଚାରିବାରୁ ସୋମନାଥ କବାଟ ବନ୍ଦ କରିଦେଇଥିଲେ।

ଏନେଇ ରଞ୍ଜନ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସର ଏକ୍‌ ଟିମ୍‌ ସୋମନାଥଙ୍କ ଘରକୁ ଯାଇ ଛାନ୍‌ଭିନ୍‌ କରିଥିଲେ। ପରେ ଜଣାପଡ଼ିଥିଲା ଯେ ଉଷାସ୍ରୀଙ୍କୁ ହତ୍ୟା କରାଯାଇଛି। ପୋଲିସ ସେହି ଘରୁ ୧୨ଟି ଟିଫିନ୍‌, ୨ଟି ବଡ଼ ବାକ୍ସ ଜବତ କରିଥିଲା। ଯେଉଁଥିରେ ଉଷାଶ୍ରୀ ଖଣ୍ଡବିଖଣ୍ଡିତ ମୃତଦେହ ଭର୍ତ୍ତି ଥିଲା। ଏହାସହ ହତ୍ୟାରେ ବ୍ୟବହୃତ ଆରି, କରତ, ଫିନାଇଲ ବୋତଲକୁ ମଧ୍ୟ ପୋଲିସ ଜବତ କରିଥିଲା।

୩ ମାସ ଭିତରେ ଦାଖଲ ହୋଇଥିଲା ଚାର୍ଜସିଟ୍‌  

ଏହି ଘଟଣାରେ ପୋଲିସ ତଦନ୍ତ କରି ୩ ମାସ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏଭଳି ଏକ ଚର୍ଚ୍ଚିତ ହତ୍ୟାକାଣ୍ଡର ଦାୟିତ୍ଵ ନେଇଥିଲେ ଏସ୍‌ପି ବିଷ୍ଣୁ ମିଶ୍ର ଓ ନୟାପଲ୍ଲୀ ଥାନା ଅଧିକାରୀ ଅନୁପ କାନୁନ୍‌ଗୋ। ଏହି ଚର୍ଜସିଟ୍‌ରେ ଉଲ୍ଲେଖ କରାଯାଇଥିଲେ ଯେ ଏହା ଏକ କୋଲଡ୍‌ ବ୍ଲଡେଡ୍‌ ମର୍ଡର। ଏହି ହତ୍ୟାକାଣ୍ଡରେ ଏକ ପିତ୍ତଳ ଟର୍ଚ ବ୍ୟବହାର କରାଯାଇଥିଲା। ଯେଉଁଥିରେ ସୋମନାଥ ତାଙ୍କ ପତ୍ନୀକୁ ହତ୍ୟା କରିଥିଲେ।

ଉଷାଶ୍ରୀଙ୍କର କରାଯାଇଥିଲା ଡିଏନ୍‌ଏ ଟେଷ୍ଟ

ଦୋଷୀ ସୋମନାଥଙ୍କ ବିରୋଧରେ ପ୍ରମାଣ ମଜବୁତ କରିବାକୁ ମୃତ ଉଷାଶ୍ରୀଙ୍କର ଡିଏନ୍‌ଏ, ଭିସେରା, ଖପୁରି ପରୀକ୍ଷା କରାଯାଇଥିଲା। ଏଥିରୁ ପୋଲିସକୁ ମଧ୍ୟ ସ୍ପଷ୍ଟ ପ୍ରମାଣ ମିଳିଥିଲା। ଯାହାକୁ ଆଧାର କରି ପୋଲିସ କୋର୍ଟରେ ଅଭିଯୁକ୍ତକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିପାରିଥିଲା।

୨୯ ଜଣ ସାକ୍ଷୀଙ୍କୁ ନେଇ ହୋଇଥିଲା ଶୁଣାଣି

ଏହି ହତ୍ୟା ମାମଲାରେ ପୋଲିସ ୨୯ ଜଣଙ୍କୁ ସାକ୍ଷ୍ୟ ଭାବେ ନେଇଥିଲା। ତଦନ୍ତକାରୀ ଅଫିରସରଙ୍କଠାରୁ ଆରମ୍ଭ କରି ଦୋଷୀ ସୋମନାଥଙ୍କ ପୁଅ ଲଳିତ ପରିଡ଼ା, ଝିଅ ଲେଖା ପରିଡ଼ା, ଶବ ବ୍ୟବଚ୍ଛେଦ କରାଇଥିବା ଡାକ୍ତର ଓ ପୋଲିସ କନଷ୍ଟେବଳ ଏଥିରେ ସାକ୍ଷୀ ରହିଥିଲେ। ଏହି ସାକ୍ଷୀ ପ୍ରମାଣକୁ ଆଧାର କରି କର୍ଣ୍ଣେଲଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜିଲ୍ଲା।

Comment