ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ରାସ୍ତାରେ ଏଠି ସେଠି ଗାଡ଼ି ପାର୍କିଂ କରୁଛନ୍ତିକି? ତାହେଲେ ହୋଇଯାଆନ୍ତୁ ସାବଧାନ। ଭୁବନେଶ୍ଵର ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ କଲେ ଏଣିକି ଗଣିବେ ଡବଲ ଫାଇନ। ବେଆଇନ ପାର୍କିଂ ସହ ଗାଡ଼ି ଉଠାଯିବା ଟୋଇଂ ଚାର୍ଜ ବି ଦବାକୁ ପଡ଼ିବ। ଆଜିଠାରୁ ଏହି ନିୟମ ଲାଗୁ ନେଇ କମିସନରେଟ ପୋଲିସ ସୂଚନା ଦେଇଛି।

ପ୍ରଥମ ପର୍ଯ୍ୟାୟରେ ରାଜଭବନ ଛକଠାରୁ କଳାରାହାଙ୍ଗ ଛକ, ଏୟାରପୋର୍ଟ ଛକଠାରୁ ନାଲକୋ ଛକ, ଶିଶୁଭବନଠାରୁ ବାଣିବିହାର ଛକ, ରସୁଲଗଡ଼ ଛକଠାରୁ ଜୟଦେବ ବିହାର ରାସ୍ତା, ଶ୍ରୀୟା ଛକରୁ ପିଏଚ୍‌ଡି ଅଫିସ ଓ ବାପୁଜୀନଗର ଅଞ୍ଚଳରେ ଏହି ନିୟମ ଲାଗୁ ହେବ।

ଦୁଇ ଚକିଆ ଗାଡ଼ିଠାରୁ ୩୦୦ ଟଙ୍କା ଓ ଚାରି ଚକିଆ ଗାଡ଼ିଠାରୁ ୪୦୦ ଟଙ୍କା ଫାଇନ ଆଦାୟ କରାଯିବ। ଆବଶ୍ୟକ ସ୍ଥଳରେ ଯଦି କ୍ରେନର ବ୍ୟବହାର ହୁଏ ତେବେ ସେ ବାବାଦ ଟଙ୍କା ମଧ୍ୟ ଗଣିବେ ଚାଳକ। ଏନେଇ କମିସନରେଟ ପୋଲିସ ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶ ପାଇଛି।

ସହରରେ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧିରେ ଧିରେ କଡ଼ା କରାଯିବାକୁ ନିଷ୍ପତ୍ତି ହୋଇଛି। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠାରୁ ଏହାକୁ ଅଧିକ କଡ଼ାକଡ଼ି କରାଯାଉଛି।

Comment