ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ଖାଲିପଡୁଥିବା ୪ ରାଜ୍ୟସଭା ଆସନ ପାଇଁ ବିଗୁଲ ବାଜିଛି। ମାର୍ଚ୍ଚ ୨୬ରେ ହେବ ନିର୍ବାଚନ। ତେବେ ଏହି ୪ଟି ଆସନରେ କିଏ ଯିବ ରାଜ୍ୟସଭା ତାକୁ ନେଇ ଆରମ୍ଭ ହୋଇଛି କାଉଣ୍ଟ ଡାଉନ। ବିଜେଡି ହାତରେ ୩ଟି ଆସନ ପାଇଁ ଆବଶ୍ୟକ ମୁତାବକ ସଂଖ୍ୟା ରହିଛି। ହେଲେ ଚତୁର୍ଥ ଆସନ ପାଇଁ ଚାଲିଛି ଛକାପଞ୍ଝା।

ନରେନ୍ଦ୍ର ସ୍ୱାଇଁ, ଅନୁଭବ ମହାନ୍ତି, ସରୋଜିନୀ ହେମ୍ବ୍ରମ, ରଞ୍ଜିବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସରେ ଶେଷରେ ହେଉଛି। ଏହି ଚାରି ଆସନରେ ନବୀନ ନୂଆ ନା ପୁରୁଣା ମୁହଁକୁ ଅଗ୍ରାଧିକାର ଦେଉଛନ୍ତି ତା’ ଉପରେ ନଜର ରହିଛି।

ରାଜ୍ୟସଭା ଆସନ ପାଇଁ ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ମହେଶ୍ୱର ମହାନ୍ତି, ରବୀନ୍ଦ୍ର ଜେନା, ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ଚର୍ଚ୍ଚା ହେଉଛି। ହେଲେ ଯେଉଁମାନଙ୍କ ନାଁ ଚର୍ଚ୍ଚା ହେଉଛି ସେମାନଙ୍କ ଭିତରୁ କିଏ ରାଜ୍ୟସଭା ଯିବେ ନା ନବୀନ ନୂଆ ମୁହଁ ଦେଇ ଚମକେଇବେ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରତି ଥର ରାଜ୍ୟସଭା ନିର୍ବାଚନ ଆସିଲେ ଡଜନେରୁ ଅଧିକ ଆଶାୟୀଙ୍କୁ ନେଇ ଚର୍ଚ୍ଚା ହୁଏ। ହେଲେ ନବୀନ ମାଷ୍ଟର ଷ୍ଟ୍ରୋକ ଖେଳି ରାଜନୀତି କରିଡରକୁ ହଲଚଲ କରନ୍ତି। ଗତ ଜୁନ୍ ମାସରେ ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବି ନବୀନ ମାଷ୍ଟର କାର୍ଡ ଖେଳିଥିଲେ। ଦୁଇଟି ଆସନରେ ବିଜେଡି ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇଥିବା ବେଳେ ଅନ୍ୟଟିରେ ବିଜେପି ସମର୍ଥିତ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରି ରାଜନୀତି ପାଣିପାଗକୁ ସରଗରମ କରିଥିଲେ। ଏଣୁ ଏଥର ନବୀନ କ’ଣ କରିବେ ତା’ ଉପରେ ନଜର ରହିଛି।

ବିଜେଡି ପାଖରେ ୧୧୭ ବିଧାୟକ ଅଛନ୍ତି। ଯେତିକି ବିଧାୟକ ଅଛନ୍ତି ସେଥିରେ ୩ ଜଣ ପ୍ରାର୍ଥୀ ରାଜ୍ୟସଭା ଯାଇପାରିବେ। ଚତୁର୍ଥ ଆସନ ପାଇଁ ବିଜେଡିକୁ ଅନ୍ୟ ଦଳର ସହାୟତା ନେବାକୁ ପଡ଼ିବ ନହେଲେ ପୂର୍ବ ଥର ଭଳି ଏଥର ଅଶ୍ୱିନୀ ବୈଷ୍ଣବଙ୍କ ଫର୍ମୁଲା ପକାଇପାରେ ବୋଲି ଆଲୋଚନା ହେଉଛି।

ଗତ ସାଧାରଣ ନିର୍ବାଚନ ବେଳେ ପ୍ରସନ୍ନ ପାଟ୍ଟଶାଣୀ ଏବଂ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ସେମାନଙ୍କୁ ରାଜ୍ୟସଭା ପଠାଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ। ଏଣୁ ଏଥର ସେମାନଙ୍କ ପାଳି ପଡ଼ିପାରେ ବୋଲି କୁହାଯାଉଛି।

ନିକଟରେ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି କରାଯାଇଛି। ରାଜ୍ୟସଭା ରେସ୍‌ରେ ରହିଥିବା ପୁଷ୍ପେନ୍ଦ୍ର ସିଂହଦେଓ, ରବୀନ୍ଦ୍ର ଜେନାଙ୍କୁ ବି ସଭାପତି ପଦ ମିଳିଛି। ତେବେ ଏମାନଙ୍କୁ ନବୀନ ରାଜ୍ୟସଭା ପଠାଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here