ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଇତିମଧ୍ୟରେ ଭାରତର ନିର୍ବାଚନ କମିସନଙ୍କ ଦ୍ୱାରା ଦ୍ଵିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଓଡ଼ିଶାର ୪ଟି ସମେତ ମୋଟ ୫୫ଟି ଖାଲି ପଡୁଥିବା ଆସନ ପାଇଁ ମାର୍ଚ୍ଚ ୨୬ରେ ନିର୍ବାଚନ ଅନୁଷ୍ଠିତ ହେବ। ସ୍ୱାଭାବିକ ଭାବରେ ଓଡ଼ିଶା ବା ଆହୁରି ସ୍ପଷ୍ଟ ଭାବରେ କହିଲେ ବିଜେଡିରୁ କେତେ ଜଣକୁ ଓ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।
ବିଧାନସଭାରେ ଶାସକ ବିଜେଡିର ୧୧୩ ଜଣ ସଦସ୍ୟ ଅଛନ୍ତି। ଏଣୁ ନିଜ ଦମରେ ଦଳ ତିନୋଟି ଯାକ ଆସନ ସହଜରେ ଜିତି ଯାଇପାରିବ। ଏଣୁ ଚତୁର୍ଥ ଆସନ ଉପରେ ହିଁ ଏବେ ସମସ୍ତଙ୍କର ଆଖି। ଏହି ଆସନଟି ବିଜେପି ଜିତିପାରିବ ନାହିଁ କାରଣ ତା ପାଖରେ ଯଥେଷ୍ଟ ବିଧାୟକ ନାହାନ୍ତି।
ଏବେ ବିଧାନସଭାରେ ବିଜେପିର ୨୩ ଜଣ ସଭ୍ୟ ଅଛନ୍ତି। ସେହିଭଳି କଂଗ୍ରେସର ୯ ବିଧାୟକ ଅଛନ୍ତି। ଆବଶ୍ୟକୀୟ ସଂଖ୍ୟା ନଥିବାରୁ ଏହି ଉଭୟ ଦଳ ପ୍ରାର୍ଥୀ ଦେଇପାରିବେ ନାହିଁ। ତେବେ ବିଜେଡିର ସମର୍ଥନରେ ବିଜେପି ଜଣକୁ ପ୍ରାର୍ଥୀ ଭାବେ ଠିଆ କରିପାରିବ। ଏମିତି ବି ଦେଖିଲେ ଖାଲି ପଡୁଥିବା ଚାରୋଟି ଆସନ ମଧ୍ୟରୁ ବିଜେଡି ହାତରେ ତିନୋଟି ଆସନ ଥିଲା କଂଗ୍ରେସ ହାତରେ ଗୋଟିଏ।
ମାର୍ଚ୍ଚ ୨୬ ତାରିଖରେ ହେବାକୁ ଥିବା ନିର୍ବାଚନରେ ପ୍ରଥମ ଖାଲି ପଡୁଥିବା ଆସନଟି ହେଉଛ ସିନେ ତାରକା ଅନୁଭବ ମହାନ୍ତିଙ୍କର। ସେ ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ଜିତିଥିଲେ। ଯେହେତୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପାଇଁ ବର୍ଷକରୁ କମ୍ ସମୟ ଥିଲା ସେହି କାରଣରୁ ଏହି ଆସନ ପାଇଁ ଆଗରୁ ନିର୍ବାଚନ କରାଯାଇ ନଥିଲା, ଯାହାକି ଏବେ ହେଉଛି। ଅନ୍ୟ ତିନୋଟି ଖାଲି ପଡ଼ୁଥିବା ଆସନ ହେଉଛି ନରେନ୍ଦ୍ର କୁମାର ସ୍ୱାଇଁ ଓ ସରୋଜିନୀ ହେମ୍ବ୍ରମଙ୍କର (ଉଭୟେ ବିଜେଡି) ଏବଂ ରଞ୍ଜୀବ ବିଶ୍ୱାଳଙ୍କର (କଂଗ୍ରେସ)। ଏ ତିନିହେଁ ଏପ୍ରିଲ ୨ ତାରିଖରେ ଅବସର ଗ୍ରହଣ କରିବେ।
ବିଧାନସଭାରେ ସଂଖ୍ୟା ଗଣିତ ଯାହା ବିଜେଡି ତିନୋଟି ଆସନରୁ ନିଜ ପ୍ରାର୍ଥୀଙ୍କୁ ଜିତେଇ ଦେଇପାରିବ।ଚତୁର୍ଥ ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବ ବୋଲି ଜୋର ଆଲୋଚନା ହେଉଛି।ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୧୪୭। ସବୁ ଚାରୋଟି ଆସନ ପାଇଁ ବିଜେଡିକୁ ଦରକାର ୧୨୦ ବିଧାୟକଙ୍କ ସମର୍ଥନ କିନ୍ତୁ ବିଜେଡି ପାଖରେ ଆଉ ୭ ବିଧାୟକଙ୍କ ଅଭାବ ରହିଛି। ସେହିଭଳି ୨୩ ଜଣ ବିଧାୟକ ଥିବାରୁ ବିଜେପି ବି ସେଇ ୭ ଟି ଆସନ ଦରକାର କରୁଛି। ଯାହା ଶୁଣାଯାଉଛି ଚତୁର୍ଥ ଆସନଟି ବିଜେଡି ବିଜେପି ପାଇଁ ଅଗତ୍ୟା ଛାଡ଼ିଦେଵ।
ଏହଭଳି ଏକ ଆକଳନ ପଛରେ ସତ୍ୟତା ବି ରହିଛି।ଗତ ବର୍ଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡି ବିଜେପିକୁ ଗୋଟିଏ ଆସନ ଛାଡ଼ି ଦିଆଯାଇଥିଲା ଓ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ ଓ ଜିତିଥିଲେ ମଧ୍ୟ। ଏଣୁ ଏଥର ବି ସେମିତି କିଛି ହୋଇପାରେ ଏହା ଜଳଜଳ ଦେଖାଯାଉଛି।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୂର୍ବାଂଚଳ ପରିଷଦ ବୈଠକରେ ଯୋଗ ଦେବାକୁ ଏଇ ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଯେହେତୁ ଆଗକୁ ରାଜ୍ୟସଭା ନିର୍ବାଚନ ଅଛି ଚତୁର୍ଥ ଆସନ ନେଇ ଉଭୟ ଦଳ ଭିତରେ କଥାବର୍ତ୍ତା ହୋଇପାରେ। ଯେହେତୁ ବିଜେପି ଓ ବିଜେଡ ପୂର୍ବାପେକ୍ଷା ଏବେ ପରସ୍ପରକୁ ଅଧିକ ଭଲ ପାଉଛନ୍ତି, ରାଜ୍ୟସଭା ଡିଲ୍ଟି ହେବ ତାହାର ସ୍ପଷ୍ଟ ସଂକେତ ମିଳୁଛି।
ଚତୁର୍ଥ ଆସନକୁ ନେଇ ଯଦିଓ ଉଭୟ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ବୟାନବାଜି ଚାଲିଛି ଓ ସେମିତି କିଛି ହେବାର ନାହିଁ ବୋଲି ଦୁଇ ଦଳ କହୁଛନ୍ତି, ଶେଷରେ ସେୟା ହିଁ ହେବ। ୩+୧ରେ ହିଁ ଅଙ୍କ ଛିଣ୍ଡିବ।








