ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭରତପୁର ଅଞ୍ଚଳରେ ଟଙ୍କା ପାଇଁ ବିକ୍ରି କରାଯାଇଥିବା ୧୯ ଦିନର ଶିଶୁ ମଞ୍ଚେଶ୍ୱରରୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଉଦ୍ଧାର କରିବା ପରେ ପୋଲିସ୍ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।

ଗୁରୁବାର ରାଜଧାନୀର ଭରତପୁର ଅଞ୍ଚଳରେ ଗୋଟିଏ ୧୯ଦିନର ଶିଶୁ ବିକ୍ରି ହେବା ଘଟଣା ସାମନାକୁ ଆସିଥିଲା। ଶିଶୁଟିର ବାପା ମା’ ୧୦ ହଜାର ଟଙ୍କା ପାଇଁ ତାଙ୍କ ପୁଅକୁ ଜଣେ ଧନୀ ବ୍ୟକ୍ତିକୁ  ବିକ୍ରି କରିଦେଇଥିବା ଖବର ମିଳିଥିଲା। ଏହାପରେ ଏହାକୁ ନେଇ ଖଣ୍ଡଗିରି ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା। ଖବର ପାଇବା ପରେ ଖଣ୍ଡଗିରି ଥାନା ଅଧିକାରୀ ଶିଶୁଟିକୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲେ। ସନ୍ଧ୍ୟାରେ ପୋଲିସ୍ ଶିଶୁଟିକୁ ମଞ୍ଚେଶ୍ୱର ଅଞ୍ଚଳରୁ ଉଦ୍ଧାର କରିଛି।

ଅନ୍ୟପଟେ ଶିଶୁ ବିକ୍ରି ଘଟଣାକୁ ନେଇ ଶିଶୁଟିର ବାପା ମା’ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଶିଶୁଟିର ବାପା କହିଛନ୍ତି ଯେ, ସେ କାମ ପାଇଁ ପୁରୀ ଯାଇଥିଲେ। ତାଙ୍କ ଅଜାଣତରେ ତାଙ୍କର ସ୍ତ୍ରୀ ଶିଶୁଟିକୁ ବିକ୍ରି କରିଦେଇଛନ୍ତି। ଏନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି।

ଶିଶୁଟିର ମା’ କିନ୍ତୁ ତାଙ୍କ ସ୍ୱାମୀଙ୍କ କଥାର ଠିକ୍ ଓଲଟା ଜବାବ୍ ଦେଇଛନ୍ତି। ସେ କହିଛନ୍ତି ଅଭାବ ଅନଟନ ଭିତରେ ସେ ରହୁଛନ୍ତି। ତେଣୁ ତାଙ୍କ ପୁଅକୁ ଭଲ ଜୀବନ ଦେବା ପାଇଁ ସେ ତାକୁ ବିକ୍ରି କରିଦେଇଛନ୍ତି। ତାଙ୍କର ସ୍ୱାମୀ ନିଜେ ନେଇ ତାଙ୍କ ପୁଅକୁ ବିକ୍ରି କରିଦେଇଛନ୍ତି ବୋଲି ଶିଶୁଟିର ମା’ କହିଛନ୍ତି। ତେବେ ଶିଶୁଟିକୁ କିଏ ନେଇଛି ସେନେଇ ପୋଲିସ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଉଭୟ ମାତା ପିତା ମଧ୍ୟ ସେ ଲୋକ ବିଷୟରେ କିଛି ଜାଣିନଥିବା କହିଛନ୍ତି।

Comment