ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ପୋଲିସ୍ ବିଭାଗରେ ସବୁଠାରୁ କମ୍ ଦରମାରେ କାର୍ଯ୍ୟ କରୁଥିବା ହୋମ୍‌ଗାର୍ଡମାନଙ୍କୁ ଏଣିକି ରାଜ୍ୟ ସରକାର ଦିନକୁ ୫ଶହ ଟଙ୍କା ଦରମା ଦେବେ। ଏହି ବର୍ଦ୍ଧିତ ଦରମା ଗତ ଜାନୁଆରି ମାସରୁ ଲାଗୁ ହେବ। ସେହିପରି ଜଣେ ହୋମ୍‌ଗାର୍ଡ କେତେ ଦରମା ପାଇବେ ସେ ନେଇ ସୁପ୍ରିମ୍‌କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ଓଡିଶାରେ ଲାଗୁ କରାଯିବ।

ଏଥିସହ ହୋମ୍‌ଗାର୍ଡଙ୍କ କ୍ଷେତ୍ରରେ ଆସନ୍ତା ତିନି ମାସ ମଧ୍ୟରେ ସପ୍ତମ ବେତନ କମିସନ ଲାଗୁ କରିବାକୁ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୮ ହଜାର ହୋମ୍‌ଗାର୍ଡ ଉପକୃତ ହେବେ। ପ୍ରକାଶ କୁମାର ଜେନା ଏବଂ  ଅନ୍ୟ ଦୁଇ ଜଣଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ ଏହି ଆଦେଶ ଦେଇଛନ୍ତି ।

ଆବେଦନକାରୀମାନେ ପିଟିସନ୍‌ରେ ଉଲ୍ଲେଖ କରିଥିଲେ ଯେ, ପୋଲିସ୍ ବିଭାଗରେ କାର୍ଯ୍ୟ କରୁଥିବା ହୋମ୍‌ଗାର୍ଡମାନେ ଅନ୍ୟ ପୋଲିସ୍ କର୍ମଚାରୀଙ୍କ ଭଳି କାର୍ଯ୍ୟ କରିଥାନ୍ତି। ଜଣେ ହୋମ୍‌ଗାର୍ଡର ବିନା ସହଯୋଗରେ ଯେ କୌଣସି ଘଟଣାରେ ପୋଲିସ୍‌ର କାର୍ଯ୍ୟ ଅଧା ବୋଲି ଧରାଯାଏ। ତେଣୁ କୌଣସି ଥାନା ହେଉ ବା ଫାଣ୍ଡି, ପୋଲିସ୍ ମୁଖ୍ୟାଳୟ ହେଉ ବା ଟ୍ରାଫିକ ପୋଷ୍ଟ ସବୁଠି ଜଣେ ହୋମ୍‌ଗାର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। କିନ୍ତୁ ଦରମା ପାଇଲାବେଳକୁ ଜଣେ ଦିନ ମଜୁରିଆଠାରୁ ବି’ କମ୍ ମିଳିଥାଏ ହୋମଗାର୍ଡମାନଙ୍କୁ।

ଏ ନେଇ ସୁପ୍ରିମ୍‌କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ଜଣେ ହୋମ୍‌ଗାର୍ଡକୁ ଜଣେ କନଷ୍ଟେବଳ ପାଉଥିବା ହାରରେ ଦରମା ଦେବାକୁ ସୁପ୍ରିମ୍‌କୋର୍ଟ କହିଥିଲେ। ଏଥିସହ ଅନ୍ୟାନ୍ୟ ଭତ୍ତା ମଧ୍ୟ ଦେବାକୁ କହିଥିଲେ। ଏହି ଆଦେଶକୁ ସମସ୍ତ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ସୁପ୍ରିମ୍‌କୋର୍ଟଙ୍କ ଏହି ଆଦେଶ କାର୍ଯ୍ୟକାରୀ ନେଇ ଅଗ୍ନିଶମ ଏବଂ ହୋମ୍‌ଗାର୍ଡ ଡିଜି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ।

ଏହାସତ୍ତ୍ୱେ ରାଜ୍ୟ ସରକାର ହୋମ୍‌ଗାର୍ଡଙ୍କ କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନକରିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନୀର ସୁନ୍ଦର ପଣ୍ଡା ମାମଲା ପରିଚାଳନା କରୁଥିଲେ।

Comment