ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର ମହାଜନସମାବେଶରେ ବିଜେପି କର୍ମୀଙ୍କୁ ଅମିତ ଶାହଙ୍କ ବାର୍ତ୍ତା। ୨୦୨୪ ପାଇଁ ପ୍ରସ୍ତୁତ ରୁହ।

‘‘ଗତ ନିର୍ବାଚନରେ ବିଜେପି ଓଡ଼ିଶାରେ ମୋଟ ୯୧ ଲକ୍ଷ ଭୋଟ ପାଇଥିବା ବେଳେ ବିଜେଡି ୧.୧ କୋଟି ଭୋଟ ପାଇଛି। କଂଗ୍ରେସକୁ ପଛକୁ ଠେଲିବାରେ ବିଜେପି ସଫଳ ହୋଇଛି। ଆଉ ଗୋଟିଏ ଲମ୍ଫ ଦେଲେ ବିଜେପି ଶୀର୍ଷ ସ୍ଥାନକୁ ଆସିପାରିବ’’, ଭୁବନେଶ୍ୱର ଜନତା ମଇଦାନରେ ଏହା ହେଉଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ।

୨୦୧୯ ନିର୍ବାଚନ ପୂର୍ବରୁ ଅମିତ ଶାହ ଓଡ଼ିଶାରେ ମିଶନ-୧୨୦ର ଅଙ୍କ କଷିଥିଲେ। ହେଲେ ଏହି ଗଣିତ ଫେଲ୍‌ ମାରିଥିଲା। ନିର୍ବାଚନ ପରେ ଶାହ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଆସି ୨୦୨୪ ପାଇଁ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ସିଧାସଳଖ ନହେଲେ ବି ୨୦୧୯ର ଫଳାଫଳକୁ ଦୃଷ୍ଟିରେ ରଖି ୨୦୨୪ ପାଇଁ ଅଙ୍କ କଷିଛନ୍ତି। ୨୦୧୯ରେ କଂଗ୍ରେସକୁ ପଛରେ ପକାଇବା ପରେ ୨୦୨୪ରେ ବିଜେଡିକୁ ଟପିବା ପାଇଁ ଶାହ କର୍ମୀ ଓ ନେତାଙ୍କୁ ପରୋକ୍ଷରେ ଆହ୍ୱାନ ଦେଇଛନ୍ତି।

ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ପୂର୍ବାହ୍ଣରେ ଲୋକସେବା ଭବନରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବା ପରେ ନବୀନ ନିବାସରେ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ। ଏହାପରେ ଜନତା ମଇଦାନରେ ଆୟୋଜିତ ମହାଜନସମାବେଶରେ ଉଦବୋଧନ ଦେଇ ଶାହ କର୍ମୀଙ୍କୁ ଉତ୍ସାହିତ କରିଥିଲେ।

ଶାହ ଏହି ସଭାରେ ବିଜେଡିକୁ ସିଧାସଳଖ ଟାର୍ଗେଟ କରି ନଥିଲେ। ଶାହଙ୍କ ନିଶାନାରେ ଥିଲା କେବଳ କଂଗ୍ରେସ। ୨୦୧୭ରେ ଶାହ ଯେତେବେଳେ ଭୁବନେଶ୍ୱର ଆସିଥିଲେ ସେତେବେଳେ ଜନତା ମଇଦାନରେ ଆୟୋଜିତ ସମାବେଶରେ ନବୀନଙ୍କୁ କଡ଼ା ସମାଲୋଚନା କରିଥିଲେ। ଏପରିକି ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହିବାକୁ ପଛାଇ ନଥିଲେ।

ଏହାପରଠୁ ଶାହ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପାଇଁ ଗୋଟି ଚାଳନା କରିଥିଲେ। ‘ମୋ ବୁଥ୍‌ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମ କରି ଶାହ ବୁଥ୍‌ ସ୍ତରରେ ବିଜେପି ସଙ୍ଗଠନ ସୁଦୃଢ଼ କରିବାକୁ ଉଦ୍ୟମ କରିଥିଲେ। ହେଲେ ବିଜେପି ସରକାର ଗଠନ କରିପାରି ନଥିଲା। ବିଜେପି ମାତ୍ର ୨୩ଟି ଆସନରେ ସନ୍ତୁଷ୍ଟ ହୋଇଥିଲା। ୨୦୧୪ ତୁଳନାରେ ୨୦୧୯ରେ ବିଜେପିର ଭୋଟହାର ବୃଦ୍ଧି ପାଇଥିଲା।

୨୦୧୯ରେ ଭୋଟ ହାର ବୃଦ୍ଧି ପାଇଥିବାରୁ ଶାହ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଆଗାମୀ ନିର୍ବାଚନରେ ଏହି ଭୋଟ ହାର କେମିତି ଅଧିକ ବୃଦ୍ଧି ପାଇବ ସେନେଇ ଶାହ ଆଜିର ସମାବେଶରେ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ।

ଖାଲି ସେତିକି ନୁହେଁ, କଂଗ୍ରେସ ତୁଳନାରେ ବିଜେପି ଓଡ଼ିଶାକୁ ଅଧିକ ଅନୁଦାନ ଦେଇଥିବା କହି ଓଡ଼ିଶାବାସୀଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। ୫୫ ବର୍ଷର କଂଗ୍ରେସ ଶାସନ ସହିତ ବିଜେପିର ଗତ ୫ ବର୍ଷର ସରକାରକୁ ତୁଳନା କରିଥିଲେ। କଂଗ୍ରେସ ଅମଳରେ ଓଡ଼ିଶାକୁ କମ୍ ଅନୁଦାନ ମିଳୁଥିବା କହି ରାଜନୀତି କାର୍ଡ ଖେଳିଥିଲେ ଶାହ।

ବିଜେପି ଅମଳରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରର ବିକାଶ ହୋଇଥିବା ଶାହ କହିଥିଲେ। ୨୦୨୪ ସୁଦ୍ଧା ଓଡ଼ିଶାର ପ୍ରତି ଘରେ ପାଇପ୍‌ ପାଣି ପହଞ୍ଚିବ ବୋଲି ଶାହ କହି କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ ପରୋକ୍ଷରେ ଆହ୍ୱାନ ଦେଇଥିବା ଚର୍ଚ୍ଚା ହେଉଛି।

୨୦୨୪ ନିର୍ବାଚନକୁ ଆହୁରି ୫ ବର୍ଷ ବାକି ରହିଛି। ଶାହଙ୍କର ଏହି ଆହ୍ୱାନକୁ ୫ ବର୍ଷ ଭିତରେ ବିଜେପି କର୍ମୀ ଓ ନେତା କିପରି କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାର କଥା।

Comment