ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ସହରରେ ଥିବା ଆସାମ ଭବନକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଆସାମ ସରକାରଙ୍କ ଏହି ଭବନ ମେଘନାଦ ପାଚେରୀର ୭୫ ମିଟର ଭିତରେ ଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଏହାକୁ ତଳେ ପକାଇ ଦେଇଥିଲେ ପୁରୀ ଜିଲ୍ଲା ପ୍ରଶାସନ।

ପଶ୍ଚିମ ଦ୍ୱାର ପାଖରେ ଥିବା ଏହି ଚାରି ମହଲା କୋଠା ଭଙ୍ଗାଯିବ ବୋଲି ଗୁରୁବାର ଦିନ ନୋଟିସ ଜାରି କରାଯାଇଥିଲା। ସେହିଦିନ ରାତିରେ ହିଁ କୋଠାକୁ ବିଦ୍ୟୁତ ଯୋଗାଣ ବନ୍ଦ କରି ଦିଆଯାଇଥିଲା। କାଳେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଦୁଇ ଜଣ ମାଜିଷ୍ଟ୍ରେଟ ମୁତୟନ ହୋଇଥିଲେ।

ଉଲ୍ଲେଖ କରାଯାଇପାରେ ଯେ, ଏପର୍ଯ୍ୟନ୍ତ ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଥିବା ସବୁ କୋଠାକୁ ଭାଙ୍ଗି ଦିଆଯାଇଛି। ଏବେ ପଶ୍ଚିମ ଦ୍ଵାର ପାଖରେ ଜାଗା ଖାଲି କରିବା କାମ ଚାଲିଛି।

ପୁରୀ ସହରର ନବୀକରଣ ଓ ଶ୍ରୀମନ୍ଦିର ନିକଟରୁ ଜବରଦଖଲ ହଟାଇବା ନେଇ ସରକାର ତିନି ମାସ ତଳେ ଘୋଷଣା କରିଥିଲେ। ଏଥିପାଇଁ ଏକ ବଡ଼ ପ୍ୟାକେଜ ବି ଘୋଷଣା କରାଯାଇଛି। ୭୫ ମିଟର ପରିଧି ମଧ୍ୟରେ ପ୍ରାୟ ୩୦୦ କୋଠାକୁ ଚିହ୍ନଟ କରାଯାଇଛି। ତେବେ ଏପର୍ଯ୍ୟନ୍ତ ମାତ୍ର ୪୦ ଜଣ ଘର ମାଲିକ ଚୁକ୍ତି ସ୍ଵାକ୍ଷର କରିବା ସହ କ୍ଷତିପୂରଣ ନେଇଛନ୍ତି। ବାକି ତକ ଜାଗା ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ କବଲା କରିବା ପାଇଁ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି ପ୍ରଶାସନ।

ଯଦି ଜମି ବିକ୍ରିକୁ ନେଇ କିଛି ସମସ୍ୟା ଥାଏ ଆପୋଷ ବୁଝାମଣା ଭିତ୍ତିରେ ସମସ୍ୟାର ସମାଧାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛନ୍ତି।

Comment