ଓଡ଼ିଶାଲାଇଭ୍‌ ବ୍ୟୁରୋ

୬ ମାସର ମହଲତ ଶେଷ ହୋଇଛି। କାଲିଠୁ ନିସ୍ତାର ନାହିଁ। ବେପରୁଆ ଗାଡ଼ି ଚାଳନା କରୁଥିବା ଏବଂ ଟ୍ରାଫିକ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ ପୋଲିସ ପ୍ରସ୍ତୁତ ହୋଇ ରହିଛି। ଆସନ୍ତାକାଲିଠୁ ରାଜ୍ୟରେ ଜୋରଦାର ଟ୍ରାଫିକ ଧରପଗଡ଼ କରିବାକୁ ପରିବହନ କମିସନର ସବୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

୧୦ଟି ଦିଗ ପ୍ରତି ଧ୍ୟାନ ଦେବାକୁ କମିସନର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ମଦ୍ୟପ ଡ୍ରାଇଭର ଏବଂ ଦ୍ରୁତ ଗତିରେ ଗାଡ଼ି ଚାଳନା ଉପରେ ନଜର ରଖିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରେଡ୍‌ ସିଗ୍‌ନାଲ ଡେଇଁଲେ ଏବଂ ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନେବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି।

ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ଜରିମାନା ଗଣିବେ ଚାଳକ। ବାଇକ୍‌ରେ ୩ ଜଣ ବସିଲେ ଏବଂ ହେଲମେଟ୍‌ ନପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ। କାର୍ ଚାଳକମାନେ ସିଟ୍‌ ବେଲ୍ଟ ନପିନ୍ଧିଲେ ଏବଂ ଓଭରଲୋଡିଂ କ୍ଷେତ୍ରରେ ବି ପୋଲିସ ଜରିମାନା ଆଦାୟ କରିବ। ନାବାଳକଙ୍କ ଗାଡ଼ି ଚଳାନା ଉପରେ ମଧ୍ୟ ପୋଲିସ ନଜର ରଖିବ।

ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ଧରପଗଡ଼ ଜୋରଦାର ହୋଇଥିଲା। ସେପ୍ଟେମ୍ବର ୧ରୁ ନିୟମ କଡ଼ାକଡ଼ି ହେବା ପରେ ବେପରୁଆ ଗାଡ଼ି ଚାଳକଙ୍କଠାରୁ ମୋଟା ଅଙ୍କର ଫାଇନା ଆଦାୟ କରିଥିଲା ପୋଲିସ। ଏହାକୁ ନେଇ ରାଜଧାନୀ ଭୁବନେଶ୍ୱରରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଥିଲା।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୧ ଯାଏଁ ନିୟମ କୋହଳ କରିଥିଲେ। ଏହା ଭିତରେ ଗାଡ଼ି କାଗଜପତ୍ର ଠିକ୍‌ କରିବାକୁ ସରକାର ସମୟ ଦେଇଥିଲେ। ହେଲେ ନିର୍ଦ୍ଧାରିତ ସମୟରେ କାଗଜପତ୍ର ଠିକ୍‌ ହୋଇ ନପାରିବାରୁ ଏବଂ ଆରଟିଓ ଅଫିସରେ ଗହଳି ଲାଗିବାରୁ ସରକାର ମାର୍ଚ୍ଚ ୧ ଯାଏଁ ପୁଣି ମହଲତ ଦେଇଥିଲେ।

କେଉଁ ନିୟମ ଭାଙ୍ଗିଲେ କେତେ ଫାଇନ?

– ଗାଡ଼ି ଚଳା ନିୟମ ଖିଲାପ ୫୦୦ଟଙ୍କା

– ଇନ୍‌ସ୍ୟୁରାନ୍ସ ନଥାଇ ଗାଡ଼ି ଚଳାଇଲେ ୨ ହଜାର ଟଙ୍କା

– ନାବାଳକ ଗାଡ଼ି ଚଳାଇଲେ ୨୫ ହଜାର ଟଙ୍କା

– ଲାଇସେନ୍ସ ନଥାଇ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା

– ବାଇକ୍‌ରେ ୨ରୁ ଅଧିକ ଯାତ୍ରା କଲେ ୧ ହଜାର ଟଙ୍କା

– ହେଲ୍‌ମେଟ୍‌ ନପିନ୍ଧିଲେ ୧ ହଜାର ଟଙ୍କା

– ଟିକଟ ନଥାଇ ଯାତ୍ରା କଲେ ୫୦୦ ଟଙ୍କା

– କଣ୍ଡକ୍ଟରର ଲାଇସେନ୍ସ ନଥିଲେ ୧୦ ହଜାର ଟଙ୍କା

– କର୍ତ୍ତୃପକ୍ଷଙ୍କ ନିୟମ ନମାନିଲେ ୨ ହଜାର ଟଙ୍କା

– ଅଣସ୍ୱୀକୃତ ବ୍ୟକ୍ତିଙ୍କୁ ଗାଡ଼ି ଚଳାଇବାକୁ ଦେଲେ ୫ ହଜାର ଟଙ୍କା

– ଡିଏଲ୍‌ ବାତିଲ ବେଳେ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା

– ନିୟମ ବାହାରେ ଗାଡ଼ିର ରୂପ ବଦଳାଇଲେ ୫ ହଜାର ଟଙ୍କା

– ଦ୍ରୁତ ଗତିରେ ବାଇକ୍‌ ଚଳାଇଲେ ୨ ହଜାର ଏବଂ ଚାରିଚକିଆ ଗାଡ଼ି ଚଳାଇଲେ ୪ ହଜାର ଟଙ୍କା

– ବିପଦଜ୍ଜନକ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା

– ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ୫ ହଜାର ଟଙ୍କା

– ଟ୍ରାଫିକ ରେଡ ଲାଇଟ୍‌ ଡେଇଁଲେ ୫ ହଜାର ଟଙ୍କା

– ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା

– ଅସୁସ୍ଥ ଥାଇ ଗାଡ଼ି ଚଳାଇଲେ ୧ ହଜାର ଟଙ୍କା

– ଦୁର୍ଘଟଣା ଘଟାଇଲେ ୫ ହଜାର ଟଙ୍କା

– ପ୍ରଦୂଷଣ ନିୟମ ଖିଲାପ କଲେ ୧୦ ହଜାର ଟଙ୍କା

– କ୍ଷମତାଠାରୁ ଅଧିକ ଯାତ୍ରୀ ନେଲେ ପାସେଞ୍ଜର ପିଛା ୨୦୦ ଟଙ୍କା

– ଡ୍ରାଇଭର ସିଟ୍‌ ବେଲ୍ଟ ନ ବାନ୍ଧିଲେ ୧ ହଜାର ଟଙ୍କା

– ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଫାଇନ୍‌

– ରେଜିଷ୍ଟ୍ରେସନ ନଥାଇ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା

– ନିସିଦ୍ଧାଞ୍ଚଳରେ ହର୍ଣ୍ଣ ବଜାଇଲେ ୧ ହଜାର ଟଙ୍କା

– ବେଆଇନ୍‌ ଭାବେ ଓଭରଟେକିଂ କଲେ ୫ ହଜାର ଟଙ୍କା

– ମାଲ୍‌ ଗାଡ଼ିରେ ଯାତ୍ରୀ ପରିବହନ ୫ ହଜାର ଟଙ୍କା

– ପରମିଟ୍‌ ନଥାଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା

LEAVE A REPLY

Please enter your comment!
Please enter your name here