ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଶ୍ଵ ଦହିବରା ଆଳୁଦମ୍‌ ଦିବସ। ଏନେଇ କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍‌ ଷ୍ଟଲରେ ଲାଗିଛି ଲୋକମାନଙ୍କ ଭିଡ଼।

ଓଡ଼ିଶାର ସାଂସ୍କୃତିକ ରାଜଧାନୀ ହେଉଛି କଟକ। ପରମ୍ପରା, ଐତିହଠୁ ଆରମ୍ଭ କରି ଖାନା ଖଜାନା ପର୍ଯ୍ୟନ୍ତ ଏଠାରେ ସବୁଠି ଦେଖିବାକୁ ମିଳେ କିଛି ନା କିଛି ସ୍ୱତନ୍ତ୍ରତା ସେଥିମଧ୍ୟରୁ ଚଟପଟି ଖାଦ୍ୟ ମଧ୍ୟରେ କଟକ ଦହିବରାର ସ୍ୱାଦ ଅତି ନିଆରା। ଏପରିକି ୧୯୮୦ ମସିହାରେ ନିର୍ମିତ ଅକ୍ଷିତୃତୀୟା ଚଳଚ୍ଚିତ୍ରରେ ତାନସେନ ସିଂଙ୍କ ଦ୍ୱାରା ପରିବେଷିତ ‘ଆସ କିଏ ଖାଇବ ହୋ ଆମ ରାଜାବାବୁର ଖାନା’ ଗୀତରେ କଟକି ଦହିବରାର ସ୍ୱାଦ ନିଖୁଣ ଭାବେ ଉପସ୍ଥାପନା କରାଯାଇଥିଲା।

କଲେଜ ପଢୁଆ ଛାତ୍ରଛାତ୍ରୀ ହୁଅନ୍ତୁ ବା କର୍ମଜୀବୀ ମହିଳା, ଗୃହିଣୀ ହୁଅନ୍ତୁ ବା ବାଟୋଇ, ବୃଦ୍ଧଠାରୁ ଯୁବକ ପର୍ଯ୍ୟନ୍ତ ସମସ୍ତ ବର୍ଗର ଗରାଖିଙ୍କୁ ଏହି ଦହିବାର ଆକୃଷ୍ଟ କରିଥାଏ। ତେଣୁ କଟକର ସାହିବସ୍ତିରୁ ଆରମ୍ଭ କରି ବିଭିନ୍ନ ଛକରେ ବର୍ଷତମାମ୍ ଦହିବରା ମିଳିଥାଏ। ବିଶେଷକରି ବିଡ଼ାନାସୀ ଛକ, ଷ୍ଟାଡିୟମ ନିକଟସ୍ଥ ଉପର ବାଲିଯାତ୍ରା ପଡ଼ିଆ, ବିଜୁ ପଟ୍ଟନାୟକ ଛକ, ମଣିସାହୁ ଛକ, ରାମଗଡ଼ ଛକ, ଦୋଳମୁଣ୍ଡାଇ ଛକ, ଗୌରୀଶଙ୍କର ପାର୍କ ପ୍ରଭୃତି ଅଞ୍ଚଳରେ ଷ୍ଟଲ ବା ଠେଲାଗାଡ଼ିରେ ବେପାରୀମାନେ ଦହିବରା ବିକ୍ରି କରିଥାନ୍ତି। ପ୍ରାୟତଃ ଏହି ସମସ୍ତ ଷ୍ଟଲରେ ଗ୍ରାହକମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଉପର ବାଲିଯାତ୍ରା ପଡ଼ିଆରେ ଦହିବରା ଖାଇବା ପାଇଁ ଗ୍ରାହକମାନଙ୍କର ଭିଡ଼ ଜମିବା ଏକ ନିତିଦିନିଆ ଘଟଣା। ଏଠାରେ ଛୋଟବଡ଼ କରି ପାଖାପାଖି ୧୫ଟି ଷ୍ଟଲ ରହିଛି। ମୁକ୍ତ ପରିବେଶ ମଧ୍ୟରେ ଥଣ୍ଡା ପବନ ଉପଭୋଗ କରିବା ସହିତ ଦହିବରା ଖାଇବାକୁ ସକାଳ ସମୟରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟେକ ଷ୍ଟଲ ନିକଟକୁ ଗ୍ରାହକମାନେ ଆସିଥାନ୍ତି। ଏଠାରେ ରହିଥିବା ଷ୍ଟଲଗୁଡ଼ିକର ମଧ୍ୟ ବିଭିନ୍ନ ନାମ ରହିଛି। ଯେପରି ରମେଶ ଦହିବରା, ଜଗାବଳିଆ ଦହିବରା, କାହ୍ନା ଦହିବରା, କୁନା ଟୁନା ଦହିବରା, ସୋମୁ ଦହିବରା, ମେଘା ଦହିବରା, ଅଜୟ ବିନୟ ଦହିବରା, ଦିଲିପ ଦହିବରା ପ୍ରଭୃତି।

ପ୍ରତିଦିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ଷ୍ଟଲଗୁଡିକ ଖୋଲା ରହିଥାଏ। ଏହାଛଡ଼ା ବିଭିନ୍ନ ପର୍ବ ପର୍ବାଣୀରେ ଏହା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଧ୍ୟ ଖୋଲା ରହିଥିାଏ। ଗୋଟିଏ ହାପ୍ ପ୍ଲେଟ ଦହିବରାର ଦାମ୍ ୩୦ଟଙ୍କା ରହିଥିବା ବେଳେ ଫୁଲ ପ୍ଲେଟର ଦାମ ରହିଛି ୪୦ ଟଙ୍କା। ଗୋଟିଏ ପ୍ଲେଟରେ ପରଶାଯାଇଥାଏ କେତୋଟି ଖଟା କିମ୍ବା ମିଠା ଦହିବରା, ଘୁଗୁନି, ମସଲା ଆଳୁଦମ୍, ଛଣା ସେଉ, ପିଆଜ ଗୁଣ୍ଡ, ବିଭିନ୍ନ ମସଲା ଗୁଣ୍ଡ, ଲଙ୍କା ଗୁଣ୍ଡ, ଦହି, ପୁଦିନା ଚଟଣି ଓ ଆବଶ୍ୟକ ଅନୁଯାୟୀ ଲୁଣ। ଖାଇସାରିବା ପରେ ଗିଲାସେ ଗିଲାସେ ସ୍ୱାଦିଷ୍ଟ ଦହିପାଣି ମଧ୍ୟ ଦିଆଯାଇଥାଏ।

ଦିବା ସମୟରେ ପ୍ରାୟତଃ ଏଠାରେ କଲେଜ ପଢୁଆ ଛାତ୍ରଛାତ୍ରୀ, କର୍ମଜୀବୀ ପୁରୁଷ ଓ ମହିଳା ଏବଂ ବାଟୋଇମାନଙ୍କର ଭିଡ଼ ଜମିଥାଏ। ସେହିପରି ସନ୍ଧ୍ୟା ସମୟରେ ପରିବାରବର୍ଗଙ୍କ ସହିତ ବହୁ ଜନସାଧାରଣ ଏଠାକୁ ଦହିବରାର ସ୍ୱାଦ ଉଠାଇବାକୁ ଆସିଥାନ୍ତି। ଏପରିକି ଭୁବନେଶ୍ୱର ଅଞ୍ଚଳରୁ ବହୁ ବ୍ୟକ୍ତି ଏଠାକୁ ଦହିବରା ଖାଇବାକୁ ଆସିଥାନ୍ତି।

ବର୍ଷ ତମାମ ଏଠାରେ ଗ୍ରାହକମାନଙ୍କ ଭିଡ଼ ଜମିଥାଏ। ଦୈନିକ ଷ୍ଟଲରେ ପାଖାପାଖି ୨ ହଜାରରୁ ୩ ହଜାର ଟଙ୍କା ମଧ୍ୟରେ ବେପାର ହୋଇଥାଏ ବୋଲି ବେପାରୀ ବିଜୟ ବେହେରା କହିଛନ୍ତି।

ବିଭିନ୍ନ ପର୍ବପର୍ବାଣୀରେ ଏହି ଷ୍ଟଲଗୁଡିକରେ ଅଧିକ ବିକ୍ରି ହୋଇଥାଏ। ଷ୍ଟାଡିୟମ ନିକଟରେ ଦହିବରା ବିକ୍ରି ପାଇଁ ପ୍ରତ୍ୟେକ ଷ୍ଟଲ ସିଏମସି କର୍ତ୍ତୃପକ୍ଷଙ୍କ ନିକଟରୁ ଫୁଡ ଲାଇସେନ୍ସ ନେବାକୁ ପଡ଼ିଥାଏ।

ଚାଉଳ ଓ ବିରି ଗୁଣ୍ଡ ପେଶା ଯାଇ ପ୍ରଥମେ ଆଣ ପ୍ରସ୍ତୁତ କରାଯାଇଥାଏ। ଏହାପରେ ବରା ଛଣା ଯାଏ। ବରା ପ୍ରସ୍ତୁତ ହୋଇସାରିବା ପରେ ଏହାକୁ ସ୍ୱଳ୍ପ ସମୟ ପାଇଁ ଲୁଣ ପାଣିରେ ବତୁରାଇ ରଖାଯାଏ। ଫୁଟଣ, ଭୃସଙ୍ଗ ପତ୍ର ମିଶାଯାଇ ଦହି ଛୁଙ୍କ କରାଯାଇଥାଏ ଓ ଏହାପରେ ସେଥିରେ ବରାକୁ ପକାଇ ଦିଆଯାଇଥାଏ। ଏହାପରେ ସିଝା ଆଳୁରେ ଆଳୁଦମ୍ ଓ ସିଝା ମଟରରୁ ଘୁଗୁନି ପ୍ରସ୍ତୁତ କରାଯାଇଥାଏ। ଦହିବରା, ଆଳୁଦମ୍, ଘୁଗୁନିକୁ ଅଲଗା ଅଲଗା ହଣ୍ଡାରେ ରଖାଯାଇ ଷ୍ଟଲ ନିକଟକୁ ଅଣାଯାଇଥାଏ।

ସତୁରି ଅଶୀ ଦଶକରେ ବିଡ଼ାନାସୀ ଅଞ୍ଚଳର ୩/୪  ଜଣ ବେପାରୀ ସାଇକେଲରେ ଦହିବରା ହାଣ୍ଡି ଧରି ଏଠାରେ ବ୍ୟବସାୟ କରୁଥିଲେ। ସେଥିମଧ୍ୟରୁ ରଘୁ ଦହିବରାର ବହୁତ ଚାହିଦା ଥିଲା। ୧୯୯୦ ମସିହା ପରଠାରୁ ଏଠାରେ ଠେଲାଗାଡ଼ିରେ ଦହିବରା ବିକ୍ରୟ ଆରମ୍ଭ ହୋଇଥିଲା। କଟକ ସହରକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବହୁ ଲୋକ ପ୍ରତ୍ୟେକ ଦିନ କଟକି ଦହିବରାର ସ୍ୱାଦ ଚାଖିବାକୁ ଭୁଲନ୍ତି ନାହିଁ।

Comment