ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଦ୍‌ଯାପିତ ହୋଇଯାଇଛି ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା। ରବିବାର ଏହାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୧୦ ଦିନ ଧରି ଚାଲିଥିଲା ଏହି ଖେଲୋ ଇଣ୍ଡିଆ ମହାକୁମ୍ଭ। ଏଥିରେ ୧୭ ସ୍ଵର୍ଣ୍ଣ ସହ ମୋଟ୍‌ ୪୬ଟି ପଦକ ଜିତି ପଞ୍ଜାବ ବିଶ୍ଵବିଦ୍ୟାଳୟ ଚାମ୍ପିୟନ ହୋଇଛି।

କିଟ୍‌ ବିଶ୍ଵ ବିଦ୍ୟାଳୟରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାମ୍ପିଅନ ଓ ରନର୍ସ ଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଏହି ଅବସରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ଭାରତୀୟ ଅଲମ୍ପିକ୍ସ ସଂଘର ସଭାପତି ନରିନ୍ଦର ବାତ୍ରା ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ସଫଳତାର ସହ ଆୟୋଜିତ ହୋଇଥିବାରୁ ମୁଁ ବହୁତ ଖୁସି। ଏହା ନିଶ୍ଚିତ ଯେ ଏହି କ୍ରୀଡ଼ା ଦେଶ ପାଇଁ ସଫଳତା ଆଣିବାରେ ଯୁବ ପ୍ରତିଭାଙ୍କୁ ସହାୟ ହେବ।”

ଖେଲୋ ଇଣ୍ଡିଆ ପ୍ରଥମ ସଂସ୍କରଣରେ ପଞ୍ଜାବ ବିଶ୍ଵବିଦ୍ୟାଳୟ ଚାମ୍ପିଅନ ହୋଇଥିବା ବେଳେ ସାବିତ୍ରୀବାଈ ଫୁଲେ ପୁଣେ ବିଶ୍ଵବିଦ୍ୟାଳୟ ୩୭ଟି ପଦକ ଜିତି ରନର୍ସ ଅପ ହୋଇଥିଲା। ଓଡ଼ିଶାରୁ କିଟ୍‌, ବ୍ରହ୍ମପୁର, ସମ୍ଵଲପୁର ଓ ଉତ୍କଳ ବିଶ୍ଵବିଦ୍ୟାଳୟ ପଦକ ତାଲିକାରେ ସ୍ଥାନ ପାଇଥିଲେ। ଏହି କ୍ରୀଡ଼ାରେ ମୋଟ୍‌ ୧୦୬ ବିଶ୍ଵ ବିଦ୍ୟାଳୟ ପଦକ ଜିତିଛନ୍ତି।

ବିଶ୍ଵବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ ୧୫୯ ବିଶ୍ଵବିଦ୍ୟାଳୟର ୩ ହଜାର ୩୪୩ କ୍ରୀଡ଼ାବିତ୍‌। ମୋଟ୍‌ ୧୭ଟି କ୍ରୀଡ଼ାରେ ୨୧୧ଟି ପଦକ ଇଭେଣ୍ଟ ରହିଥିଲା।

Comment