ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆଜି ଶେଷ ହୋଇଛି। ମାର୍ଚ୍ଚ ୧୮ ତାରିଖରୁ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ। ଯଦି ୨୩ ଦିନ ଭିତରେ ଖାତା ଦେଖା ନସରେ ତେବେ ଆବଶ୍ୟକ ପଡ଼ିଲେ ୨ରୁ ୩ ଦିନ ପର୍ଯ୍ୟନ୍ତ ମୂଲ୍ୟାୟନ ସମୟକୁ ବର୍ଦ୍ଧିତ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ପରୀକ୍ଷା ଖାତା ଦେଖିବା ପାଇଁ ରାଜ୍ୟରେ ହୋଇଥିବା ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ପାଖାପାଖି ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯାଇଛି। ମୂଲ୍ୟାୟନକୁ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରଥମେ ଅବ୍‌ଜେକ୍‌ଟିଭ୍ ଖାତା ଦେଖାଯିବା ପରେ ସବ୍‌ଜେକ୍‌ଟିଭ୍ ଖାତା ଦେଖାଯିବ ବୋଲି ସ୍ଥିର ହୋଇଛି। ପ୍ରତ୍ୟେକ ମୂଲ୍ୟାୟନ କେନ୍ଦ୍ରରେ ଗୋଟିଏ ଲେଖାଏଁ ଚେକର ଓ ମେକର ରହିବା ସହ ରାଜ୍ୟର ୬୧ ମୂଲ୍ୟାୟନ କେନ୍ଦ୍ରରେ ୧୨୨ଜଣ ଚେକର ଓ ମେକର ନିୟୋଜିତ କରାଯାଇଛି।

ଚଳିତ ବର୍ଷ ୨ ହଜାର ୮୮୮ କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରଶ୍ନପତ୍ର ରଖିବା ପାଇଁ ୩୦୭ଟି ନୋଡାଲ ସେଣ୍ଟର, ୬୯ ଫ୍ଲାଇଗ ସ୍କ୍ୱାଡ୍‌, ୩୪ ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ୧ ହଜାରଟି କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା। ଆଜି ମାଟ୍ରିକ୍ ସାମାଜିକ ବିଜ୍ଞାନ ପରୀକ୍ଷା ରହିଥିବା ବେଳେ ଏଥିରେ ୧୪୯ ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ସ୍କ୍ୱାଡ୍ ହାତରେ ଧରାପଡ଼ି ମାଲପ୍ରାକ୍ଟିସ୍‌(ଏମ୍‌ପି) ଅଭିଯୋଗରେ ବୁକ୍ ହୋଇ ପରୀକ୍ଷାରୁ ବାଦ୍‌ ପଡ଼ିଛନ୍ତି।

ସେହିପରି ଏସ୍‌ଓଏସ୍‌ସିର ଓଡ଼ିଆ/ତେଲୁଗୁ/ହିନ୍ଦୀ/ସଂସ୍କୃତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ଏମ୍‌ପିରେ ବୁକ୍ ହୋଇ ପରୀକ୍ଷାରୁ ବାଦ୍‌ ପଡ଼ିଛନ୍ତି। ଏହି ଦୁଇଟି ପରୀକ୍ଷାରେ ମୋଟ ୧୫୦ ଜଣ ପରୀକ୍ଷାର୍ଥୀ ଏମ୍‌ପିରେ ବୁକ୍ ହୋଇ ପରୀକ୍ଷାରୁ ବାଦ୍‌ ପଡ଼ିଥିବା ବେଳେ ଚଳିତ ବର୍ଷ ସମସ୍ତ ପରୀକ୍ଷାରେ ମୋଟ ୯୪୭ ଜଣ ପରୀକ୍ଷାର୍ଥୀ ଏମ୍‌ପି ହୋଇଛନ୍ତି। ମାଟ୍ରିକ୍‌ରେ ୮୨୯ ଜଣ, ଏସ୍‌ଓଏସ୍‌ସିରେ ୧୧୩ ଜଣ ଓ ସଂସ୍କୃତ ମଧ୍ୟମାରେ ୫ ଜଣ ପରୀକ୍ଷାର୍ଥୀ ଏମ୍‌ପିରେ ବୁକ୍ ହୋଇ ପରୀକ୍ଷାରୁ ବାଦ୍‌ ପଡ଼ିଛନ୍ତି।

Comment