ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ପାଇଁ ଭୁବନେଶ୍ଵର ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସ୍ଵାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଯାଞ୍ଚ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ବି. ଭେଙ୍କଟେଶ୍ଵର ରାଓ।

ଏନେଇ ବି. ଭେଙ୍କଟେଶ୍ଵର ରାଓ କହିଛନ୍ତି, “ଇମିଗ୍ରେସନ ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଦେଶରୁ ଆସୁଥିବା ଲୋକମାନଙ୍କୁ କଡ଼ା ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ରାଜ୍ୟ ସରକାରଙ୍କ ଏକ ଡାକ୍ତରୀ ଦଳ କରୁଛନ୍ତି।”

କରୋନା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ କଡ଼ା ଯାଞ୍ଚ କରାଯିବା ନେଇ ଗତକାଲି ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ। ଏକାଧିକ ଦେଶର ଯାତ୍ରୀଙ୍କୁ ସ୍କ୍ରିନିଂ ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହାସହ ଯାତ୍ରୀମାନେ ଆତ୍ମଘୋଷିତ ପତ୍ର ମଧ୍ୟ ଦାଖଲ କରିବେ। ଏନେଇ ସବୁ ଏୟାପୋର୍ଟକୁ ସର୍କୁଲାର ଜାରି କରିଥିଲା ବିମାନ ଚଳାଚଳ ମନ୍ତ୍ରାଳୟ।

କୋରୋନା ଭାଇରସ ଭାରତରେ ପହଞ୍ଚିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର। ଭାରତର ତିନି ଜଣ ଲୋକ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଦିଲ୍ଲୀର ହୋଇଥିବା ବେଳେ ଜଣେ ଅନ୍ୟ ବ୍ୟକ୍ତି ତେଲେଙ୍ଗାନା ଓ ଜୟପୁରର ବୋଲି ଜଣାପଡ଼ିଛି।

ବର୍ତ୍ତମାନ କୋରୋନା ଭାଇରସ୍‌ରେ ଚୀନ୍‌ରେ ୩ ହଜାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହାସହ ୮୦ ହଜାରରୁ ଅଦିକ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ଭାଇରସ୍‌ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି।

Comment