ଓଡ଼ିଶାଲାଇଭ ବ୍ୟୁରୋ

ଅଖିଳ ଭାରତୀୟ ଯୁବ କଂଗ୍ରେସ ଟିମ୍‌ରେ ପୂର୍ବ ସ୍ଥାନ ବଜାୟ ରଖିଛନ୍ତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା। ସେ ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିରେ ରାଷ୍ଟ୍ରୀୟ ସମ୍ପାଦକ ପଦବୀ ପାଇଛନ୍ତି। ପୂର୍ବରୁ ମଧ୍ୟ ଏହି ପଦବୀରେ ଥିଲେ ସ୍ମୃତିରଞ୍ଜନ। ନିକଟରେ ଯେଉଁ ନୂଆ କମିଟି ଗଠନ କରାଗଲା ସେଥିରେ ଓଡ଼ିଶାରୁ କେବଳ ସ୍ମୃତିରଞ୍ଜନଙ୍କ ନାଁ ରହିଛି।

ଏହାସହ ସର୍ବଭାରତୀୟ ସ୍ତରରେ ପ୍ରଶିକ୍ଷଣ କମିଟିରେ ସ୍ମୃତିରଞ୍ଜନ ସ୍ଥାନ ପାଇଛନ୍ତି। ରାଷ୍ଟ୍ରୀୟ ସମ୍ପାଦକ ସହିତ ପ୍ରଶିକ୍ଷକ ଭାବେ ସେ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି।

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଉପରେ ପୁଣି ଭରସା କରିଥିବାରୁ ସ୍ମୃତିରଞ୍ଜନ ଧନ୍ୟବାଦ ଦେଇଛନ୍ତି। ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ଭି ଶ୍ରୀନିବାସ, ରାଷ୍ଟ୍ରୀୟ ପ୍ରଭାରୀ କ୍ରିଷ୍ଣା ଆଲାବାରୁ ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତିଙ୍କ ସମେତ ଓଡ଼ିଶା କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ସ୍ମୃତିରଞ୍ଜନ।

‘‘ପୁଣିଥରେ ମତେ ଏହି ଗୁରୁ ଦାୟିତ୍ୱ ଅର୍ପଣ କରାଯାଇଛି। ନିଷ୍ଠାର ସହ ମୁଁ ମୋ ଦାୟିତ୍ୱ ତୁଲାଇବି। ଯୁବ କଂଗ୍ରେସକୁ ଅଧିକ ସଙ୍ଗଠିତ କରିବା ପାଇଁ ଉଦ୍ୟମ ଜାରି ରଖିବି। ମୋ’ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏଆଇସିସି, ଏଆଇୱାଇସି ଏବଂ ଓପିସିସିର ସମସ୍ତ ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଉଛି’’, କହିଛନ୍ତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା।

ପୂର୍ବରୁ ମଧ୍ୟ ସ୍ମୃତିରଞ୍ଜନ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ସେ ଆସାମ ଏବଂ ତ୍ରିପୁରାର ଯୁବ କଂଗ୍ରେସ ପ୍ରଭାରୀ ଅଛନ୍ତି। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସାମ ଏବଂ ତ୍ରିପୁରାରେ କଂଗ୍ରେସ ପକ୍ଷରୁ ଯେଉଁ ଆନ୍ଦୋଳନ ହୋଇଥିଲା ସେଥିରେ ସ୍ମୃତିରଞ୍ଜନ ଆଗରେ ରହିଥିଲେ।

ପଶ୍ଚିମବଙ୍ଗ, ମେଘାଳୟ ଭଳି ରାଜ୍ୟରେ ମଧ୍ୟ ସ୍ମୃତିରଞ୍ଜନ ଯୁବ କଂଗ୍ରେସ ପ୍ରଭାରୀ ରହିଥିଲେ। ତୃଣମୂଳ ସ୍ତରରୁ ରାଜନୀତିକୁ ଆସିଥିବା ସ୍ମୃତିରଞ୍ଜନ ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିରେ ନିଜ ସ୍ଥିତି ବଜାୟ ରଖିବାରେ ସଫଳ ହୋଇଛନ୍ତି।

Comment