ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ପୋଲିସ୍ ବାହିନୀରେ କାର୍ଯ୍ୟରତ ମହିଳାମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ପ୍ରଥମ ଥର ପାଇଁ ମହିଳା ପୋଲିସ୍ ସମ୍ମିଳନୀ ଆଜି କଟକସ୍ଥିତ ଷଷ୍ଠ ବାଟାଲିୟନ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଡିଜି ଅଭୟ ଯୋଗ ଦେଇଥିଲେ।

ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ଡକ୍ଟର ସତ୍ୟଜିତ୍ ମହାନ୍ତିଙ୍କ ସମେତ ବହୁ ଅତିରିକ୍ତ ଡିଜି ଏବଂ ଆଇଜି ରାଙ୍କର ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ଜିଲ୍ଲା, ବାଟାଲିୟନ, ଭିଜିଲାନ୍ସ, କ୍ରାଇମବ୍ରାଞ୍ଚରୁ ଆସିଥିବା ମହିଳାମାନଙ୍କ ସମସ୍ୟା ଶୁଣିଥିଲେ। କନଷ୍ଟେବଳ ପାହ୍ୟାରୁ ଅଫିସର ପାହ୍ୟା ଯାଏଁ ମହିଳା ପୋଲିସ ନିଜ କର୍ମକ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଜିଲ୍ଲା ସ୍ତରରେ ରିଜର୍ଭ ଇନ୍ସପେକ୍ଟର ପାହ୍ୟାରେ କିମ୍ବା କମାଣ୍ଡାଣ୍ଟ୍ ପାହ୍ୟାରେ କେହି ମହିଳା ଅଫିସର ନଥିବା ଅଭିଯୋଗ ଆସିଥିଲା। ଏହାସହ କାର୍ଯ୍ୟକ୍ଷେତ୍ରରେ ପୋଲିସ୍ ବାହିନୀକୁ ଯେଉଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ମିଳୁଛି, ତାହାକୁ ମହିଳା ପୋଲିସ୍ କର୍ମଚାରୀମାନେ ପିନ୍ଧିବାରେ ଅସୁବିଧା ହେଉଥିବା ଦୃଷ୍ଟି ଆକର୍ଷଣ କରିଥିଲେ।

ସେହିପରି ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଡ୍ୟୁଟିରେ ନିୟୋଜିତ ଥିବା ସମୟରେ ମହିଳା ଫୋର୍ସଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଭ୍ରାମ୍ୟମାଣ ଟଏଲେଟ୍ ବ୍ୟବସ୍ଥା କରିବା ପାଇଁ ସେମାନେ ଦାବି ରଖିଥିଲେ। ପ୍ରସୂତି ବେଳେ ତୁରନ୍ତ ଛୁଟି ପ୍ରଦାନ ଉପରେ ମହିଳା ଅଧିକାରୀମାନେ ଡିଜିଙ୍କ ନିକଟରେ ଦାବି ରଖିଥିଲେ। ରାଜ୍ୟସ୍ତରୀୟ ଏହି ମହିଳା ସମ୍ମିଳନୀରେ ମୋଟ ୫ ଜଣ ଆଇପିଏସ୍ ଅଫିସର, ୧୩ ଜଣ ଡିଏସ୍‌ପି, ୩୦ ଜଣ ଇନ୍ସପେକ୍ଟର, ଏସ୍ଆଇ ୧୯ ଜଣଙ୍କ ସମେତ ଏଏସ୍ଆଇ ଓ କନଷ୍ଟେବଲ୍, ହାବିଲଦାର ମିଶି ୧୩୨ ଜଣ ଯୋଗ ଦେଇଥିଲେ।

ମହିଳା କର୍ମଚାରୀମାନଙ୍କ ଏପରି ଅସନ୍ତୋଷକୁ ଡିଜି ଅଭୟ ଗୁରୁତର ସହ ଗ୍ରହଣ କରିଥିଲେ। ମହିଳା ପୋଲିସ୍ ଅଧିକାରୀ ଓ କର୍ମଚାରୀମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଆଯାଇ ସମାଧାନ କରାଯିବ ବୋଲି ଡିଜି କହିଛନ୍ତି।

ବିଭିନ୍ନ ଥାନାରେ ମହିଳା ଇନ୍ସପେକ୍ଟରମାନଙ୍କୁ ନିୟୋଜିତ କରିବା କ୍ଷେତ୍ରରେ ଦେଶରେ ଓଡ଼ିଶା ପୋଲିସ୍ ରେକର୍ଡ କରିଛି। ମହିଳା ଥାନା ବାଦ୍‌ ରାଜ୍ୟରେ ୧୦୨ଟି ଥାନାରେ ଏବେ ୧୦୨ ମହିଳା ଇନଚାର୍ଜ ଅଫିସର ନିୟୋଜିତ ରହିଛନ୍ତି।

Comment