ଓଡ଼ିଶାଲାଇଭ ବ୍ୟୁରୋ

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିରର ଜମା ଅଛି ୫୯୨ କୋଟି ଟଙ୍କା। ସରକାରଙ୍କୁ ଘେରିଲେ ବିରୋଧୀ।

ଶହେ ନୁହେଁ କି ଲକ୍ଷେ ନୁହେଁ, ପୁରୀ ଶ୍ରୀମନ୍ଦିରର ପୂରା ୫୯୨ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରହିଥିଲା। ହେଲେ ୟେସ୍‌ ବ୍ୟାଙ୍କରେ ଏବେ ଆର୍ଥିକ ସଙ୍କଟ ଦେଖାଦେବା ପରେ ମହାପ୍ରଭୁଙ୍କ ଟଙ୍କା ମିଳିବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

ମହାପ୍ରଭୁଙ୍କ ୫୯୨ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା କରିବାକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ରାଷ୍ଟ୍ରାୟତ ବ୍ୟାଙ୍କ ଥିବା ବେଳେ ସରକାର କାହିଁକି ୟେସ୍‌ ବ୍ୟାଙ୍କରେ ଜମା ରଖିଲେ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

‘‘ରାଷ୍ଟ୍ରାୟତ ବ୍ୟାଙ୍କରେ ଟଙ୍କା ନରଖି ୟେସ୍‌ ବ୍ୟାଙ୍କରେ ଟଙ୍କା ରଖି ସରକାର କିଛି ଠିକ୍‌ କରି ନାହାନ୍ତି। ମହାପ୍ରଭୁଙ୍କ ଟଙ୍କାକୁ କେହି କେବେ ହଜମ କରିପାରି ନାହାନ୍ତି। ସରକାର କହୁଛନ୍ତି ମାସକୁ ୫୦ ହଜାର ଟଙ୍କା ୟେସ୍‌ ବ୍ୟାଙ୍କରୁ ଉଠାଇ ହେବ। ଜଗନ୍ନାଥଙ୍କ ଗୋଟେ ଗୋଟେ ପର୍ବରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଯଦି ଟଙ୍କା ଠିକ୍‌ ସମୟରେ ନଆସେ ତାହାଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ’’, କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ।

‘‘ଜଗନ୍ନାଥଙ୍କ ଟଙ୍କା ବୁଡ଼େଇ ପାରିବେ ନାହିଁ ରାଜ୍ୟ ସରକାର। ଏଣୁ ଟଙ୍କା କେମିତି ଆସିବ ସେନେଇ ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ’’, କହିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର।

ୟେସ୍‌ ବ୍ୟାଙ୍କ ଦେବାଳିଆ ସ୍ଥିତି ଆଡ଼କୁ ମୁହାଁଉଛି। ଏହି ଖବର ଆଜି ଜଣାପଡ଼ିବା ପରେ ଆର୍‌ବିଆଇ ଟଙ୍କା ଉଠାଣରେ କଟକଣା ଜାରି କରିଛନ୍ତି। ମାସକୁ ଜଣେ ଗ୍ରାହକ ଅତି କମ୍‌ରେ ୫୦ ହଜାର ଟଙ୍କା ଉଠାଇ ପାରିବେ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଉଛି। ଏହାକୁ ନେଇ ଗ୍ରାହକଙ୍କ ମନରେ ମଧ୍ୟ ଭାଳେଣି ପଡ଼ିଛି। ସେମାନଙ୍କ ଟଙ୍କା ବୁଡିଯିବ କି ବୋଲି ମନରେ ଆଶଙ୍କା ସୃଷ୍ଟି ହୋଇଛି।

ଏପଟେ ୟେସ୍‌ ବ୍ୟାଙ୍କରର ପରିସ୍ଥିତିକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗ୍ରାହକଙ୍କୁ ଆଶ୍ୱାସନା ଦେଇଛନ୍ତି। ଟଙ୍କା ବୁଡ଼ିବ ନାହିଁ ବୋଲି ଭରସା ଦେଇଛନ୍ତି। ମାସେ ଭିତରେ ପରିସ୍ଥିତି ସୁଧୁରିବ ବୋଲି ସେ କହିଛନ୍ତି।

ହେଲେ ଶ୍ରୀମନ୍ଦିରର ୫୯୨ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରଖିବାକୁ ନେଇ ରାଜନୀତି ତେଜିଛି। ବିରୋଧୀ ସରକାରଙ୍କୁ ଘେରିବା ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି।

‘‘ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଫିକ୍ସ ଡିପୋଜିଟ୍‌ ହୋଇଥିଲା। ଚଳିତ ମାସରେ ଏହାର ଅବଧି ଶେଷ ହେବ। ଆମେ ଆଉ କୌଣସି ଘରୋଇ ବ୍ୟାଙ୍କରେ ଟଙ୍କା ଜମା ରଖିବୁନି। କୌଣସି ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା ରଖିବାକୁ ନିଷ୍ପତ୍ତି ହୋଇଛି। ଟଙ୍କା ବୁଡ଼ିବାର କୌଣସି ପ୍ରଶ୍ନ ଉଠୁନି’’, କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

Comment