ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ଆପଣଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି ତେବେ ଆପଣଙ୍କୁ କୌଣସି ସରକାରୀ ସୁବିଧା ସୁଯୋଗ ମିଳିବନି। ଏପରିକି ଆପଣଙ୍କୁ ପଞ୍ଚାୟତ ନିର୍ବାଚନରେ ଲଢ଼ିବାକୁ ମଧ୍ୟ ବାରଣ କରାଯିବ। ଖୁବଶୀଘ୍ର ଉତ୍ତରପ୍ରଦେଶରେ ଯୋଗୀ ସରକାର ଏଭଳି ଏକ ନୂଆ ନୀତି ଆଣିବାକୁ ଯାଉଛି।
ଉତ୍ତରପ୍ରଦେଶର ଜନସଂଖ୍ୟା ଘୁ ଘୁ ହୋଇ ବୃଦ୍ଧି ପାଉଥିବା ହେତୁ ଏହାକୁ କମ୍ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାଫଳରେ ରାଜ୍ୟର ଜନସଂଖ୍ୟାକୁ କମ୍ କରାଯାଇପାରିବ ବୋଲି କୁହାଯାଇଛି।
ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହଙ୍କ କହିବା ଅନୁଯାୟୀ ଏବେ ବିଭିନ୍ନ ରାଜ୍ୟର ଜନସଂଖ୍ୟା ନୀତିକୁ ଅନୁଧ୍ୟାନ କରାଯାଉଛି। ଏ ସବୁକୁ ଆଖିଆଗରେ ରଖି ନିଷ୍ପତ୍ତି ଗ୍ରହଣ କରାଯିବ। ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି କମ୍ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ମଧ୍ୟ ଜନସଂଖ୍ୟା ହ୍ରାସ ପାଇଁ ଅନେକ ନୀତି ନିୟମ କରିଛନ୍ତି ବୋଲି ସେ କହିଛନ୍ତି।
ଉତ୍ତରପ୍ରଦେଶରେ ଏହି ନିୟମ ପ୍ରଣୟନ ହେବା ପରେ, ଯେଉଁ ଲୋକ ଦୁଇରୁ ଅଧିକ ସନ୍ତାନ କରିବେ ସେମାନଙ୍କୁ ସରକାରଙ୍କ କୌଣସି ଜନହିତକାରୀ ଯୋଜନାରେ ସାମିଲ କରାଯିବନାହିଁ। ଏଥିସହିତ ପଞ୍ଚାୟତ ନିର୍ବାଚନରେ ସେ ୱାର୍ଡମେମ୍ବର କିମ୍ବା ସରପଞ୍ଚ ପଦବୀରେ ମଧ୍ୟ ଲଢ଼ିପାରିବେନି।


















