ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜୁ ଜନତା ଦଳ ଫୋକସ୍ରେ ଏବେ ରହିଛି ମୟୂରଭଞ୍ଜ ଜିଲ୍ଲା। ଗତ କିଛିଦିନ ତଳେ ମୟୂରଭଞ୍ଜ ସଙ୍ଗଠନକୁ ଦୁଇ ଭାଗ କରାଯିବା ପରେ ଆଜି ଏହି ଜିଲ୍ଲାର ଜଣେ ମହିଳାଙ୍କୁ ନବୀନ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ଆଗାମୀ ପୌର ଏବଂ ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ସଙ୍ଗଠନ ସୁଦୃଢ଼ କରିବାକୁ ବିଜେଡି ଏବେଠୁ ଲାଗି ପଡ଼ିଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଏହି ଜିଲ୍ଲାରେ ଶକ୍ତ ଝଟ୍କା ଖାଇଥିଲା। ବିଜେପି ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍ରେ ବାଜିମାତ୍ କରିଥିଲା। ପଞ୍ଚାୟତ ନିର୍ବାଚନ ପରେ ଏହି ଜିଲ୍ଲାରେ ସଙ୍ଗଠନ ସୁଦୃଢ଼ ପାଇଁ ବିଜେଡି ଜୋରଦାର ଉଦ୍ୟମ କରିଥିଲା। ଆଗ ଧାଡ଼ିର ନେତାଙ୍କୁ ଏହି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା।
ସବୁଠୁ ବଡ଼ କଥା ହେଉଛି ଗତ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନ ବିଜେଡି ହାତରୁ ଖସି ଯାଇଥିଲା। ଏଠି ବିଜେପି ପ୍ରାର୍ଥୀ ବିଶ୍ୱେଶ୍ୱର ଟୁଡୁ ବିଜୟୀ ହୋଇଥିଲେ। ଏପଟେ ବିଜେପି ମଧ୍ୟ ମୟୂରଭଞ୍ଜରେ ବିଜେଡିକୁ ଚେକ୍ ଦେବା ପାଇଁ ମହିଳା ଏବଂ ଆଦିବାସୀ କାର୍ଡ ଖେଳିଥିଲା। ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଏବଂ ଗିରିଶ ମୁର୍ମୁଙ୍କୁ ନିକଟରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ କରି ବିଜେପି ବିଜେଡିଠାରୁ ଗୋଟିଏ ପାଦ ଆଗରେ ରହିଥିଲା।
ସାଧାରଣ ନିର୍ବାଚନ ପରେ ମୟୂରଭଞ୍ଜରେ ସଙ୍ଗଠନ ସୁଦୃଢ଼ ପାଇଁ ଲାଗିପଡ଼ିଥିଲା ବିଜେଡି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଥିଲା। ନିକଟରେ ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରି ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିଲା। ହେଲେ ପ୍ରଥମ ଥର ପାଇଁ ବିଜେଡି ମୟୂରଭଞ୍ଜ ଜିଲ୍ଲା ସଙ୍ଗଠନକୁ ଦୁଇ ଭାଗ କରିଥିଲା।
ମୟୂରଭଞ୍ଜ ଜିଲ୍ଲା ଏବଂ ମୟୂରଭଞ୍ଜ ସଦର ନାଁରେ ଦୁଇଟି ସାଙ୍ଗଠନିକ ଜିଲ୍ଲା ସୃଷ୍ଟି କରିଥିଲା ବିଜେଡି। ଏବେ ମୟୂରଭଞ୍ଜର ମମତା ମହନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ନବୀନ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରୁ ବିଜେଡି ସରୋଜିନୀ ହେମ୍ବ୍ରମଙ୍କୁ ରାଜ୍ୟସଭା ପଠାଇଥିଲା। ଏପ୍ରିଲରେ ସରୋଜିନୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କ ଜାଗାରେ ଆଉ ଜଣେ ମହିଳାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନବୀନ ବଡ଼ ଘୋଷଣା କରିଛନ୍ତି।
ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା। ୨୧ ଲୋକସଭା ଆସନରୁ ନବୀନ ୭ଟିରେ ମହିଳା ପ୍ରାର୍ଥୀ ଦେଇଥିଲେ। ସେଥିମଧ୍ୟରୁ ୬ଟିରେ ବିଜୟୀ ହୋଇଥିଲା ବିଜେଡି।


















