ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରି ଥିବା କୋରୋନା ଭାଇରସକୁ ଏକ ପରୀକ୍ଷାଗାରରେ ତିଆରି କରାଯାଇଥଲା? ଏଭଳି ଏକ ଖବର ଏବେ ଜୋର ଧରିଛି। ଆମେରିକାର ଜଣେ କାଉଣ୍ଟର ଟେରରିଜମ ବିଶେଷଜ୍ଞ ଓ ସିଆଇଏର ଇଣ୍ଟେଲିଜେନ୍ସ ଅଧିକାରୀ ଏକଥା କହିଛନ୍ତି।

ତାଙ୍କ କହିବା ଅନୁଯାୟୀ, କୋରୋନା ଭାଇରସ ଆପେ ଆପେ ମ୍ୟୁଟେସନ ଜରିଆରେ ତିଆରି ହୋଇନଥିଲା ବରଂ ଏହା ଏକ ଲ୍ୟାବରେ ସୃଷ୍ଟି ହୋଇଥିଲା। ସମ୍ଭବତଃ ଏହାକୁ ଜୈବିକ ଅଣୁ ଅସ୍ତ୍ର ଭାବରେ ଯୁଦ୍ଧରେ ଲଗାଇବା ଉଦ୍ଦେଶ୍ୟ ନେଇ ପରୀକ୍ଷା କରାଯାଇଥିଲା।ଗତ ଡିସେମ୍ବର ମାସରେ ଚୀନର ଉହାନ ପ୍ରଦେଶରେ କୋରୋନା ଭାଇରସ ପ୍ରଥମେ ବ୍ୟାପିଥିଲା। ଏହା ଫଳରେ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କୋରୋନା ଭାଇରସ ଯୋଗୁଁ ସର୍ବାଧିକ ଲୋକ ଚୀନରେ ମରିଥିବାବେଳେ ଇରାନ ଚୀନ ପଛରେ ରହିଛି।

ଏନେଇ ପ୍ରକାଶିତ ଏକାଧିକ ରିପୋର୍ଟରେ କୁହାଯାଇଛି ଯେ ଏହି ଭୂତାଣୁରେ ଏପରି କିଛି ଉପାଦାନ ରହିଛି ଯାହା ସହିତ ଏଚଆଇଭି ଭୂତାଣୁର ସମ୍ପର୍କ ରହିଛି। ଏଣୁ ପ୍ରାକୃତିକ ଉପାୟରେ କୋରୋନା ଭାଇରସ ସୃଷ୍ଟି ହେବା ଅସମ୍ଭବ। ଯଦି କୋରୋନା ଭାଇରସ ପରୀକ୍ଷାଗାରରେ ତିଆରି ହୋଇଥାଏ ତେବେ ଏହା ପରୀକ୍ଷାଗାରରୁ ଅନ୍ୟତ୍ର ବ୍ୟାପିବାର ଅନେକ ସମ୍ଭାବନା ରହିଛି। ଉହାନ ଲ୍ୟାବରୁ ଏହି ଭାଇରସ ଦୁର୍ଘଟଣାବଶତଃ ଲିକ ହେବା ବି ସମ୍ଭବ ବୋଲି କହିଛନ୍ତି କିଛି ବିଶେଷଜ୍ଞ। ଫିଲିପ ଗିରାଲଦି ନାମକ ଜଣେ ବ୍ୟକ୍ତି ଏକ ଆନ୍ତର୍ଜାତିକ ଜର୍ଣ୍ଣାଲରେ ଏସବୁ ବିଷୟ  ଲେଖିଛନ୍ତି।କୋରୋନା ଭାଇରସକୁ ନେଇ ଆଉ ଗୋଟିଏ ଥିଓରୀ ମଧ୍ୟ ଏବେ ଜୋର ଧରିଛି। ଆମେରିକାର ଟ୍ରମ୍ପ ପ୍ରଶାସନ କୁଆଡେ ଚୀନକୁ ସାବାଡ଼ କରିବା ପାଇଁ ଏହି ଭାଇରସ ଛାଡିଛି। ବିଗତ କିଛି ବର୍ଷ ଧରି ଆମେରିକା ଚୀନ ବିରୁଦ୍ଧରେ ବିଷୋଦଗାର କରି ଆସିଛି। ବିଶ୍ୱ ବଜାରରେ ଚୀନ ଯେଉଁଭଳି ଦିନକୁ ଦିନ ଶକ୍ତିଶାଳୀ ହୋଇଚାଲିଥିଲା ତାହା ଆମେରିକାକୁ ଚିନ୍ତାରେ ପକାଇଥିଲା। ଏଣୁ ଚୀନର ଅର୍ଥନୀତିକୁ ଓ ପ୍ରତିରକ୍ଷା ତାକତକୁ ଧ୍ୱସଂ କରିବା ପାଇଁ ୱାସିଂଟନରୁ ଏହି ଭାଇରସ ଛାଡ଼ିଥାଇ ପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଆକଳନ କରାଯାଉଛି କିନ୍ତୁ ଟ୍ରମ୍ପ ପ୍ରଶାସନ ଏଭଳି ଏକ ଆତ୍ମଘାତୀ କାମ କରିଥିବେ ତାହା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଆଉ  କିଛି ବିଶେଷଜ୍ଞ କହୁଛନ୍ତି।

୨୦୦୫-୦୯ରେ କିନ୍ତୁ ଆମେରିକା ଏଭଳି ଏକ ତରିକା ଗ୍ରହଣ କରିଥିଲା। ଶତ୍ରୁ ଦେଶ ଇରାନକୁ ପାନେ ଦେବା ପାଇଁ ଷ୍ଟକ୍ସନେଟ ନାମକ କମ୍ପ୍ୟୁଟର ଭାଇରସ ଆମେରିକାରେ ତିଆରି କରାଯାଇଥିଲା। ଏହି ଭାଇରସ ଇରାନର ମିଲିଟାରୀରେ ବ୍ୟବହୃତ କମ୍ପ୍ୟୁଟର ଅପରେଟିଂ ସିଷ୍ଟମକୁ ଖରାପ କରିଦେବାର ଲକ୍ଷ୍ୟ ରଖା ଯାଇଥିଲା। ଫଳ ବି ସେୟା ହୋଇଥିଲା। ଇରାନର ଲକ୍ଷ ଲକ୍ଷ କମ୍ପ୍ୟୁଟର ଅଚଳ ହେବା ସହ ଚୀନ, କାଜାଗସ୍ତାନ,ଇଣ୍ଡୋନେସିଆକୁ ମଧ୍ୟ ଏହି କମ୍ପ୍ୟୁଟର ଭାଇରସ ବ୍ୟାପିଥିଲା।ବିଶେଷଜ୍ଞଙ୍କ ମତରେ ଯଦି ବି ପ୍ରକୃତରେ ଚୀନ ବିରୁଦ୍ଧରେ ଆମେରିକା କୋରୋନା ଭାଇରସକୁ ଛାଡିଥିବ ତାହା ନିଶ୍ଚିତଭାବେ ଇଜ୍ରାଏଲର ସହଯୋଗ ଓ ସାହାଯ୍ୟରେ ହିଁ କରାଯାଇଥିବ। ଉଲ୍ଲେଖଯୋଗ୍ୟ ଯେ,କୋରୋନା ଭାଇରସ ଭୟ ଦେଖାଯିବା ପରେ ଇଜ୍ରାଏଲର ବୈଜ୍ଞାନିକମାନେ ହିଁ ପ୍ରଥମେ ଘୋଷଣା କରିଥିଲେ ଯେ ଖୁବଶୀଘ୍ର ଏହାର ଟୀକା ସେମାନେ ବାହାର କରିବାକୁ ଯାଉଛନ୍ତି। ବିଶେଷଜ୍ଞମାନଙ୍କ କହିବା କଥା କରୋନା ଭାଇରସକୁ ସୃଷ୍ଟି କରିବା ସହିତ ତାର ଚିକିତ୍ସା ପାଇଁ ଟୀକାର ଉଦ୍ଭାବନ ମଧ୍ୟ ଏକା ସାଙ୍ଗରେ କରାଯାଇଛି। ଇଜ୍ରାଏଲ ପକ୍ଷରୁ କୁହାଯାଇଥିଲା ଯେ ଇନଫେକ୍ସିୟସ ବ୍ରୋନକାଇଟିସ ଭାଇରସ (ଆଇବିଭି)କୁ ବ୍ୟବହାର କରାଯାଇ କୋରୋନା ଭୁତାଣୁ ପାଇଁ ଟୀକା ବାହାର କରାଯିବା ପାଇଁ ଉଦ୍ୟମ ଚାଲିଛି।

Comment