ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ସାଙ୍ଗକୁ ଶାରୀରିକ, ମାନସିକ ଓ ବୌଦ୍ଧିକ ସ୍ତରରେ ଚାପ ମୁକ୍ତ ହେବା ଲାଗି ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଜିଠୁ ‘ନୋ ବ୍ୟାଗ୍‌ ଡେ’ ଆରମ୍ଭ ହୋଇଛି। ପ୍ରତି ଶନିବାର ଦିନ ଏହି ବ୍ୟବସ୍ଥା ଲାଗୁ ହେବ। ପିଲା ସ୍କୁଲ ଆସିବେ କିନ୍ତୁ ସାଙ୍ଗରେ ବ୍ୟାଗ୍‌ ଆଣିବେ ନାହିଁ।

ଏହି ବ୍ୟବସ୍ଥା ପ୍ରଥମ ଶ୍ରେଣୀ ପିଲାଙ୍କଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ଲାଗୁ ହେବ। ପ୍ରତି ଶନିବାର ଦିନ ପାରମ୍ପରିକ ଶିକ୍ଷା ବଦଳରେ ଏହି ପିଲାମାନଙ୍କୁ ଅଭିନବ ଶୈଳୀରେ ଶିକ୍ଷାଦାନ କରାଯିବ।

ପ୍ରଥମ ପର୍ଯ୍ୟାୟରେ ପାଇଲଟ୍‌ ଭାବେ ପ୍ରତି ବ୍ଲକରେ ୨୦ଟି ବିଦ୍ୟାଳୟକୁ ଏଥିଲାଗି ଚୟନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ବିଦ୍ୟାଳୟରେ ଏହାକୁ ସାମିଲ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାନଗେ କହିଛନ୍ତି।

ପିଲାଙ୍କୁ ଯୋଗ ଶିକ୍ଷା, ପ୍ଲାଷ୍ଟିକ ବ୍ୟବହାର ନିଷେଧ, ଶୌଚାଳୟ ବ୍ୟବହାର ଉପକାରିତା, ଚାରା ରୋପଣ, ଚିତ୍ରାଙ୍କନ, ସଫେଇ, ସାଧାରଣ ଜ୍ଞାନ, ବାଳିକା ଶିକ୍ଷାର ଉପକାରିତା ଆଦି ବିଷୟରେ ଅବଗତ କରାଯିବ। ବିଶିଷ୍ଟ ମହାପୁରୁଷ ଓ ମହିୟସୀ ମହିଳାଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ପିଲାଙ୍କୁ କୁହାଯିବ। ଗପ ଶୁଣିବା ଓ ଶୁଣାଇବାରେ ପିଲାଙ୍କୁ ସାମିଲ କରାଯିବ ବୋଲି ଗଞ୍ଜାମ ଶିକ୍ଷା ଅଧିକାରୀ ଅମୁଲ୍ୟ କୁମାର ପ୍ରଧାନ କହିଛନ୍ତି।

ଏଭଳି ନୂଆ ଢାଞ୍ଚାରେ ଶିକ୍ଷା ଅର୍ଜନ କରିବା ଯୋଗୁଁ ପିଲାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି ବୋଲି ନାରାୟଣପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ବେହେରା ମତ ଦେଇଛନ୍ତି। ବିଦ୍ୟାଳୟର ପିଲାମାନେ ମଧ୍ୟ ସ୍କୁଲର ଏହି ପରିବେଶକୁ ଖୁବ ପସନ୍ଦ କରିଛନ୍ତି।

Comment